ହାଟଡ଼ିହି-୨୩ / ୬ , (ଓଡିଆପୁଅ / ବିକାଶ ବିଶ୍ୱାଳ)କେଦନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରୁ ନ୍ୟାୟ ପାଇବାରେ ବିଳମ୍ବକୁ ନେଇ ଜଣେ ମହିଳା ଆଜି ଥାନାରେ ବସିବାକୁ ଆସିଥିବାବେଳେ ଥାନା କର୍ତ୍ତୁପକ୍ଷ ତାଙ୍କୁ ବୁଝାସୁଝା କରି ଫେରାଇଦେଇଛନ୍ତି । ହାଟଡିହି ବ୍ଲକ ସମଣା ପଞ୍ଚାୟତର ତେମଳା ଗ୍ରାମରେ ଜଣେ ମହିଳାଙ୍କୁ ମାଡ ମରାଯିବା ସହିତ ତାଙ୍କ ଘରେ ଭଙ୍ଗାରୁଜା ଲୁଟପାଟ ହୋଇଥିବା ନେଇ ମହିଳା ଜଣକ ୧୪ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପ୍ରତିବାଦରେ ମହିଳା ଜଣକ ଆଜି ଥାନାରେ ବସିଥିବା ଜଣାଯାଇଛି । ଗ୍ରାମର ଅଭିମନ୍ୟୁ ଜେନାଙ୍କ ସ୍ତ୍ରୀ ସଞ୍ଜୁଲତା ଜେନା କରିଥିବା ଅଭିଯୋଗ ଅନୁଯାଇ ଗ୍ରାମର ଶ୍ରୀଧର ଜେନାଙ୍କ ପରିବାର ସହିତ ତାଙ୍କର ପୁର୍ବରୁ ବିବାଦ ଲାଗିରହିଛି । ଗତ ଜୁନ ୯ତାରିଖ ଅପରାହ୍ନ ୪ଘଟିକା ସମୟରେ ସେହି ଗ୍ରାମର ଶ୍ରୀଧର ଜେନା, ଜଳଧର ଜେନା, ଚନ୍ଦନ ଜେନା, କଳ୍ପତରୁ ଜେନା, ରଞ୍ଜିତ ଜେନା, ସରୋଜ ଜେନାଙ୍କ ସମେତ ତାଙ୍କ ପରିବାରର ଅନ୍ୟମାନେ ଅତର୍କିତ ଭାବେ ଠେଙ୍ଗାବାଡି ଧରି ତାଙ୍କ ଘର ଉପରେ ଆକ୍ରମଣ କରି ତାଙ୍କୁ ମାଡମାରିବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କର ଘରର ବିଭିନ୍ନ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରିଦେଇଥିଲେ ଓ ଘରେଥିବା ୧୫ହଜାର ଟଙ୍କା ସମେତ ଅନେକ ସୁନାରୁପା ଅଳଙ୍କାର ମଧ୍ୟ ନେଇଯାଇଥିଲେ । ଏନେଇ ସେ ୧୧ତାରିଖ ଦିନ ଥାନାରେ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁକରି ବସିଗଲା । ଅଭିଯୁକ୍ତ ମାନେ ଖୁଲାମଖୁଲା ବୁଲୁଥିବାବେଳେ ବିଭିନ୍ନ ଧମକ ଚମକ ଦେଉ ଥିବାରୁ ସଞ୍ଜୁଲତାଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି ସଞ୍ଜୁଲତା କହିଛନ୍ତି । ପୁଲିସ କୌଣସି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ଆଜି ଧାରଣା ଦେବାକୁ ଆସିଥିବା କହିଛନ୍ତି । ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରେ ସେ ଅଭିଯୋଗ ପାଇବାପରେ ଥାନା କେସନଂ ୮୫/୨୦୨୧ରେ ୧୦ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।