Odiapua.com

ନୂଆ ରୂପରେଖ ନେବ ଆଖଣ୍ଡଳମଣି ପୀଠ, ୨ୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ, ସୋମବାର ଠାରୁ ଜମି ଅଧିଗ୍ରହଣ ଆରମ୍ଭ, ଖର୍ଚ୍ଚ ହେବ ୪୨ କୋଟି

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ନୂଆ ରୂପରେଖ ନେଇ ଝଲସି ଉଠିବ ଓଡ଼ିଶା ପ୍ରସିଦ୍ଧ ବାବା ଆଖଣ୍ଡଳମଣି ଶୈବପୀଠ । ଏଥିପାଇଁ ରାଜ୍ୟ ସରକାର ଯୋଗାଇଦେଇଛନ୍ତି ୪୨ କୋଟି ଟଙ୍କା । ଏହି ଅର୍ଥ ମଂଜୁର ହେବା ପରେ ପୀଠରେ ଆରମ୍ଭ ହୋଇଛି ୨ୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟ । ଏଥିସହ ବିସ୍ଥାପିତ ହେବାକୁ ଥିବା ୧୦୩ ପରିବାରଙ୍କୁ ଆଜି (ଶନିବାର) ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଭେଟିବା ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଶିବ ପ୍ଲାଜା, ଗାଡି ପାର୍କିଂ, ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ୨ୟ ପର୍ଯ୍ୟାୟ କାର୍ଯ୍ୟ ଜିଲାପାଳ ଶ୍ରୀ ବୋନ୍ଦର ଓ ବିଭାଗୀୟ ଅଧିକାରୀଙ୍କ ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୁଲି ସମୀକ୍ଷା କରିଥିଲେ । ଅନୁରୂପ ୬ କୋଟି ଟଙ୍କାରେ ମନ୍ଦିର ଭିତରେ ଚାଲିଥିବା ୧ମ ପର୍ଯ୍ୟାୟ କାର୍ଯ୍ୟ ପୂର୍ଣ୍ଣ ରୂପରେଖ ନେଇଥିବାର ଦେଖିବା ସହ ବାକିଥିବା ସିଂହଦ୍ୱାର କାର୍ଯ୍ୟ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ସଂପୂର୍ଣ୍ଣ କରବିାକୁ ପରାମର୍ଶ ଦେଇଥିଲେ ଜିଲାପାଳ ଶ୍ରୀ ବୋନ୍ଦର ।

ପୀଠର ସଂପ୍ରସାରଣ ପାଇଁ ମନ୍ଦିର ଓ ପୁଷ୍କରିଣୀ ଚତୁଃପାଶ୍ୱର୍ର ୨୦ ମିଟିର ପରିଧି ମଧ୍ୟରେ ବିସ୍ତାପିତ ହେଉଥିବା ୧୦୩ ପରିବାରଙ୍କ ସହ ଆଲୋଚନା କରାଯାଇ ସୋମବାରରୁ ଜମି ଅଧିଗ୍ରହଣ କରାଯିବା ପାଇଁ ଚାନ୍ଦବାଲି ତହସିଲଦାରଙ୍କୁ ସୂଚାଇଥିଲେ । ବିସ୍ଥାପିତ ହେଉଥିବା ପରିବାରଙ୍କୁ ସ୍ୱତନ୍ତ୍ର ପ୍ୟାକେଜ୍ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଏପରିକି ଜମି ବଦଳରେ ଜମି, ଘର ଉପଯୋଗୀ ନିମନ୍ତେ ଆଲୋକ, ପାଣି, ରାସ୍ତା ଆଦି ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ବୋନ୍ଦର ସୂଚନା କହିଛନ୍ତି । ଜିଲାପାଳଙ୍କ ଆଜି ସମୀକ୍ଷା କାଳରେ ଚାନ୍ଦବାଲି ବିଡିଓ ଅସିତ୍ କୁମାର ମହାନ୍ତି, ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ, କାର୍ଯ୍ୟଭାର ନେଇଥିବା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅତିରିକ୍ତ ଅଧିକାରୀ ଇଂ ଅମ୍ବିକା ସ୍ୱାଇଁ, ଆରଡି ଆର.ଆଇ. ଦେବାଶିଷ ରାୟ, ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ, ସେବାୟତ ଅରବିନ୍ଦ ପାଢୀ, ଗଦାଧର ପାଢୀ ଓ ଟ୍ରଷ୍ଟ ସଭ୍ୟ ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।