Odiapua.com

ନେତାଜୀ ସୁଭାଷ ଭାରତବର୍ଷର ଆତ୍ମା, ସାଭରକର ନୁହନ୍ତି : ତିନି ଦିନିଆ ରାଷ୍ଟ୍ରୀୟ ନେତାଜୀ ସୁଭାଷ ଉତ୍ସବରେ ସାଂସଦ ଦୋଲା ସେନ୍‌

ଭୁବନେଶ୍ୱର ୨୫-୧ (ଓଡ଼ିଆ ପୁଅ) : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଭାରତବର୍ଷର ଆତ୍ମା ଏବଂ ସାବରକର ନୁହନ୍ତି ବୋଲି ‘ରାଷ୍ଟ୍ରୀୟ ନେତାଜୀ ସୁଭାଷ ଉତ୍ସବ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସଦସ୍ୟା ସୁଶ୍ରୀ ଦୋଲା ସେନ୍ ମତବ୍ୟକ୍ତ କରିଛନ୍ତି। ଉତ୍କଳ ବିକାଶ ଯୁବ ପରିଷଦ ଓ ନେତାଜୀ ଜନ୍ମମାଟି ଯାତ୍ରା ପକ୍ଷରୁ ମିଳିତ ଭାବେ ଆୟୋଜିତ ‘ନେତାଜୀ ଉତ୍ସବ ଜୟ ହିନ୍ଦ୍ ୨୦୨୩’ ଭୁବନେଶ୍ୱର ବୁଦ୍ଧମନ୍ଦିର ପରିସରରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର ତିନି କିମ୍ବଦନ୍ତୀ ନାୟକ ଝାନ୍‌ସୀରାଣୀ ଲକ୍ଷ୍ମୀବାଈ, ଟିପୁ ସୁଲତାନ ଓ ଆଦିବାସୀ ସଂଗ୍ରାମୀ ମାଦ୍ରି କାଲୋଙ୍କୁ ଉତ୍ସର୍ଗ କରାଯାଇଥିଲା। ପରିଷଦର ସଭାପତି ଶ୍ରୀ ଦେବୀ ପ୍ରସାଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଶ୍ରୀ ଦୋଲାସେନ୍ ମୁଖ୍ୟ ଅତିଥି ଭାବରେ ଏବଂ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ବିଧାୟକ ତଥା କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ପ୍ରଭାତ ତ୍ରିପାଠୀ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବରେ ଝାନ୍‌ସୀରାଣୀ ଲକ୍ଷ୍ମୀବାଈଙ୍କର ଷଷ୍ଠପିଢୀ ଦାୟଦ ଯୋଗେଶ ଅରୁଣ ରାଓ ଝାନ୍‌ସୀୱାଲେ ଓ ଟିପୁ ସୁଲତାନଙ୍କର ସପ୍ତମ ପିଢୀ ଦାୟାଦ ସାହେବଜାଦା ମହମ୍ମଦ ସାହିଦ ଆଲାମ୍ ଓ ତାଙ୍କ ସହଧର୍ମିଣୀ ମେହଫୁଜା ଖାତୁନ୍ ଯୋଗ ଦେଇଥିଲେ। ଉତ୍ସବରେ ଝାନ୍‌ସୀରାଣୀ ଲକ୍ଷ୍ମୀବାଈଙ୍କର ଦାୟାଦ ଯୋଗେଶ ଝାନ୍‌ସୀୱାଲେ ଓ ଟିପୁ ସୁଲ୍‌ତାନ୍‌ଙ୍କର ଦାୟାଦ ସାହିଦ୍ ଆଲାମ୍ ଓ ମେହେଫୁଜା ଖାତୁନ୍‌ଙ୍କୁ ନେତାଜୀ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା। ଆଇ.ଆଇ.