Odiapua.com

ନୂଆ ଜାତୀୟ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷାରେ ସହାୟକ ହେବ, ବିଶିଷ୍ଟ ସମାଜବାଦୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୭ମ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆ ଜାତୀୟ ଶିକ୍ଷାନୀତି ଛାତ୍ର ସମାଜର ଗୁଣାତ୍ମକ ଓ କୁଶଳୀ ହେବା ପାଇଁ ମାର୍ଗକୁ ସୁଗମ କରିବ । ପାରମ୍ପରିକ ଶିକ୍ଷା ପଦ୍ଧତିକୁ ଏଡାଇ ସାମ୍ପ୍ରତିକ ସମୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ ସୃଷ୍ଟି ହୋଇଛି । ଏଣୁ ନୂତନ ଶିକ୍ଷାନୀତି ଆଧାରରେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଡଃ ସନ୍ତୋଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଧୈର୍ଯ୍ୟ ଓ ଶୃଙ୍ଖଳା ଛାତ୍ର ଜୀବନର ମୂଳମନ୍ତ୍ର । ଶିକ୍ଷକମାନେ ମଧ୍ୟ ନିଜର ବୃତିକୁ ବ୍ରତ ଭାବେ ଗ୍ରହଣ କରିବା ପାଇଁ କୁଳପତି ଡଃ ତ୍ରିପାଠୀ ଆହ୍ୱାନ ଦେଇଛନ୍ତି । ଆଜି ଅପରାହ୍ନରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଭିଜିତ ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୭ମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ସ୍ୱର୍ଗତଃ ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସମାଜବାଦୀ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇ ଭଦ୍ରକ ଅଧିବକ୍ତା ସଂଘର ପୂର୍ବତନ ସଭାପତି ସ୍ୱର୍ଗତଃ ସଚ୍ଚିଦାନନ୍ଦ ମହାନ୍ତିଙ୍କ କାର୍ଯ୍ୟଧାରା ଓ ଅମାୟିକ ବ୍ୟକ୍ତିତ୍ୱ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥିଲା ବୋଲି ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଏହି ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଡଃ ଶୈଳେନ୍ଦ୍ର ନାରାୟଣ ମହାପାତ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦୁର୍ଗାଶଙ୍କର ଦାସ, ସ୍ମୃତି କମିଟିର ସଭାପତି ଆଇନ୍‌ଜୀବୀ ବିଷ୍ଣୁମୋହନ ମହାପାତ୍ର ଉଦବୋଧନ ଦେଇ ‘ନୂଆ ଜାତୀୟ ଶିକ୍ଷାନୀତି ଓ ଛାତ୍ର ସମାଜର ଭବିଷ୍ୟତ’ ଶୀର୍ଷକରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମତବ୍ୟକ୍ତ କରିଥିଲେ । ସ୍ମୃତି କମିଟିର ସଂପାଦକ ଲଲାଟେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୪ ରେ ଅନୁଷ୍ଠିତ ବିଭିନ୍ନ ପରୀକ୍ଷାର ଟପ୍ପର ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତଃ ମହାନ୍ତିଙ୍କ ପତ୍ନୀ ଝରଣା ପଟ୍ଟନାୟକ, ଇଂ ଅଖିଳ ପାଢୀ, ବିଜୟ କୁମାର ସାହୁ, ଡଃ ଶଶଧର ଦାସ, ଡଃ ସୁବୋଧ ମିଶ୍ର ପ୍ରମୁଖ ଯୋଗ ଦେଇଥିଳେ । ପୁତ୍ର ଜ୍ୟୋତିପ୍ରକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।