Odiapua.com

ନୟାଗଡ଼ରେ କରୋନା କଟକଣା ଢିଲା

ନୟାଗଡ଼, ୨୦ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟରେ କରୋନା ମହାମାରୀରୁ ରକ୍ଷା ପାଇଁ ଟିକାକରଣ ଅଭିଯାନ ଚାଲୁ ରହିଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ପୁଣି ଦେଖାଦେଇଛି। କରୋନା ଭାଇରସ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଏବଂ ଗୁଜୁରାଟର ଅହମ୍ମଦାବାଦ, ସୁରଟ, ବଡ଼ୋଦୋରା ଓ ରାଜକୋଟରେ ଶହ ଶହ ସଂଖ୍ୟାରେ ଚିହ୍ନଟ ହୋଇଥିବାବେଳେ ସେଠାରେ ତାଲାବନ୍ଦ ଭଳି କଟକଣା ଲାଗୁ କରାଯାଇଛି। ଏହାକୁ ନେଇ କରୋନା ପୁଣି ଫେରିପାରେ ବୋଲି ଭୟ ସଂଚାର ହୋଇଛି। ମାସ୍କ, ସାମାଜିକ ଦୂରତ୍ୱ ଓ ହାତ ଧୂଆ ଠିକ୍ ନହେଲେ ପୁଣି ସାଂଘାତିକ ହେବାର ସମ୍ଭାବନା ରହିଛି। କରୋନା ଭାଇରସ୍‌ର ବ୍ରିଟେନ ଷ୍ଟ୍ରେନ ନିକଟରେ ଭାରତରେ ଦେଖାଦେଇଛି। ପୂର୍ବ ଭାଇରସ୍ ଠାରୁ ଏହା ପଚାଶ ଭାଗ ଅଧିକ ବ୍ୟାପିବା କୁହାଯାଉଥିବାବେଳେ ଏହାକୁ ନେଇ ଅଧିକ ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା କଟକଣା ରହିଥିବା ଯୋଗୁଁ ମାସ୍କ, ସାମାଜିକ ଦୂରତ୍ୱ ରହିଥିବା ଦେଖିବାକୁ ମିଳୁଥିବାବେଳେ ନୟାଗଡ଼ ଜିଲାରେ କିନ୍ତୁ କରୋନା କଟକଣା ହଟିଗଲା ଭଳି ମନେ ହେଉଛି। ନବେ ଭାଗ ଲୋକଙ୍କ ମୁହଁରେ ମାସ୍କ ନଥିବାବେଳେ ସାମାଜିକ ଦୂରତ୍ୱ ମଧ୍ୟ ଦେଖିବାକୁ ମିଳୁନାହିଁ। କହିବାକୁ ଗେଲ ନୟାଗଡ଼ ଜିଲାରେ କରୋନା କଟକଣା ଏକ ପ୍ରକାର ଢିଲା ହୋଇଯାଇଛି। ମହାମାରୀର ଭୟଙ୍କର ସ୍ଥିତି ଏବେବି ମନରୁ ଲିଭି ନଥିବାବେଳେ ନୟାଗଡ଼ ଜିଲାରେ କରୋନା କଟକଣା ନଥିବା ଯୋଗୁଁ ସାଧାରଣରେ ଅଧିକ ଭୟ ଦେଖାଦେଇଛି। ହେଳା କଲେ ଆଗକୁ ଭୟଙ୍କର ସ୍ଥିତି ହେବ ବୋଲି କୁହାଗଲାଣି। ତେଣୁ ବେଳ ଥାଉ ଥାଉ ସାବଧାନ ହେବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। କୋଭିଡ ୧୯ର ଭୟ କମିଛି, ସଂକ୍ରମଣ କମିଛି ହେଲେ କରୋନା ସମ୍ପୂର୍ଣ୍ଣ ବଲୋପ ହୋଇଛି ତାହା କୁହାଯାଇପାରିବ ନାହିଁ। ନିଜକୁ ସୁରକ୍ଷିତ ରଖିବାକୁ କୋଭିଡ କଟକଣାକୁ ଦୃଢଭାବେ ପାଳନ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ପରାମର୍ଶ ଦେଲେଣି। ତେବେ ଯେଉଁପରି ଭାବରେ ନୟାଗଡ଼ ଜିଲାରେ କରୋନା କଟକଣା ଠିକ୍ ଭାବେ ଲାଗୁ ହେଉନି ଆଗକୁ ଭୟଙ୍କର ପରିସ୍ଥିତି ନହେବ ବୋଲି କୁହାଯାଇପାରିବ ନାହିଁ। ତେଣୁ ବେଳ ଥାଉ ଥାଉ ସାବଧାନ ହେବା ସହିତ ଜିଲାରେ କରୋନା କଟକଣା କଡ଼ାକଡ଼ି କାର୍ଯ୍ୟକାରୀ ହେଉ ବୋଲି ଦାବି ହେଉଛି।