Odiapua.com

ନୂଆ ଜିଲାପାଳଙ୍କ ଜନଶୁଣାଣିରେ ଲୋକଙ୍କ ଖୁସି ପ୍ରକଟ

ନୟାଗଡ଼, ୨୦ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାର ନୂଆ ଜିଲାପାଳ ଡ.ପୋମା ଟୁଡୁ ରଣପୁରର ବ୍ଳକ ପରିସରରେ ପ୍ରଥମ ଜନଶୁଣାଣି କରିଛନ୍ତି। ବିଡିଓ ରଶ୍ମିରେଖା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ସୁବାସ ରାୟ, ଜିଲା ଆରକ୍ଷୀ ଅଧିକ୍ଷକ ଶଶି ଭୂଷଣ ଶତପଥୀ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ବ୍ଳକ ଅଧ୍ୟକ୍ଷା ନିରୂପମା ପ୍ରଧାନ, ତହସିଲଦାର ସୁଶାନ୍ତ କୁମାର ପତି ଓ ରଣପୁର ଏନଏସି ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। ନୂଆ ଜିଲାପାଳଙ୍କୁ ନିଜ ନିଜର ଗୁହାରୀ ଶୁଣାଇବାକୁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଜିଲାପାଳ ମଧ୍ୟ ଲୋକମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମସ୍ୟା ସମାଧାନ କରୁଥିବାରୁ ଲୋକମାନେ ଖୁସି ପ୍ରକଟ କରୁଥିବା ଦେଖିବାକୁ ମିଳୁଥିଲା। ଏହି ଅଭିଯୋଗ ଶିବିରରେ ୯୫ଜଣ ବ୍ୟକ୍ତି ଯୋଗଦେଇ ସେମାନଙ୍କ ସମସ୍ୟା ଉପରେ ଅଭିଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ ୮୮ ଟି ବ୍ୟକ୍ତିଗତ ସମସ୍ୟା ହୋଇଥିଲାବେଳେ ୭ଟି ସାମୁହିକ ଅଭିଯୋଗ ଓ ୩ଟି ଅନ୍ୟ ଅଭିଯୋଗ ରହିଥିଲା। ଏଥିରେ ୩ଜଣ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ଲେଖାଏଁ ଚେକ୍ ଆକାରରେ ପ୍ରଦାନ କରାଯାଇଥିଲାବେଳେ ୩ଜଣ ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଥିଲା ଏବଂ ଜଣେ ଅବିବାହିତା ମହିଳାଙ୍କୁ ନୂତନଭାବେ ୫ଶହ ଟଙ୍କା ପେନସନ୍ ପ୍ରଦାନ କରାଯାଇଥିଲା।