Odiapua.com

ନୂତନ ବିଡିଓ ହରିଚନ୍ଦନପୁର ବ୍ଲକର ବିଭିନ୍ନ ଅପହଞ୍ଚ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ

ହରିଚନ୍ଦନପୁର,ତା ୧୦ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ଅପହଞ୍ଚ ଅଞ୍ଚଳ ଗୁଡିକର ସ୍ଥିତି ସମୀକ୍ଷା କରୁଛନ୍ତି ନୂତନ ଯୋଗ ଦେଇଥିବା ବିଡ଼ିଓ ସୁବ୍ରତ କୁମାର ଜେନା । ଖବର ଅନୁଯାୟୀ ବରେଇଗୋଡା ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଡଜେମେଇ, ସାନଜେମେଇ, ରେବେଣା(କ) ଓ (ଖ), ବୁଢିପଦା ଭଳି ଅପହଞ୍ଚ ଅଞ୍ଚଳ ଗୁଡିକରେ ପହଞ୍ଚି ଗ୍ରାମରେ ଅର୍ଦ୍ଧନିର୍ମିତ ଆବାସ ଓ ପାଇଖାନା ଭଳି ଲୋକଙ୍କ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲେ । ସେହିଭଳି ପିଠାଗୋଳା ଗ୍ରାମ ପଞ୍ଚାୟତର ଅପହଞ୍ଚ ଆଦିବାସୀ ଅଞ୍ଚଳ ଖରବା, କାଦୁଆ, ମରାଗୋଳା ଭଳି ବିଭିନ୍ନ ସ୍ଥାନକୁ ଶ୍ରୀବିଡିଓ ନିଜେ ପାହାଡ଼ିଆ ରାସ୍ତା ନଦୀନାଳ ଡେଇଁ ଗ୍ରାମ ଗୁଡିକରେ ପହଞ୍ଚି ନିରିକ୍ଷଣ କରିଥିଲେ । ବିଡିଓଙ୍କ ଗ୍ରସ୍ତର ଲକ୍ଷ ଅପହଞ୍ଚ ଅଞ୍ଚଳ ଗୁଡିକରେ ସମସ୍ତ ଜନସାଧାରଣଙ୍କ ନିକଟରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଠିକ୍ ଭାବରେ ପହଞ୍ଚି ପାରୁଛିକି ନାହିଁ ତାହାର ସମୀକ୍ଷା କରିଛନ୍ତି । ଜୀବନ ଜୀବିକା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ଅଞ୍ଚଳ ଗୁଡିକରେ ବସବାସ କରୁଥିବା ଲୋକମାନଙ୍କୁ ପାନୀୟ ଜଳ, ରାସ୍ତାଘାଟର ସୁବିଧା, ଜଙ୍ଗଲ ଜମି ପଟ୍ଟା, ଆବାସ ଏବଂ ବିଦ୍ୟୁତ କିପରି ସେମାନଙ୍କୁ ମିଳିପାରିବ ସେ ଗୁଡିକର ବ୍ୟବସ୍ଥା ଖୁବ୍ ଶିଘ୍ର କରିବାକୁ ବିଡିଓ କହିଛନ୍ତି । ଏତଦ୍ ବ୍ୟତୀତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଆଧାର କ୍ୟାମ୍ପ କରି ସମସ୍ତଙ୍କର ଆଧାର କାର୍ଡ କରାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଦୀର୍ଘଦିନର ପ୍ରତିକ୍ଷା ପରେ ହରିଚନ୍ଦନପୁର ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ବିଷୟ । ଯୋଗଦାନ ପରେ ଏହିଭଳି ଭାବେ ଗରିବଙ୍କ ସାଥିଭଳି ସମସ୍ତ ଅଞ୍ଚଳ ଗ୍ରସ୍ତ କରି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ସମୀକ୍ଷା କରୁଥିବା ନେଇ ବ୍ଲକର ବିଭିନ୍ନ ଅଞ୍ଚଳବାସୀଙ୍କ ମନରେ ନୂଆ ଖୁସି ଆଣି ଦେଇଛି । ବିଡିଓଙ୍କ ଗ୍ରସ୍ତରେ ଏବିଡିଓ ବିପ୍ରଚରଣ ପ୍ରଧାନ ଓ ଉକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠଯନ୍ତ୍ରୀଙ୍କ ସମେତ ସରପଞ୍ଚ ଉପସ୍ଥିତ ରହୁଛନ୍ତି । ଏହିଭଳି ଭାବେ ବ୍ଲକରେ ସମସ୍ତ ଅଞ୍ଚଳ ଗୁଡିକ ବୁଲି ସେଠାକାର ଜନସାଧାରଣଙ୍କ ସମସ୍ୟାର ସମୀକ୍ଷା ସହ ସମାଧାନ କରିବାକୁ ଶ୍ରୀବିଡ଼ିଓଙ୍କ ଲକ୍ଷ ରହିଥିବା ସୂଚନା ରହିଛି ।