Odiapua.com

ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ୨୨ରେ, ଦଲାଲଙ୍କ ଚାପରେ ନ ପଡ଼ି ଆନ୍ଦୋଳନ ସଫଳତା ପାଇଁ ଆହ୍ୱାନ

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍ତର ଓଡିଶାର ବିଦ୍ୟୁତ ବିତରଣ ସଂସ୍ଥା ‘ନେସ୍କୋ’ କର୍ତ୍ତୃପକ୍ଷଙ୍କ ଗ୍ରାହକ ଶୋଷଣ ନୀତି ଓ ବିଭାଗୀୟ ଶ୍ରମିକ ତଥା କର୍ମଚାରୀଙ୍କ ପ୍ରତି ଅବହେଳା ବିରୋଧରେ ଏକାଧିକ ସଂଗଠନଙ୍କୁ ନେଇ ଗଠିତ ‘ନେସ୍କୋ ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି’ ପକ୍ଷରୁ ଡିସେମ୍ବର ୨୨ ତାରିଖରେ ମୁଖ୍ୟ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଏହି ପରପ୍ରେକ୍ଷୀରେ ବାଲିଆସ୍ଥିତ ପାୱାର ଏମ୍ପେ୍ଲାଇଜ୍ ୟୁନିଅନ କାର୍ଯ୍ୟାଳୟରେ ଗୁରୁବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମନ୍ୱୟ ସମିତିର ସଭାପତି ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ, ପାୱାର ଏମ୍ପେ୍ଲାଇଜ୍ ୟୁନିଅନ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଜଗଦ୍ଦୀଶ ବେହେରା, ଅକ୍ଷୟ କୁମାର ଜେନା, ଭରତ ଚନ୍ଦ୍ର ସେଠୀ, ବୃନ୍ଦାବନ ମହାନ୍ତି, ଦେବାଶିଷ ପଣ୍ଡା. ସତ୍ୟନାରାୟଣ ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ୫ଟି ଜିଲ୍ଲାର ବିଦ୍ୟୁତ ଉପଭୋକ୍ତା ଓ ଶ୍ରମିକ କର୍ମଚାରୀଙ୍କ ସମସ୍ୟା ସମାଧାନ ନକରି ନେସ୍କୋ କର୍ତ୍ତୃପକ୍ଷ ବ୍ୟାପକ ଅନିୟମିତତା ଓ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ କରିଛନ୍ତି। ବିନା ଟେଣ୍ଡରରେ ମିଟର ରିଡିଂ, ବିଲିଂ ଓ ମାରାମତି କାର୍ଯ୍ୟ ଠିକାଦାରମାନଙ୍କୁ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ତୋଷାରପାତ କରାଯାଉଛି। ହାତୀ ସୁରକ୍ଷା କରିଡୋର ପାଇଁ ପ୍ରାଥମିକ ବ୍ୟୟ ଅଟକଳରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। କର୍ମଚାରୀ ଓ ଶ୍ରମିକଙ୍କ ସମେତ ସାଧାରଣ ଉପଭୋକ୍ତାଙ୍କୁ ଠକି ଚାଲିଥିବା ନେସ୍କୋ କର୍ତ୍ତୃପକ୍ଷ ବିରୋଧରେ ଆସନ୍ତା ୨୨ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଉପଭୋକ୍ତା, ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମନ୍ୱୟ ସମିତି ପକ୍ଷରୁ ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ସହ ୨୩ ତାରିଖରୁ କର୍ମଚାରୀମାନେ ଅସହଯୋଗ ଆନ୍ଦୋଳନ ପାଇଁ ନିଷ୍ପତି ହୋଇଥିବା ସେମାନେ କହିଛନ୍ତି। ଅପରପକ୍ଷେ ଶ୍ରମିକ କର୍ମଚାରୀ ପରିବର୍ତ୍ତେ ନେସ୍କୋ କର୍ତ୍ତୃପକ୍ଷଙ୍କ ସ୍ୱାର୍ଥରକ୍ଷାରେ ଦଲାଲ ସାଜିଥିବା କିଛି ସଂଗଠନର କର୍ମକର୍ତ୍ତା ଏବେ ସମିତିର ଆନ୍ଦୋଳନ ପାଇଁ ଅନ୍ତରାୟ ହୋଇଛନ୍ତି। ମାତ୍ର ସେହି ଦଲାଲଙ୍କ କଥାରେ ଭାସି ନଯାଇ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାର୍ଥରକ୍ଷାରେ ଆୟୋଜିତ ଆନ୍ଦୋଳନକୁ ସଫଳ କରିବା ପାଇଁ ସେମାନେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ବିଭିନ୍ନ ସଂଘର କର୍ମକର୍ତାମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।