Odiapua.com

‘ନୂଆଁଖାଇ’ର ଶୁଭେଚ୍ଛା : ନୂଆଁଖାଇ ପରିବାର ଏବଂ ସମାଜ ଭିତରେ ସ୍ନେହ ଓ ଶ୍ରଦ୍ଧା ବଢାଇବାର ଅବସର- ଧର୍ମେନ୍ଦ୍ର ପ୍ରଧାନ

ଭିଡ଼ିଓ ବାର୍ତ୍ତା ଜରିଆରେ ‘ନୂଆଁଖାଇ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

– ଏହି ପବିତ୍ର ଦିନରେ ଭାଇଚାରା ବଢ଼ାଇବାର ସନ୍ଦେଶକୁ ବ୍ୟାପକ କରିବା
– ନୂଆଁଖାଇ ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଏବଂ ଆନନ୍ଦ ଆଣିଦେଉ

ଭୁବନେଶ୍ୱର, ସେପ୍ଟେମ୍ବର ୦୧ (ଓଡ଼ିଆ ପୁଅ) – ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଭାଷାରେ

ଏକ ଭିଡିଓ ବାର୍ତ୍ତା ଜାରୀ କରି ରାଜ୍ୟବାସୀଙ୍କୁ ଏହି ପବିତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଇ ଓ ସମସ୍ତ ଆରାଧ୍ୟା ଦେବୀଙ୍କୁ ପ୍ରଣାମ ଜଣାଇ ଭିଡିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆଁଖାଇ ହେଉଛି ପରିବାର ଏବଂ ସମାଜ ଭିତରେ ସ୍ନେହ, ଶ୍ରଦ୍ଧା ସହ ଭାଇଚାରା ବଢାଇବାର ଅବସର। ପରିବାର ମଜବୁତ୍ ହେଲେ ସମାଜ ମଜବୁତ୍ ହେବ ଏବଂ ସମାଜ ମଜବୁତ୍ ହେଲେ ଦେଶ ମଜବୁତ ହେବ ଓ ଆଗକୁ ବଢ଼ିବ। ତେଣୁ ନୂଆଁଖାଇରେ ଦେଶକୁ ମଜବୁତ୍ କରିବା ପାଇଁ ସମସ୍ତେ ସଂକଳ୍ପ କରିବା ଦରକାର। ନୂଆଁଖାଇ ଆମର ପରିଚୟ ଓ ଆମର ସଂସ୍କୃତିର ପ୍ରତୀକ। ତେଣୁ ଏହି ପବିତ୍ର ଦିବସର ଭାଇଚାରା

ବଢ଼ାଇବାର ସନ୍ଦେଶକୁ ବ୍ୟାପକ କରି ସୁନ୍ଦର ସମାଜ ତିଆରି କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏ ସମୟ ହେଉଛି ସମସ୍ତେ ମିଳିମିଶି କରି ଦେଶର ଚାଷ ଏବଂ ଚାଷୀର ଅବସ୍ଥାକୁ ମଜବୁତ୍ କରିବାର ସମୟ। ମହାପ୍ରଭୁ ଓ ଆରାଧ୍ୟା ଦେବୀ ମାଆ ମାନଙ୍କ ଶୁଭ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ। ନୂଆଁଖାଇ ସମସ୍ତଙ୍କ ଜୀବନରେ ଓ ପରିବାରରେ ଶାନ୍ତି, ସମୃଦ୍ଧି ସହ ଖୁସି ଏବଂ ଆନନ୍ଦ ଆଣିଦେଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି।