Odiapua.com

ନୂତନ ମେଡିକାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କର : କିଶନକୁମାର

କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ନୂତନ ମେଡିକାଲ ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି ପୂର୍ତ୍ତ ସଚିବ କିଷନକୁମାର। ନିର୍ମାଣ କାର୍ଯ୍ୟ ଶୀଘ୍ର ନ ସରିଲେ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବାକୁ ଚେତାବନୀ ଦିଆଯାଇଛି। ଏକଶହ ୧୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଶ୍ୟାମଗୁଡିଆରେ ୨୦୧୭ମସିହାରୁ ନିର୍ମାଣ ଚାଲିଛି ନୂତନ ମେଡିକାଲ ସମେତ ଏକଶହ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟ। ୩ ବର୍ଷ ମଧ୍ୟରେ ଏହା ଶେଷ କରିବା ପାଇଁ ଚୁକ୍ତି ହୋଇଥିବା ବେଳେ ଚୁକ୍ତିର ଅବଧି କେବଠାରୁ ଶେଷ ହୋଇ ଗଲାଣି। ଠିକା ସଂସ୍ଥାର ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ପାଇ ପୂର୍ତ୍ତ ବିଭାଗ ସଚିବ ଶ୍ରୀ କୁମାର ରବିବାର ସକାଳେ କେନ୍ଦ୍ରାପଡ଼ା ଆସିଥିଲେ। ମେଡିକାଲ ନିର୍ମାଣ ସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟରେ ସମୀକ୍ଷା କରିଥିଲେ। କିନ୍ତୁ ସଚିବ ପରିଦର୍ଶନ ସମୟରେ ଦେଖିବାକୁ ପାଇଥିଲେ ଯେ କାମ କଚ୍ଛପ ଗତିରେ ଚାଲୁଛି। ତେଣୁ ଠିକା ନେଇଥିବା ସଂସ୍ଥାର ଅଧିକାରୀମାନଙ୍କୁ ଏସମ୍ପର୍କରେ ତାଗିଦ କରିଦେଇଥିଲେ। ଆସନ୍ତା ୩ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ନ ହେଲେ ଠିକାଦାରଙ୍କ ଲାଇସେନ୍ସକୁ ବାତିଲ କରାଯିବ ବୋଲି କହିଛନ୍ତି ସଚିବ ଶ୍ରୀ କୁମାର। ଏଥିସହ ସେହି ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ସଚିବ କହିଥିଲେ। ସେହିପରି ସଚିବ ନୂତନ ମେଡିକାଲକୁ ସଂପ୍ରସାରଣ କରିବା ପାଇଁ ଆବଶ୍ୟକ ଜମି ବୁଲି ଦେଖିଥିଲେ। ଯେଉଁମାନେ ଜମି ହରାଇବେ ସେମାନଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ଗୋବରୀ ବାଇପାସ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ସଠିକ ସମୟରେ କାମ ଶେଷ କରିବା ପାଇଁ ସଂପୃକ୍ତ ସଂସ୍ଥାକୁ ନିର୍ଦେଶ ଦେଇଥିଲେ। ଏହି ଅବସରରେ ରଥଦାଣ୍ଡ କାର୍ଯ୍ୟ ଦେଖିଥିଲେ। ଏହାପରେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଯାଇଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ। ମନ୍ଦିର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହିପରି ଗଣ୍ଡାଖିଆ ନିକଟରେ ଗୋବରୀ କେନାଲକୁ ଦେଖିଲେ। ଏହି ଗସ୍ତ ସମୟରେ ଜିଲାପାଳ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।