Odiapua.com

ନୂଆ ଭାରତ ନୂଆ କଶ୍ମୀର

ନୂଆଦିଲ୍ଲୀ, ୫/୦୮ (ଓଡ଼ିଆ ପୁଅ): ଜାମ୍ମୁ କାଶ୍ମୀରରେ ସପ୍ତାହେ ଧରି ଠୁଳ ହୋଇଚାଲିଥିବା ଅଧିକସୁରକ୍ଷା ବାହିନୀ ପଛର କାରଣର ଆଜି ସ୍ପଷ୍ଟ ହୋଇଯାଇଛି। ଗୃହମନ୍ତ୍ରୀ ଅମିତ ଶାହା ଆଜି ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁ କାଶ୍ମୀରକୁ ଭାଗ ଭାଗ କରି ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବା ପରେ ଦେଶର ରାଜନୀତିରେ ବିରାଟ ଭୂକମ୍ପ ସୃଷ୍ଟି ହୋଇଛି। ଏହି ଐତିହାସିକ ଘୋଷଣା ପରେ ଆଜି ଇତିହାସ ରେ ଯୋଡି ହୋଇଯାଇଛି ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ। ଜମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଐତିହାସିକ ନିଷ୍ପତି ନେଇଛନ୍ତି। ସ୍ବାଧୀନତାର ଦୁଇବର୍ଷ ପରେ ୧୭ ଅକ୍ଟୋବର ୧୯୪୯ରେ ଲାଗୁ ହୋଇଥିବା ଧାରା ୩୭୦କୁ ଆଜି ଉଚ୍ଛେଦ କରାଯାଇଛି। ଦେଶ ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ବିତି ଯିବା ପରେ ଜମ୍ମୁ-କାଶ୍ମୀରରୁ ଆଜି ଧାରା ୩୭୦ ଓ ୩୫(-ଏ) କୁ ହଟାଯାଇଛି। ଲଦାଖକୁ ଜମ୍ମୁ-କାଶ୍ମୀର ଠାରୁ ଅଲଗା କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହରାଇବା ସହ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ଘୋଷଣା କରାଯାଇଛି।

୩୭୦ ଧାରା କଣ ?

ପ୍ରଥମେ ଭାରତରେ ଜମ୍ମୁ-କାଶ୍ମୀରର ତତ୍କାଳୀନ ମହାରାଜା ହରି ସିଂହ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଭେଟିଥିଲେ। ସେତେବେଳେ ଭାରତ ସହ ଜମ୍ମୁ-କାଶ୍ମୀରର ରାଜନୈତିକ ସମ୍ବନ୍ଧ କିଭଳି ରହିବ ସେନେଇ ଆଲୋଚନା କରିଥିଲେ। ଆଲୋଚନା ହେବା ପରେ ଭାରତୀୟ ସମ୍ବିଧାନରେ ଧାରା ୩୭୦ ଯୋଡି ହୋଇଥିଲା। ଯାହା ଫଳରେ ଧାରା ୩୭୦ କାଶ୍ମୀରକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରି ଆସୁଥିଲା। ଧାରା ୩୭୦ ଅନୁଯାୟୀ ଭାରତ ସରକାର କେବଳ କାଶ୍ମୀରର ପ୍ରତିରକ୍ଷା, ବିଦେଶ ନୀତି ଓ ଦୂର ସଂଚାର କ୍ଷେତ୍ରରେ ଆଇନ ଆଣିପାରିବାର ପ୍ରାବଧାନ ଥିଲା। ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟାପାରରେ ଆଇନ ଲାଗୁ କରିପାରିବେ ନାହିଁ ବୋଲି ସର୍ତ୍ତ ଥିଲା। ଅନ୍ୟ କ୍ଷେତ୍ର ରେ ହସ୍ତକ୍ଷେପ କରିବାକୁ ହେଲେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ନିକଟରୁ ଅନୁମତି ନେବାକୁ ପଡୁଥିଲା।

ଧାରା ୩୭୦ ଲାଗୁ ଥିବା ବେଳେ ଜମ୍ମୁ-କାଶ୍ମୀରବାସୀଙ୍କ ପାଖରେ ଭାରତ ସମେତ କାଶ୍ମୀର ନାଗରିକତା ରହୁଥିଲା

ଜମ୍ମୁ-କାଶ୍ମୀରର କୌଣସି ମହିଳା ଯଦି ଅନ୍ୟ କୌଣସି ରାଜ୍ୟର ପୁରୁଷଙ୍କୁ ବିବାହ କରୁଥିଲେ ତେବେ ସେହି ମହିଳାଙ୍କର ଜମ୍ମୁ-କାଶ୍ମୀର ନାଗରିକତା ସମାପ୍ତ କରାଯାଉଥିଲା।

