Odiapua.com

ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ସୁରେନ୍ଦ୍ର, ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦେଲେ ଚେତାବନୀ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ଏହି ଜିଲାର କେନ୍ଦୁଆପଦା ଫାଣ୍ଡି ଅଧୀନସ୍ଥ ଆମ୍ଫୋର ଗ୍ରାମର ସୁରେନ୍ଦ୍ର ନାଥ ପୋହି ନାମକ ଜନୈକ ବୃଦ୍ଧ ପୁଲିସ୍ ନିକଟରୁ ନିରାଶ ହେବାପରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ଶରଣାପନ୍ନ ହୋଇ ନ୍ୟାୟ ନମିଳିଲେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ବୃଦ୍ଧ ସୁରେନ୍ଦ୍ରଙ୍କ ଅଭିଯୋଗ ପତ୍ରରୁ ଜଣାପଡିଛି ତାଙ୍କ ନିଜ ଗ୍ରାମ ଆମ୍ଫୋର ମୌଜାରେ ଖା୨୯୫ତା ଖ୨୨୬୦ସଡାରେ ତାଙ୍କର ବସବାସ ଘରବାଡି ଜମି ରହିଛି । ଏହି ଜମି ପାଇଁ ଅପରପକ୍ଷ ବୁଲ ପୋହି, ଗଣେଶ ସାହୁ, ସୁବାଷ ସାହୁ, ମାନସ ସାହୁ ଓ ନରେଶ ସାହୁଙ୍କ ସହିତ ଭଦ୍ରକ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ) ଅଦାଲତରେ କେଶ୍ ବିଚାରାଧୀନ ରହିଛି । ମୋକଦ୍ଦମା ନଂ ୧୩୭/୧୧ ଏବଂ ମିଶ୍ କେଶ୍ ନଂ ୨୪୯/୨୦ ମୂଳେ ମାନ୍ୟବର ଅଦାଲତ ଉଭୟପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଆଦେଶ ଦେଇଛନ୍ତି । ମାତ୍ର ଅପରପକ୍ଷ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଜୋର ତାଙ୍କ ଘରବାଡିରେ ଘରକାର୍ଯ୍ୟ କରୁଛନ୍ତି । ଅପରପକ୍ଷ ତାଙ୍କର ବସବାସ କରୁଥିବା ଘରକୁ ମରାମତି କାର୍ଯ୍ୟ କରିବା ପାଇଁ ଆଦେଶ ରହିଛି । କୌଣସି ନୂତନ କାର୍ଯ୍ୟ କରିବା ପାଇଁ ଅଦାଲତର ନିଷେଧାଜ୍ଞା ରହିଥିବାବେଳେ ସେମାନେ ନୂତନ ଇଟା ଯୋଡି ସୁରେନ୍ଦ୍ରଙ୍କ ଘରବାଡିରେ କଂକ୍ରିଟ୍ ପିଲାର ପକାଇ କାର୍ଯ୍ୟ କରୁଛନ୍ତି । ସେ ଏହାର ପ୍ରତିବାଦ କରିବାରୁ ସେମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏ ସଂପର୍କରେ ସୁରେନ୍ଦ୍ର ଗତ ୭ ତାରିଖରେ ଥାନାରେ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ଥାନାଧିକାରୀ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏଣୁ ବାଧ୍ୟହୋଇ ସେ ଆଜି ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଚାହିଁଛନ୍ତି । ଏବଂ ଆଗାମୀ ଦିନରେ ନ୍ୟାୟ ନମିଳିଲେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଛନ୍ତି ।