Odiapua.com

ନୂତନ ଜିଲା ଜଜ୍ ସ୍ଥାନାନ୍ତର ଲୋକାର୍ପଣ ଉତ୍ସବକୁ ଆଇନ୍‌ଜୀବୀଙ୍କ ପ୍ରତ୍ୟାଖାନ, ୧୮ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ

ଭଦ୍ରକ, ୧୬ା୧୨ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଜିଲା ଜଜ୍ କୋର୍ଟ ନୂତନ ବିଲ୍‌ଡିଂ ନଳାଙ୍ଗ ସ୍ଥାନାନ୍ତର ଲୋକାର୍ପଣ ଉତ୍ସବକୁ ପ୍ରତ୍ୟାଖାନ କରିଛନ୍ତି ଭଦ୍ରକ ଆଇନ୍‌ଜୀବୀମାନେ । ଆସନ୍ତା ୧୮ ତାରିଖ ପୂର୍ବାହ ୯ଟା ବେଳେ ନଳାଙ୍ଗରେ ନିର୍ମିତ ଜିଲା ଜଜ୍ କୋର୍ଟ ନୂତନ କୋଠା ଘରକୁ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ଡ. ଏସ୍‌. ମୁରଲୀଧର, ହାଇକୋର୍ଟ ବିଲ୍‌ଡିଂ କମିଟିର ଚେୟାରମେନ୍ ଜଷ୍ଟିସ୍ ସୁବାଷ ପରିଜା ଓ ଭଦ୍ରକ ଜିଲା ପାଇଁ ନିଯୁକ୍ତ ଭାରାପ୍ରାପ୍ତ ନୟ୍ୟାଧୀଶ ଜଷ୍ଟିସ ଦେବବ୍ରତ ଦାସ ଲୋକାର୍ପିତ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ପ୍ରଥମରୁ ଆଇନ୍‌ଜୀବୀ ସଂଘ ଏହି ବିଲ୍‌ଡିଂ ନିର୍ମାଣକୁ ବିରୋଧ କରିଆସିଛି । ଏହାକୁ ବିରୋଧ କରି ନିମ୍ନ ଅଦାଲତ, ଆଇକୋର୍ଟ ତଥା ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଦିଲ୍ଲୀରେ ବିଭିନ୍ନ ମାମଲା ଦାଖଲ ହୋଇଥିଲା । ସବୁ ମାମଲା ଖାରଜ ହୋଇସାରିଥିବାବେଳେ କେବଳ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ବିଚାରାଧୀନ ଅଛି । ଏହି ସମୟରେ ଜିଲା ଜଜ୍ କୋର୍ଟର ନୂତନ କୋଠା ଘର ଲୋକାର୍ପିତ ଉତ୍ସବକୁ ନଯିବା ପାଇଁ ଆଇନ୍‌ଜୀବୀମାନେ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଆଜି ଏକ ଜରୁରୀ ବୈଠକ ବସି ୧୮ ତାରିଖ ଯାଏ କାର୍ଯ୍ୟବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଜିଲା ଜଜ୍‌, ସମସ୍ତ କୋର୍ଟମାନଙ୍କୁ ଓ ଭଦ୍ରକ ଜିଲାପାଳଙ୍କୁ ଅବଗତ କରାଯିବା ସହ ଶତାଧିକ ଆଇନ୍‌ଜୀବୀମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ କୋର୍ଟ ପରିକ୍ରମା କରିବା ସହ ପ୍ରତିବାଦ ଜାରି ରଖିଛନ୍ତି । ପ୍ରକାଶ ଥାଉକି ନଳାଙ୍ଗ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରି ଆଇନ୍‌ଜୀବୀମାନେ ୨୦୧୬ ମସିହାରେ ୫୯ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏହି ସ୍ଥାନାନ୍ତରକୁ ଭଦ୍ରକର ଜନସାଧାରଣ, ବୁଦ୍ଧିଜୀବୀ, ବଣିକ ସଂଘ ବିରୋଧ କରି ଭଦ୍ରକ ବନ୍ଦ ଡାକରା ଦେଇଥିଲେ । ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଇ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା । ନିର୍ମାଣ ସଂପୂର୍ଣ୍ଣ ହେବା ପରେ ବିଚାର ବିଭାଗକୁ ହସ୍ତାନ୍ତର ହେବାପରେ ଆସନ୍ତା ୧୮ ତାରିଖ ଲୋକାର୍ପିତ ହେବ ।