Odiapua.com

ନୂତନ କୃଷି ଆଇନକୁ ବିରୋଧ କରି ରେମୁଣାରେ ବିକ୍ଷୋଭ ସମାବେଶ

ବାଲେଶ୍ୱର, ୧୨ା୧(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଦୀର୍ଘ ୪୮ ଦିନ ଧରି ଆନ୍ଦୋଳନ ଜାରି ରହିଥିବା ବେଳେଏହାକୁ ସମର୍ଥନ ଜଣାଇ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ରେମୁଣା ବ୍ଲକ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। ଏନେଇ ରେମୁଣା ବଜାର ହାତିଆଗଣ୍ଡ ଛକ ନିକଟରୁ ଶତାଧିକ ବିକ୍ଷୋଭକାରୀ ଟ୍ରାକ୍ଟର ଶୋଭାଯାତ୍ରାରେ ବାହାରି ରେମୁଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ସେଠାରେ କୃଷକ ସଂଘର୍ଷ ସମନ୍ୱୟ ସମିତର ସଭାପତି ପ୍ରେମ ରଞ୍ଜନ ପାତ୍ରଙ୍କ ପୌରହିତ୍ୱରେ ବିକ୍ଷୋଭ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। କ୍ଷେତ ମୂଲିଆ ନେତା ଶିଶିର ହୁଇ, କୃଷକ ସଭା ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ଚାଷୀ ଏକତା ମଞ୍ଚ ନେତା ଅରୁଣ ଜେନା, ଚାଷୀ ମୂଲିଆ ନେତା ନିରଞ୍ଜନ ବେହେରା, ସତ୍ୟ ନାରାୟଣ ପାକଳ, ଷ୍ଟାଲିନ ମିଶ୍ର, ପ୍ରତାପ ସେଠୀ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନର ଦୃଢ ସମାଲୋଚନା କରିଥିଲେ। ଏହା କୃଷକଙ୍କ ସ୍ୱାଥ ବିରୋଧୀ ହୋଇଥିବା ବେଳେ ଏହାର ପ୍ରତ୍ୟାହାର ପାଇଁ ଦୀର୍ଘ ୪୮ ଦିନ ଧରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନରେ ୬୦ରୁ ଉର୍ଦ୍ଧ୍ୱ ଚାଷୀ ମୃତ୍ୟୁବରଣ କରିଥିବା ସତ୍ତ୍ୱେ କର୍ଣ୍ଣପାତ ନ କରିବା କେନ୍ଦ୍ର ସରକାରଙ୍କ ଚାଷୀ ଦମନକାରୀ ନୀତିକୁ ପ୍ରମାଣିତ କରିଛି। ଚାଷୀ ଏକତାକୁ ଭାଙ୍ଗିବା ପାଇଁ ଏକାଧିକଥର ଆଲୋଚନା ହୋଇଥିଲେ ମଧ୍ୟ ସରକାର ଆଦାନୀ ଆମ୍ବାନୀ ଭଳି କମ୍ପାନୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଚାଷୀଙ୍କୁ ଅଣଦେଖା କରି ଚାଲିଛନ୍ତି ବୋଲି ବକ୍ତାମାନେ ଆରୋପ ଉଠାଇଥିଲେ। ତୁରନ୍ତ ଚାଷୀ ବିରୋଧୀ କଳା କୃଷି ଆଇନ ପ୍ରତ୍ୟାହାର ସହ ଚାଷୀମାନଙ୍କ ଋଣ ଛାଡ, ଧାନ କ୍ୟୁଣ୍ଟାଲ ପିଛା ହଜାରେ ଟଙ୍କା ବୋନସ ପ୍ରଦାନ, ବିଦ୍ୟୁତ ଗ୍ରାହକଙ୍କୁ ସଠିକ ସେବା ପ୍ରଦାନ ପ୍ରଭୃତି ପାଇଁ ସେମାନେ ଦାବି କରିଥିଲେ। ଏହି ଅବସରରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ରେମୁଣା ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ବିକାଶ ଦାସ, ବିଧାନ ରାୟ, ପ୍ରଶନ୍ନ ଷଡଙ୍ଗୀ, ତାପସୀ ପ୍ରହରାଜ, ଯତୀନ ପାତ୍ର, ବୈକୁଣ୍ଠ ସାହୁ, ସୁଦର୍ଶନ ବେହେରା, ଅକ୍ଷୟ ରଣା, ପ୍ରତାପ ବାରିକ, ସିକନ୍ଦର ଖାଁ ପ୍ରମୁଖ ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।