ଯଦି ଜମ୍ମୁ-କାଶ୍ମୀରର ମହିଳା ପାକିସ୍ତାନର ଯୁବକଙ୍କୁ ବିବାହ କରନ୍ତି, ତେବେ ତାଙ୍କ ସ୍ୱାମୀଙ୍କୁ ଜମ୍ମୁ-କାଶ୍ମୀରର ନାଗରିକତା ମିଳୁଥିଲା

ଧାରା ୩୭୦ କାରଣରୁ କାଶ୍ମୀରରେ ରହୁଥିବା ପାକିସ୍ତାନୀଙ୍କୁ ଭାରତୀୟ ନାଗରିକତା ମଧ୍ୟ ମିଳୁଥିଲା

ଏଠାରେ ଭାରତର ସର୍ବୋଚ୍ଚ ଅଦାଲତର ରାୟକୁ ଗ୍ରହଣ କରାଯାଏ ନାହିଁ। ଏପରିକି ଏଠାରେ ଭାରତର ରାଷ୍ଟ୍ରୀୟ ଧ୍ୱଜକୁ ଅପମାନ କଲେ ମଧ୍ୟ ଏହାକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ।

ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକା ରହିଛି

ଜମ୍ମୁ-କାଶ୍ମୀରରେ ରାଜ୍ୟ ବାହାରର ଲୋକ ଜମି କିଣିପାରିବେ ନାହିଁ

କାଶ୍ମୀରରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ଓ ଶିଖଙ୍କୁ ସଂରକ୍ଷଣ ମିଳିନଥାଏ

ଜମ୍ମୁ-କାଶ୍ମୀରରେ ଆରଟିଆଇ ନିୟମ ଲାଗୁ ହୁଏ ନାହିଁ

ଜମ୍ମୁ-କାଶ୍ମୀରରେ ପଞ୍ଚାୟତ ପାଖରେ କୌଣସି ଅଧିକାର ନଥାଏ

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜମ୍ମୁ-କାଶ୍ମୀର ପାଇଁ କେନ୍ଦ୍ର ସରକାରଙ୍କୁ ଆଇନ ଆଣିବାକୁ ପଡିଥାଏ

ରାଜ୍ୟମାନ୍ୟତା ହରାଇବା ପରେ

ପୂର୍ବରୁ ଧାରା ୩୭୦ ଲାଗୁଥିଲା, ଏବେ ଧାରା ୩୭୦ର ଏକ ଅଂଶ ଲାଗୁ ହେବ।

ସବୁଠାରୁ ବଡ କଥା ହେଉଛି ଏହା ଦ୍ୱାରା ଏବେ କାଶ୍ମିରୀରେ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ମଧ୍ୟ ରୋକ ଲଗାଯାଇପାରିବ।

ପୂର୍ବରୁ ଦୁଇଟି ନାଗରିକତା ମିଳୁଥିବା ବେଳେ ଏବେ କେବଳ ଭାରତର ନାଗରିକତା ମିଳିବ।

ପୂର୍ବରୁ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପତାକା ରହୁଥିବା ବେଳେ ଏବେ ଜମ୍ମୁ-କାଶ୍ମୀରରେ କେବଳ ତ୍ରିରଙ୍ଗା ପତାକା ରହିବ। ଏପରିକି ତ୍ରିରଙ୍ଗାକୁ ଅପମାନ କଲେ ଆଉ ମିଳିବନି ତ୍ରାହି।

ପୂର୍ବରୁ ଏଠାକାର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ରହିଥିବା ବେଳେ ଏବେ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ-କାଶ୍ମୀରର ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ ରହିବ।

ପୂର୍ବରୁ ବାହାର ଲୋକ ସମ୍ପତି କ୍ରୟ କରିପାରୁନଥିବା ବେଳେ ଏବେ ଏହି ଧାରା ୩୭୦ର ଉଚ୍ଛେଦ ପରେ ବାହାର ଲୋକ ମଧ୍ୟ ସମ୍ପତି କିଣିପାରିବେ।

ପୂର୍ବରୁ ଏଠାରେ ଆରପିସି ଲାଗୁ ହେଉଥିବା ବେଳେ ଏବେ ଭାରତୀୟ ସମ୍ବିଧାନ ଅନୁଯାୟୀ ଆଇପିସି ଲାଗୁ ହେବ।

ସବୁଠୁ ବଡ କଥା ହେଉଛି, ଧାରା ୩୭୦ ଉଚ୍ଛେଦ ହେବା ପରେ ଯେ କୌଣସି ଦଳ ସରକାରରେ ରହିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ କ୍ଷମତା ଉପ-ରାଜ୍ୟପାଳଙ୍କ ନିକଟରେ ରହିବ।

ଧାରା ୩୭୦ ଉଚ୍ଛେଦ ପରେ ଏଠାରେ ଆରଟିଆଇ ନିୟମ ଲାଗୁ କରାଯାଇପାରିବ।

ଭାରତର ସର୍ବୋଚ୍ଚ ନ୍ୟାୟାଳୟର ରାୟ ଏଠାରେ ଲାଗୁ ହେବ।