Odiapua.com

ନୃତ୍ୟ ଜୀବନରେ ସ୍ୱପ୍ନ ଭରିଦିଏ, ‘ମନ୍ଦିରା’ର ଜିଲ୍ଳା ସ୍ତରୀୟ ଶିଶୁ ନୃତ୍ୟ ମହୋତ୍ସବ

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୃତ୍ୟ ସଂଗୀତ ଖାଇବାକୁ ଦେଇ ନପାରେ, ପ୍ରାଚୁର୍ଯ୍ୟ ଦେଇ ନପାରେ, ମାତ୍ର ଜୀବନରେ ରଙ୍ଗ ଓ ସ୍ୱପ୍ନ ଭରିଦିଏ। ଜୀବନର ନୂଆ ଅର୍ଥ ବୁଝାଇ ଦିଏ। ମନ୍ଦିରର ଗାତ୍ରରେ ନୃତ୍ୟରତା, ଲାସ୍ୟମୟୀ ନାୟିକାଙ୍କ ପରି ଆଜି ନୂଆ କରି ନାଚ ଶିଖୁଥିବା କୁନିକୁନି ନୃତ୍ୟାଙ୍ଗନା ମାନେ ଭବିଷ୍ୟତରେ ଆମ ସାଂସ୍କୃତିକ ପରମ୍ପରାକୁ ରୁଦ୍ଧିମନ୍ତ କରିବ ବୋଲି ଭଦ୍ରକର ପ୍ରମୁଖ ନୃତ୍ୟାନୁଷ୍ଠାନ ‘ମନ୍ଦିରା’ ଦ୍ୱାରା ସହିଦ୍ ସ୍ମୃତି ଭବନରେ ଆୟୋଜିତ ଦିବସ ବ୍ୟାପୀ ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବର ସନ୍ଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମତ ପ୍ରକାଶ ପାଇଛି। ଉକ୍ତ ଉତ୍ସବରେ ସଭାପତିତ୍ୱ କରିଥିଲେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ପ୍ର. ପବିତ୍ର ପାଣିଗ୍ରାହୀ, ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟ ବିଶାରଦ ଶାସ୍ୱତ ଯୋଶୀ, ମୁଖ୍ୟବକ୍ତା ଭାବେ ପ୍ରତିଷ୍ଠିତ ସାହିତ୍ୟିକ ତଥା ‘ପ୍ରତିଭାଶ୍ରୀ’ର ମୁଖ୍ୟ ‘ଜରି ଗୋଟେଇବା ଝିଅ’ର କବି ପ୍ରଶାନ୍ତ ଦାସ। ବରେଣ୍ୟ ଅତିଥି ଭାବେ ଏସ୍‌.ବି.ଡି. ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲ, ଭଦ୍ରକର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ର. ଅଟଳ ବିହାରୀ ନାୟକ। ମଞ୍ଚ ଆମନ୍ତ୍ରଣ କରିଥିଲେ ‘ସାଇ ନୃତ୍ୟ ଏକାଡେମୀ’ର ଅଧ୍ୟକ୍ଷା ପୁଷ୍ପମିତ୍ରା ବେହେରା। ଶେଷ ସ୍ପର୍ଶ ଦେଇଥିଲେ ‘ମନ୍ଦିରା ଓଡ଼ିଶୀ ନୃତ୍ୟ ଏକାଡେମୀ’ର ଅଧ୍ୟକ୍ଷା ତଥା ଓଡ଼ିଶୀ ନୃତ୍ୟଗୁରୁ ଶ୍ୱେତପଦ୍ମା ଜେନା। ଦିବସ ବ୍ୟାପୀ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା, ଅବସର ପ୍ରାପ୍ତ ଅଧ୍ୟକ୍ଷ ଆଶୋକ କୁମାର ଜେନା।