Odiapua.com

ନୂତନ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରି ମୋହନ ସୁନ୍ଦର ଦାରିଦ୍ର୍ୟକୁ ବରଣ କରିଥିଲେ

ଭୁବନେଶ୍ୱର, ୮ା୮ (ଓଡ଼ିଆ ପୁଅ) : ଓଡ଼ିଶାରେ ରାସ, ସୁଆଙ୍ଗ, ସଂଗୀତ, ନାଟକ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଂଗୀତ ଓ ରଙ୍ଗମଞ୍ଚକୁ ବିକଶିତ କରିବା ସହ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ର ନିର୍ମାତା, ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ୧୩୦ତମ ଜୟନ୍ତୀ ଆଜି ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଲେଲିନ୍ ମହାନ୍ତି, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ସତ୍ୟବ୍ରତ ଜେନା, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ୍ ସାହୁ, ଉମାନାଥ ମିଶ୍ର, ରମାନାଥ ସାମନ୍ତରାୟ, ରଶ୍ମିତା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ସଂଗୀତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବକ୍ତାମାନେ ନିଜ ବକ୍ତବ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ଲୋକକଳାର ବିକାଶ ପାଇଁ ଉଦ୍ୟମ କରି ରାସ, ସୁଆଙ୍ଗ, ରଙ୍ଗମଞ୍ଚ, ନୃତ୍ୟ, ସଂଗୀତ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ମୋହନ ସୁନ୍ଦର ଦେବଗୋସ୍ୱାମୀ ତାଙ୍କ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ନିର୍ମାଣ କରି ଏଥିରେ ଅଭିନୟ କରିବା ସହ ନିର୍ଦ୍ଦେଶନା, ପ୍ରଯୋଜନା ଓ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଏହି ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ତାଙ୍କ ସମ୍ପତ୍ତି ବିକି ଓ କରିଥିବା କରଜ ସୁଝିବାକୁ ସେ ଦାରିଦ୍ର୍ୟହର ତାଡନାରେ ଜର୍ଜରିତ ହୋଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।