Odiapua.com

ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତବାସୀଙ୍କ ଧାରଣା

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ନୂଆଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ସରପଞ୍ଚ ସୁନିତା ମହାପାତ୍ରଙ୍କ ସ୍ୱାମୀ ଠିକାଦାର ସୁଶାନ୍ତ ମହାପାତ୍ର ସିସିଟିଭି କ୍ୟାମେରା ଲଗାଇ ମହିଳାମାନଙ୍କ ଛବି ସରପଞ୍ଚଙ୍କ ବ୍ୟକ୍ତିଗତ ରୁମ୍‌ରେ କଏଦ କରୁଛନ୍ତି । ତେବେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଗ୍ରାମ ପଂଚାୟତସ୍ତରୀୟ ମହିଳା ମହାସଂଘରେ କୌଣସି ରିଲୋଲ୍ୟୁସନ ହୋଇନଥିବାବେଳେ ବେଆଇନ୍ ଭାବେ ସରପଞ୍ଚ ଓ ତାଙ୍କ ଠିକାଦାର ସ୍ୱାମୀ ତାହା ଲଗାଇଛନ୍ତି । ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ମହିଳାମାନେ କାର୍ଯ୍ୟ କରି ଥକ୍କାରେ ଆସି ନିଜ ଶାଢୀ କାନିରେ ବିଞ୍ôଚ ହେଉଥିବାର ଦୃଶ୍ୟ ଭଳି ଅନେକ ମହିଳାଙ୍କ ବ୍ୟକ୍ତିଗତ ଛବି ସେହି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା ସଂପର୍କରେ ଚାନ୍ଦବାଲି ବିଡିଓଙ୍କୁ ଦାବିପତ୍ର ଦେଇ ମହିଳାମାନେ ଜଣାଇବା ପରେ ଆଜି ପଂଚାୟତବାସୀଙ୍କ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ମହିଳାଙ୍କ ସଂପର୍କରେ ଗୁଇନ୍ଦା ଗିରି ବନ୍ଦ କରିବା ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ହସ୍ତକ୍ଷେପ ନକରିବା, ସିସିଟିଭି କ୍ୟାମେରା ଲଗାଇଥିବା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ଭଳି ଦାବିରେ ପଂଚାୟତବାସୀ ଏହି ଧାରଣା ଦେଇଛନ୍ତି । ଏହି ଧାରଣାରେ ଯୁବନେତା ବିକାଶ ନାଥ, ବଳରାମ ଦାସ, ଅରୁ ବାରିକ, ସୁରେନ୍ଦ୍ର ଦାସ, ରାଜେନ୍ଦ୍ର ମୁଦୁଲି, ମହିଳା ନେତ୍ରୀ ନନ୍ଦିନୀ ମାଝୀ, କୁନିଲତା ନାୟକ, ସରୋଜିନୀ ମୁଦୁଲି, ସବିତା ମାହୁନ୍ତ, ମିନତୀ ଜେନାଙ୍କ ସମେତ ଶତାଧିକ ସାଧାରଣ ଜନତା ରହିଛନ୍ତି । ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ପଂଚାୟତବାସୀ ସୂଚନା ଦେଇଛନ୍ତି ।