Odiapua.com

ନୂଆ ଜିଲା କୋର୍ଟ ସ୍ଥାନାନ୍ତରରେ ପୁଣି ବାଧକ, ମାସକ ମଧ୍ୟରେ ସଠିକ୍ ତଥ୍ୟ ଦେବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରିବେଶ ପ୍ରଦୂଷଣ ଓ କପାଳୀ ନଦୀ ବନ୍ୟା ବିବାଦ ଘେରରେ ଥିବା ନୂଆ ଜିଲା ଜଜ୍ କୋର୍ଟ ବିଲ୍‌ଡିଂ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟିବ୍ୟୁନାଲ (ଏନ୍‌ଜିଟି) କଡା ତାଗିଦ କରିଛନ୍ତି । ଜିଲା ଜଜ୍ କୋର୍ଟ ନୂଆ ବିଲ୍‌ଡିଂକୁ ସ୍ଥାନାନ୍ତର ହେବାରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ସରକାରଙ୍କ ପକ୍ଷରୁ ଏକ ନୂଆ ଜଜ୍ କୋର୍ଟ ବିଲ୍‌ଡିଂ ଭଦ୍ରକ ସହର ଠାରୁ ୬ କିଲୋମିଟର ଦୂର ନଳାଙ୍ଗ ଠାରେ ପାଖାପାଖି ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚ ସାରିଛି । ଜିଲା ଜଜ୍ କୋର୍ଟ ଏବେ ଏହି ନୂଆ ବିଲ୍‌ଡିଂକୁ ସ୍ଥାନାନ୍ତର ପାଇଁ ସଜବାଜ ହେଉଥିବାବେଳେ ଗତ ୨ ତାରିଖରେ ଜାତୀୟ ଗ୍ର୍ରୀନ୍ ଟିବ୍ୟୁନାଲ (ଏନ୍‌ଜିଟି) ଙ୍କ ପୁଣି ଏକ ନିର୍ଦ୍ଦେଶ ନାମା ସ୍ଥାନାନ୍ତରରେ ବାଧକ ସାଜିଛି । ନୂଆ ବିଲ୍‌ଡିଂଟି କପାଳୀ ନଦୀ ତଟବର୍ତ୍ତୀ ଅଂଚଳରେ ଅବସ୍ଥାପିତ ହୋଇଥିବାରୁ ସ୍ୱାଭାବିକ ବନ୍ୟାଜଳ ନିଷ୍କାସନରେ ବାଧା ସୃଷ୍ଟି କରିପାରେ ବୋଲି ଅଭିଯୋଗ କରି ଗୋପବନ୍ଧୁ ନଗଦ ଗାଁର ଜଣେ ସ୍ୱେଚ୍ଛାସେବୀ ମହିଳା କଳ୍ପନା ମଲିକ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଆବେଦନକୁ ମାନ୍ୟବର ଏନ୍‌ଜିଟି ଗ୍ରହଣ କରି ଓ.ଏ. ନଂ ୫୭୨/୧୬ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାଟିର ବିଚାର କରି ଏନ୍‌ଜିଟି ଭଦ୍ରକ ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ବନ୍ୟା ନିୟନ୍ତ୍ରଣ ପାଇଁ କପାଳୀ ନଦୀଠାରୁ ୭୫ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ନିର୍ମାଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଅବମାନନା କରି ପ୍ରଶାସନ କୋର୍ଟ ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ଜାରି ରଖିବାରୁ ଶ୍ରୀମତୀ ମଲ୍ଲିକ ପୁଣି ଟିମ୍ୟୁନାଲ ଇ.ଏ. ନଂ ୩୩/୨୦୧୯ ଏକ ଡିଗ୍ରୀଜାରୀ ମାମଲା ରୁଜୁ କରିଥିଲେ । ଏହି ଆବେଦନକୁ ବିଚାର କରି ଗତ ତା ୧୬.୧୨.୧୯ ରିଖରେ କପାଳୀ ନଦୀର ବନ୍ୟା ଜଳ ପ୍ରବାହର ଅବବାହିକା ଅଂଚଳକୁ ମାପ କରି ୨ ମାସ ମଧ୍ୟରେ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ହୋଇନାହିଁ କିମ୍ବା ନିର୍ମାଣ ଦ୍ୱାରା ବନ୍ୟା ଜଳ ପ୍ରବାହରେ କୌଣସି ବାଧାସୃଷ୍ଟି ହେବନାହିଁ ବୋଲି ଏକ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ଗତ ତା ୧୫.୦୯.୨୦ ରିଖରୁ ନିର୍ଦ୍ଦେଶ ଦେଇଥିଲେ ।

