Odiapua.com

ନୂଆ ଜିଲ୍ଲାପାଳଙ୍କ ପ୍ରଥମ ଜନଶୁଣାଣି ଶିବିର, ୪ଜଣଙ୍କ ଚିକିତ୍ସା ପାଇଁ ୫୫ ହଜାର ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର

ଭଦ୍ରକ, ୨୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ମାସର ସମସ୍ତ ସୋମବାରରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ୧୯ ତାରିଖ ସୋମବାର ସରକାରୀ ଛୁଟି ଦିବସ ଥିବାରୁ ୨୦ ତାରିଖ ମଙ୍ଗଳବାର ଦିନ ଧାମନଗର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲପାଳ ଦିଲୀପ ରାଉତରାଏ ଓ ଏସ୍‌.ପି. ବରୁଣ ଗୁଂଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୦୭ ଜଣଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ସେଥିମଧ୍ୟରେ ୯୬ଟି ବ୍ୟକ୍ତିଗତ ସମସ୍ୟା ଓ ୧୧ଟି ସାମୂହିକ ସମସ୍ୟା ଭିତିକ ଅଭିଯୋଗ ଥିଲା । ତନ୍ମଧ୍ୟରେ ୪ଜଣ ଆବେଦନକାରୀଙ୍କୁ ବୃହତର ଚିକିତ୍ସା ନିମନ୍ତେ ରେଡ଼କ୍ରସ୍ ପାଣ୍ଠିରୁ ସମୁଦାୟ ୫୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ସେମାନଙ୍କ ମଧ୍ୟରେ ଧାମନଗର ବ୍ଲକ୍‌ର ଏଲେଞ୍ଜରା ଗ୍ରାମର ପାକ୍ଷାଘାତ ରୋଗୀ ନିରୁପମା ସାହୁଙ୍କୁ ୫ ହଜାର, ଧାମନଗରର ଫତେପୁର ଗ୍ରାମର ପ୍ରତାପ ରାଉତଙ୍କୁ ଚିକିତ୍ସା ପାଇଁ ୧୫ ହଜାର ଟଙ୍କା, ଧାମନଗର ବ୍ଲକ୍ ଧୁଷୁରୀ ଗ୍ରାମ ପଂଚାୟତର ବ୍ରାହ୍ମଣୀପାଳ ଗ୍ରାମର ପରମାନନ୍ଦ ପଣ୍ଡାଙ୍କୁ ପିଲାର ଚିକିତ୍ସା ପାଇଁ ୨୫ ହଜାର ଟଙ୍କା, ଧାମନଗର ବ୍ଲକ୍ ର ଡ଼ାଙ୍ଗୁଆ ପାଟଣା ଗ୍ରାମର ରମାକାନ୍ତ ବେହେରାଙ୍କୁ କ୍ୟାନସର ରୋଗର ଅଧିକ ଚିକିତ୍ସା ନିମନ୍ତେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତରାଏ ମଞ୍ଜୁର କରିଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ୧ଜଣଙ୍କୁ ହି୍ୱଲ ଚେୟାର, ୩ ଜଣଙ୍କୁ ବସ୍ ପାସ୍ ଓ ୧ ଜଣଙ୍କୁ ଆଶାବାଡ଼ି ଜିଲ୍ଲାପାଳ ପ୍ରଦାନ କରିଥିଲେ । ବାର୍ଦ୍ଧକ୍ୟ ଭତା, ଦିବ୍ୟାଙ୍ଗ ଭତା, ରାସ୍ତା ମରାମତି, ରେସନ୍ କାର୍ଡ଼, ୫-ଟି ସ୍କୁଲ ନିର୍ମାଣ କାର୍ଯ୍ୟରେ ବିଲ୍ ନମିଳିବା ଆଦି ଭଳି ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ବିଧି ଅନୁଯାୟୀ ସୀମିତ ସମୟ ମଧ୍ୟରେ ସମାଧାନ ପାଇଁ ଜିଲ୍ଲାପାଳ, ଶିବିରରେ ଉପସ୍ଥିତ ଜିଲ୍ଲାସ୍ତରୀୟ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ ବେହେରା, ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ଓ ଧାମନଗର ଏନ୍‌.ଏ.ସି. ଅଧ୍ୟକ୍ଷା ନିବେଦିତା ଜେନା, ଧାମନଗର ତହସିଲଦାର ଦୀପକ ଦାସ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଧାମନଗର ବି.ଡ଼ି.ଓ ବନ ବିହାରୀ ଦିଣ୍ଡା ଏହି ଶିବିର ଆୟୋଜନର ଦାୟିତ୍ୱ ନିର୍ବାହ କରିଥିଲେ ।