ଟି. ଖଡଗପୁରର ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରଥମ ବର୍ଷର ଛାତ୍ର ଛୋଟନ୍ କର୍ମକାରଙ୍କୁ ଜୟ ହିନ୍ଦ୍ ବୃତ୍ତି ପ୍ରଦାନ କରାଯାଇଥିଲା। ଉଦ୍‌ଘାଟନୀ ଅଭିଭାଷଣରେ ସୁଶ୍ରୀ ଦୋଲା ସେନ୍ କହିଲେ ଯେ, ବ୍ରିଟିଶ୍ କବଳରୁ ମୁକ୍ତ ହେବା ପରେ ଆଣ୍ଡାମାନ ଜେଲ୍‌ରେ ନେତାଜୀ ସୁଭାଷ ହିଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ତେବେ ଆଜିର ଦିନରେ ଆଣ୍ଡାମାନ୍ ଜେଲ୍‌କୁ ନେତାଜୀ ସୁଭାଷଙ୍କୁ ଉତ୍ସର୍ଗ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ସାବରକରମୟ କରିବା ଅଗଣିତ ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କର ବଳିଦାନ ପ୍ରତି ନିଷ୍ଠୁର ଉପହାସ। ସାଭରକରଙ୍କୁ ସମ୍ମାନ ଜଣାଇ ସୁଶ୍ରୀ ସେନ୍ କହିଲେଯେ ବନ୍ଦୀ ଜୀବନର କଷ୍ଟକୁ ସହି ନପାରି ସାବରକର ଚାରି ଚାରି ଥର ବ୍ରିଟିଶ୍ ସରକାରଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ଜେଲ୍‌ରୁ ମୁକୁଳିଥିଲେ। ଶ୍ୟାମା ପ୍ରସାଦ ମୁଖାର୍ଜୀ ହିନ୍ଦୁ ଯୁବକମାନଙ୍କୁ ବ୍ରିଟିଶ୍ ସରକାରଙ୍କ ସପକ୍ଷରେ ଲଢେଇ କରିବାକୁ ଆହ୍ୱାନ ଦେଇଥିବା ବେଳେ, ସୁଭାଷ ଚନ୍ଦ୍ର ହିଁ ଶ୍ୟାମା ପ୍ରସାଦଙ୍କୁ ଖୋଲା ଚାଲେଞ୍ଜ ଦେଇ କହିଥିଲେ ଯେ ବିଦେଶୀ ସପକ୍ଷରେ ହିନ୍ଦୁ ଯୁବକଙ୍କୁ ମତେଇବା ଏକ ଅପରାଧ। ତେଣୁ ଶ୍ୟାମାପ୍ରସାଦ ଯେଉଁଠାରେ ସଭା କରିବେ ସେଠାରେ ସୁଭାଷ ଚନ୍ଦ୍ର ନିଜେ ପ୍ରତିବାଦ କରିବେ। ଏହା ଐତିହାସିକ ସତ୍ୟ। ସ୍ୱାମୀ ବିବେକାନନ୍ଦ, ଗାନ୍ଧିଜୀ, ରବୀନ୍ଦ୍ରନାଥ ଟାଗୋର, ଦେଶବନ୍ଧୁ ଚିତ୍ତରଂଜନଙ୍କୁ ନେତାଜୀ ନିଜର ଚାରି ଗୁରୁ ଭାବେ ଗ୍ରହଣ କରିଥିଲେ। ଓଡ଼ିଶା ଥିଲା ନେତାଜୀଙ୍କର ଜନ୍ମଭୂମି ଏବଂ କୋଲକାତା ସମେତ ଅବିଭକ୍ତ ଭାରତବର୍ଷ ଥିଲା ତାଙ୍କର କର୍ମଭୂମି। ପ୍ରତିଟି ଯାଗାରେ ତାଙ୍କର ପାଦଚିହ୍ନ ରହିଛି। ନେତାଜୀଙ୍କର ଲଢେଇ ଥିଲା ଭାରତୀୟମାନଙ୍କ ପାଇଁ। ହିନ୍ଦୁ ବା ମୁସଲମାନ କୌଣସି ଧର୍ମ ପାଇଁ ନୁହେଁ। ସେ ଲଢୁଥିଲେ ଦେଶର ପ୍ରାକୃତିକ ସଂସାଧନର ସୁରକ୍ଷା ଓ ସୁବିନିଯୋଗ ପାଇଁ। ମାତ୍ର ଆଜିର ଦିନରେ ସରକାର