ପରବର୍ତ୍ତୀ ସମୟରେ ସଚିବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜିଲାପାଳଙ୍କୁ ନେଇ ଗଠିତ ଏକ ଯୁଗ୍ମ କମିଟି ଗତ ତା ୧୫.୧୨.୨୦ ରିଖରେ ଏକ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟରେ ଡ୍ରେନେଜ୍ ବିଭାଗ ଦ୍ୱାରା କପାଳୀ ନଦୀର ବାମ ପାଶ୍ୱର୍ରେ ଗୋଟିଏ ସ୍ଲୋପ ପେକିଂ କରି ଏକ କମ୍ପାଉଡ୍ ୱାଲ ନିର୍ମାଣ କରାଯାଇଛି । ଫଳରେ ବନ୍ୟା ଜଳରେ ତଟ ଲଙ୍ଘିପାରିବ ନାହିଁ । ସେହିପରି ପୂର୍ତ୍ତ ବିଭାଗ ଦ୍ୱାରା ଆବଶ୍ୟକ ସୁରକ୍ଷା ପଦକ୍ଷେପ ସ୍ୱରୂପ କମ୍ପାଉଡ୍ ୱାଲ୍ ଠାରୁ ଗ୍ରାଉଣ୍ଡ ଲେବୁଲ ପର୍ଯ୍ୟନ୍ତ (କୋର୍ଟ ପରିସର) ଏକ ୱାଲ୍ ନିର୍ମାଣ କରାଯାଇଛି । ଯାହାଫଳରେ କୋର୍ଟ ବିଲଡିଂ ବନ୍ୟା ଦାଉରୁ ସଂପୂର୍ଣ୍ଣ ସୁରକ୍ଷିତ ହୋଇରହିବ । ଅନ୍ୟପକ୍ଷରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟଦ୍ୱାରା ପୋତି ହେଉଥିବା ଡ୍ରେନ୍‌କୁ ସଫା କରାଯିବା ଫଳରେ କୋର୍ଟ ବିଲ୍‌ଡିଂ ସମ୍ମୁଖରେ ଜଳ ଅବରୋଧ ସମସ୍ୟା ଦେଖାଯିବ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ଏହିସବୁ ପଦକ୍ଷେପ ନିଆଯିବା ଫଳରେ ବନ୍ୟା ଆଶଙ୍କା ରହିବ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ଆବେଦନକାରୀ ଶ୍ରୀମତୀ ମଲ୍ଲିକ ସରକାରଙ୍କ ଏହି ରିପୋର୍ଟ ଏନ୍‌ଜିଟିକୁ ବାଟବଣା କରାଇଛି ବୋଲି ଅଭିଯୋଗ କରି ଦର୍ଶାଇଥିଲେ ଯେ ଅଦ୍ୟାବଧି ବନ୍ୟା ପ୍ଲାବିତ ଅଂଚଳ ଗୁଡିକ ଚିହ୍ନଟ କରିନାହାଁନ୍ତି କି ମାପଚୁପ କରିନାହାଁନ୍ତି । ଅନ୍ୟପକ୍ଷରେ ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ପ୍ଲାନ୍ ହୋଇନି । ଏଣୁ ମାନ୍ୟବର ଟ୍ରିବ୍ୟୁନାଲ ଗତ ଫେବୃୟାରୀ ୨ ତାରିଖରେ ଶ୍ରୀମତୀ ମଲ୍ଲିକଙ୍କ ଆବେଦନରେ ଶୁଣାଣି କରି ଅଭିଯୋଗ ସଂପର୍କିତ ସଠିକ୍ ତଥ୍ୟ ଏକମାସ ମଧ୍ୟରେ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବ୍ୟତିକ୍ରମ ଘଟିଲେ କଠୋର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜଳ ସଂପଦ ବିଭାଗ ସଚିବଙ୍କୁ ବ୍ୟକ୍ତିଗତ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ଟ୍ରିବ୍ୟୁନାଲ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ତା ୦୯.୦୪.୨୦୨୧ ରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।