Odiapua.com

ନେହେରୁ ଷ୍ଟାଡ଼ିୟମର ଉନ୍ନତି କରଣ ଏବଂ ଇନ୍‌ଡ଼ୋର ସୁଇମିଂ ପୁଲର ଭିତ୍ତି ପ୍ରସ୍ତର ସ୍ଥାପନ, ଭଦ୍ରକ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ରୂପାନ୍ତରିକରଣ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫-ଟି ରୂପାନ୍ତରଣ ଓ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଧାରରେ ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସହିତ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଭାସି ଜରିଆରେ ସମଗ୍ର ରାଜ୍ୟରେ ୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ଉତ୍ସବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲାପାଇଁ ନେହେରୁ ଷ୍ଟାଡ଼ିୟମ୍‌ରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍‌, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକ ପୌରାଞ୍ଚଳରେ ଅବସ୍ଥିତ ନେହେରୁ ଷ୍ଟାଡ଼ିୟମ୍‌ରେ ଫ୍ରଡ଼ ଲାଇଟ୍ ବ୍ୟବସ୍ଥା, ବହୁୁମୁଖୀ ଜିମ୍‌, କ୍ରୀକେଟ ଗ୍ରାଉଣ୍ଡ ସହିତ ଷ୍ଟାଡ଼ିୟମ୍‌ର ଉନ୍ନତିକରଣ ନିମନ୍ତେ ୬ କୋଟି ୯୮ ଲକ୍ଷ ଟଙ୍କା, ବାଗୁରାଇଠାରେ ଇନ୍‌ଡ଼ୋର ସ୍ୱିମିଂ ପୁଲ ପାଇଁ ୧୧ କୋଟି ୭ ଲକ୍ଷ ଟଙ୍କାର ଅନୁଦାନରେ କାର୍ଯ୍ୟ ପାଇଁ ଶିଳାନ୍ୟାସ କରାଗଲା । ରାଜ୍ୟ, ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ନାମ କମାଇ ଥିବା ୧୪ ଜଣ ବିଶିଷ୍ଟ ଖେଳାଳୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଭଦ୍ରକ ଜିଲ୍ଲାରେ ନିର୍ମାଣାଧୀନ ବାଗୁରାଇଠାରେ ଇନ୍‌ଡ଼ୋର ଷ୍ଟାଡ଼ିୟମ୍‌, ମହାବୀର ପଡ଼ିଆରେ ଫୁଟବଲ ଗ୍ରାଉଣ୍ଡ ଆଦି ସମ୍ବନ୍ଧରେ ମଧ୍ୟ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ବକ୍ତବ୍ୟ ଜରିଆରେ ପ୍ରକାଶ କରିଥିଲେ । ଏହିସବୁ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପରେ ଫୁଟବଲ, କ୍ରିକେଟ, ବ୍ୟାଡ଼ମିଣ୍ଟନ, ଆଥ୍‌ଲେଟିକ୍ ଆଦି କ୍ରୀଡ଼ାରେ କ୍ୟାରିଅର କରିବାକୁ ଚାଡୁଁଥିବା ଖେଳାଳୀ ମାନେ ଅଭୂତପୂର୍ବ ସୁଯୋଗ ପାଇପାରିବେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଜିଲ୍ଲା କ୍ରୀଡ଼ାଧିକାରୀ ତନ୍ମିତା କର, ପୂର୍ବତନ ଜିଲ୍ଲା କ୍ରୀଡ଼ାଧିକାରୀ ପଦ୍ମନ୍ ରାୟ, ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆ, ସିଟି ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ । ଓଲଙ୍ଗ ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ କାଦମ୍ବିନୀ କରଶର୍ମା ମଞ୍ଚ ପରିଚାଳନା କରିଥିଲେ ।