ନେତାଜୀଙ୍କର ଆଦର୍ଶର ବିରୋଧାଚରଣ କରି କୋଇଲା ଭଳି ପ୍ରାକୃତିକ ସମ୍ପଦର ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ କରିବା ଓ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ବିକ୍ରି କରିବା ଦୁର୍ଭାଗ୍ୟଜନକ। ସଚେତନ ଦେଶପ୍ରେମୀ ଯୁବ ଛାତ୍ର ସମାଜ ଏକାଠି ହୋଇ ନେତାଜୀଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ କହିଥିଲେ ଯେ, ନେତାଜୀ, ଗାନ୍ଧିଜୀ, ପଣ୍ଡିତ ନେହେରୁ ଓ ସର୍ଦ୍ଦାର ପଟେଲ୍‌ଙ୍କୁ ନ ବୁଝିଥିବା ଲୋକେ ଆଜି ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରିବା ଦୁଃଖ ଦାୟକ। ନେତାଜୀ ଓ ଆଜାଦ୍ ହିନ୍ଦ୍ ଫୌଜ୍‌କୁ ଛାଡ଼ି ଭାରତବର୍ଷର ସ୍ୱାଧୀନତାର ଇତିହାସ ଲେଖା ଯାଇନପାରେ। ଶ୍ରୀ ତ୍ରିପାଠୀ ନେତାଜୀଙ୍କର ସଶସ୍ତ୍ର ସଂଗ୍ରାମର ପ୍ରେରଣାର ଉତ୍ସ ମହାନାୟକ ରାସ ବିହାରୀ ବୋଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନେତାଜୀଙ୍କର ସଂଗ୍ରାମ ଓ ତ୍ୟାଗ ବଳିଦାନର ପଟାନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ। ତାଳଚେରର ଯୁବ ସଂଗଠକ ଜିତେନ୍ଦ୍ର ମହାପାତ୍ର ଓ ଭଦ୍ରକର ନିରାକାର ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ମାଲକାନାଗିରି, ବଲାଙ୍ଗୀର, ସମ୍ବଲପୁର, ଭଦ୍ରକ, ତାଳଚେର, ପୁରୀ, ଅନୁଗୋଳ ଆଦି ବିଭିନ୍ନ ଜିଲ୍ଲାର ବହୁ ଛାତ୍ର ଓ ଯୁବକ ଯୋଗ ଦେଇଥିଲେ। ମମତା ମାଢୀ, ତେହେଜିକ୍ ବାନୋ, ଈଶ୍ୱର କବାସୀ, ରିଙ୍କୁ ମେହେର, ରାଜେଶ ସେଠୀ, ଗୌରାଙ୍ଗ ନାୟକ, କିଶୋର ସ୍ୱାଇଁ, ଅଜୟ ପରିଡ଼ା, ରାଜେଶ ସେଠୀ, ଅଖିଳ ନାୟକ, ଅବିନାଶ ମିଶ୍ର ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ। ଅଭିଯାତ୍ରୀ ଦଳ ରେଭେନ୍ସା କଲିଜିଏଟ୍ ସ୍କୁଲ୍‌, ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କର ଜନ୍ମମାଟି ନେତାଜୀ ଭବନ ଓ ପୁରୀସ୍ଥିତ ନେତାଜୀ ମ୍ୟୁଜିୟମ୍‌ରେ ମଧ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।