Odiapua.com

ନୂଆଗାଁ ଗ୍ରାମପଞ୍ଚାୟତରେ କଣ୍ଟ୍ରୋାଲ ସାମଗ୍ରୀ ଓ ରିଲିଫ୍ ହଡପ ବିରୁଦ୍ଧରେ ବିକ୍ଷୋଭ

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସୁଥିବା ଗହମ, ଚାଉଳ, କିରୋସିନିର ବ୍ୟାପକ ହଡପ ଓ ବାତ୍ୟା ୟାସ୍ ବିପନ୍ନ ଚାନ୍ଦବାଲି ନୂଆଗାଁ ଗ୍ରାମପଞ୍ଚାୟତ ବାସୀଙ୍କ ଗୋରୁ ପାଇଁ ଆସିଥିବା ଗୋଖାଦ୍ୟ ହଡପ ବିରୁଦ୍ଧରେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ନୂଆଗାଁ ଶାଖା ପକ୍ଷରୁ ଚାନ୍ଦବାଲି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏବଂ ହରିଲୁଟକାରୀଙ୍କୁ ଗିରଫ କରାଯିବା ନେଇ ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଉଲ୍ଲିଖିତ ତଥ୍ୟ ଅନୁଯାୟୀ ନୂଆଗାଁ ଗ୍ରାମପଞ୍ଚାୟତକୁ ଆସିଥିବା ଗହମ ଓ ଚାଉଳକୁ ସ୍ଥାନୀୟ ଡିଲର ମନଇଚ୍ଛା କାଟିନେବା ସହ ପ୍ରତି କାର୍ଡ ପିଛା ୨ ଲିଟର କିରୋସିନି ଦେବା ପରିବର୍ତ୍ତେ ୧ ଲିଟର ବଣ୍ଟନ କରିଛନ୍ତି । ପ୍ରତି କାର୍ଡ ପିଛା ମାସିକ ୧ ଲିଟର କିରୋସିନି ହଡପ କରାଯାଇଛି । କିରୋସିନି ଲିଟର ବେଆଇନ୍ ଭାବେ ୪୫ ଟଙ୍କା ଲେଖାଏଁ ଆଦାୟ ହୋଇଛି । ବାତ୍ୟା ୟାସ୍‌ରେ ଏହି ପଂଚାୟତକୁ ଆସିଥିବା ଗୋଖାଦ୍ୟ ବଣ୍ଟା ନଯାଇ ସେଥିରୁ କିଛି ହଡପ ହେବା ସହ କିଛି ପଂଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ପଡି ନଷ୍ଟ ହେଉଛି । ଏଣୁ କଣ୍ଟ୍ରୋଲ ସାମଗ୍ରୀ ଓ ରିଲିଫ୍ ହଡପକାରୀଙ୍କୁ ତୁରନ୍ତ ଗିରଫ କରାଯିବାର ଦାବି ନେଇ ସ୍ଥାନୀୟ ସିପିଆଇଏମ୍‌ର କର୍ମୀମାନେ ଏକ ବାଇକ୍ ଶୋଭାଯାତ୍ରାରେ ଆସି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ଓ ଆନ୍ଦୋଳନରେ ସିପିଆଇଏମ୍‌ର ଭଦ୍ରକ ଜିଲା କମିଟି ସଦସ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ଯୁବନେତା ମାନସ ମହାଳିକ, ଚର୍ତୁଭୁଜ ବିଶ୍ୱାଳ, ଶ୍ରୀତମ ମହାଳିକ, ଶଶିକାନ୍ତ ମହାଳିକ, ମହିଳା ନେତ୍ରୀ ଅର୍ଣ୍ଣପୂର୍ଣ୍ଣା ସେଠୀ ପ୍ରମୁଖ ଯୋଗଦେଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ତେବେ ଆସନ୍ତା ୩ ତାରିଖ ଦିନ ବ୍ଲକ୍ ଯୋଗାଣ ଅଧିକାରୀ କ୍ଷେତ୍ରୀୟ ତଦନ୍ତ କରିବା ପରେ ହଡପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେବାପରେ ଏହା ପ୍ରତ୍ୟାହୃତ ହୋଇଛି । ଏହି ଆନ୍ଦୋଳନରେ ନୂଆଗାଁ ଗ୍ରାମପଂଚାୟତର ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ସିପିଆଇଏମ୍ କର୍ମୀ ସାମିଲ ହୋଇଥିଲେ ।