ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ନୂତନ ଭାବେ ଯୋଗଦାନ କରିଥିବା ପ୍ରଥମ ମହିଳା ସଂସ୍କୃତି ବିଭାଗ ଅଧିକାରିଣୀ ମନସ୍ୱିନୀ ରାଉତଙ୍କୁ କଳାକାରମାନଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ପୂର୍ବତନ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ବରିଷ୍ଠ କର୍ମଚାରୀ ତାପସ ନାୟକ ଓ ନବୀନ ସେନାପତିଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଅବସରରେ ସଂସ୍କୃତି ଅଧିକାରିଣୀ ମନସ୍ୱିନୀ ରାଉତ କହିଥିଲେ ଯେ, ଜିଲ୍ଲାପାଳଙ୍କ ପରାମର୍ଶ ନିଆଯାଇ କଳାକାରମାନଙ୍କର ସମସ୍ୟାର ସମାଧାନ କରାଯିବ । ସରକାରୀ ଯୋଜନାର ସଦୋପଯୋଗ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସିଏ କହିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବେହେରା ଯୋଗ ଦେଇ ବର୍ତ୍ତମାନ ସେ ସଂସ୍କୃତି ଅଧିକାରୀ ଦାୟିତ୍ୱରେ ନଥିଲେ ମଧ୍ୟ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ । ରାଜ୍ୟ ପାଲାଗାୟକ ପରିଷଦର ଉପସଭାପତି ତଥା ଜିଲ୍ଲା କଳାସଂସ୍କୃତି ସଂଘର ପୂର୍ବତନ ଉପସଭାପତି ଓ ବନ୍ତ ବ୍ଲକ କଳାସଂସ୍କୃତି ସଂଘର ଉପସଭାପତି ଲକ୍ଷ୍ମଣ ଚରଣ ରାଉତ ଯୋଗ ଦେଇ ସଂସ୍କୃତି ଅଧିକାରିଣୀ ରାଉତ ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ କରି ଆସିଛନ୍ତି । ଭଦ୍ରକ ଜିଲ୍ଲାରେ ମଧ୍ୟ ସେ କଳାକାରମାନଙ୍କୁ ସହଯୋଗ କରି କାର୍ଯ୍ୟ କରିବେ ବୋଲି କହିଥିଲେ । କଳିଙ୍ଗ କଳାକାର ସଂଘର ସଭାପତି ତଥା ସାମ୍ବାଦିକ ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ ଯୋଗ ଦେଇ ଜିଲ୍ଲାର ସମସ୍ତ ଭତ୍ତାପ୍ରାପ୍ତ କଳାକାରମାନଙ୍କୁ ସରକାରୀ ଭାବେ ପରିଚୟପତ୍ର ପ୍ରଦାନ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପାଲାଗାୟକ ପରିଷଦର ସହସମ୍ପାଦକ ତଥା ବରିଷ୍ଠ ଗାୟକ ନବକୁମାର ଲେଙ୍କା, ଭଦ୍ରକ ବ୍ଲକ କଳାସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ ବେହେରା, ସାମ୍ବାଦିକ ତଥା ଯୁବଗାୟକ ଲକ୍ଷ୍ମୀକାନ୍ତ ନାଥ, କଳାତୀର୍ଥର ସଭାପତି ତଥା ନାଟ୍ୟକାର ରାମନାରାୟଣ ତ୍ରିପାଠୀ, କଳିଙ୍ଗ କଳାକାର ସଂଘର ସଂଗଠନ ସଂପାଦକ ତଥା ବୀଣାପାଣି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାଗୀରଥି ଦତ୍ତ ପ୍ରମୁଖ ଉପସ୍ଥିତ ରହି ସଂସ୍କୃତି ଅଧିକାରିଣୀ ରାଉତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।