କେନ୍ଦ୍ରାପଡ଼ା, ୫-୨ (ଓଡ଼ିଆ ପୁଅ) : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର ଶୁକ୍ରବାର କେନ୍ଦ୍ରାପଡା ଗସ୍ତରେ ଆସି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସିଡିଏମଓଙ୍କୁ ନିର୍ଦେଶ ଦେଇଥିଲେ ତୁରନ୍ତ ଯେପରି ରୋଗୀସେବା ଶ୍ୟାମଗୁଡିଆସ୍ଥିତ ନୂଆ ଡାକ୍ତରଖାନାକୁ ସ୍ଥାନାନ୍ତର ହେବ। ସ୍ୱାସ୍ଥ୍ୟ ନିର୍ଦେଶକ କହିଥିଲେ ଯେ ପ୍ରଥମେ ମାତ୍ତୃ ଓ ଶିଶୁ ଚିକିତ୍ସା ବିଭାଗକୁ ସେଠାକୁ ସ୍ଥାନାନ୍ତର କରାଯିବ। ଏନେଇ ଯେଉଁସବୁ ଭିତ୍ତିଭୂମୀ ଓ ସରଞ୍ଜାମର ଆବଶ୍ୟକତା ରହିଛି ତାହା ପୁରଣ କରାଯିବ। ଫଳରେ ସେଠାରେ ମା ଓ ଶିଶୁମାନେ ଉତ୍ତମ ଚିକିତ୍ସା ପାଇପାରିବେ। ଏହାପରେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ଚିକିତ୍ସା ବିଭାଗକୁ ସେଠାକୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବ। କିନ୍ତୁ ଏଠାରେ ସିଡିଏମଓଙ୍କ କାର୍ଯ୍ୟାଳୟ ସହିତ ଏ.ଏନ.ଏମ.ମାନଙ୍କ ତାଲିମ କେନ୍ଦ୍ର ମଧ୍ୟ ରହିବ। ମୋଟାମୋଟି ଭାବେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ନୂଆ ଡାକ୍ତରଖାନାରେ ଉପଲବ୍ଧ ହେବ। ପୁରୁଣା ଡାକ୍ତରଖାନା ପରିସରରେ କେବଳ ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ କାର୍ଯ୍ୟାଳୟ ଚାଲିବ। ଏନେଇ ସିଡିଏମଓ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକଙ୍କୁ ଅବଗତ କରାଇଥିଲେ। ସ୍ୱାସ୍ଥ୍ୟ ନିର୍ଦେଶକ ସିଡିଏମଓଙ୍କ ସହ ଆଲୋଚନା କରିବା ପରେ ଶ୍ୟାମଗୁଡିଆସ୍ଥିତ ନୂଆ ଡାକ୍ତରଖାନାକୁ ପରିଦର୍ଶନ କରିଥିଲେ। ସେଠାରେ କେଉଁସବୁ ସରଞ୍ଜାମର ଆବଶ୍ୟକତା ରହିଛି ସେନେଇ ସିଡିଏମଓଙ୍କ ସହ ସେ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ଏହି ଗସ୍ତକୁ ନେଇ ନୂଆ ଡାକ୍ତରଖାନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି।