Odiapua.com

ନୂଆ ବେତୁଲିରେ ବାଘ ଆତଙ୍କ ଗ୍ରାମବାସୀ ଭୟଭୀତ

ନୟାଗଡ/୨୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ନୂଆ ବେତୁଲି ଗାଁରେ ବାଘ ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣା ପଡିଛି। ଯାହା ଫଳରେ ସ୍କୁଲ୍ ଯାଉଥିବା ପିଲାମାନେ ମଧ୍ୟ ସ୍କୁଲ୍ ଯିବା ବନ୍ଦ କରିଦେଇଥିବା ଜଣା ପଡିଛି। ଗ୍ରାମଟି ଅପହଂଚ ହୋଇ ରହିଛି। ଏହି ଗ୍ରାମରେ ୮ ଗୋଟି ପରିବାର ବାସ କରନ୍ତି। ସମୁଦାୟ ଜନ ସଂଖ୍ୟା ୩୫ ଜଣ। ଗ୍ରାମରେ ବିଦ୍ୟୁତ୍ ବ୍ୟବସ୍ଥା ଥିଲେ ମଧ୍ୟ ଟ୍ରାନ୍ସମିଟର ପୋଡିଯିବା ଯୋଗୁଁ ୩ମାସ ହେଲା ବିଦ୍ୟୁତ୍ ଜଳୁନାହିଁ। ସଂଧ୍ୟା ହେଲେ ଅନ୍ଧାରୀ ରାଜ ସାଙ୍ଗକୁ ବାଘ ଭୟ ମାଡି ଆସୁଛି। ଲୋକମାନେ ପାହାଡ ଚଢି ଯାତାୟତ କରନ୍ତି। ସ୍ୱାଧିନତାର ୭୦ ବର୍ଷ ପରେବି ଏମାନଙ୍କ ଦୁଃଖ କହିଲେ ନସରେ। ଏକ ଚିତା ବାଘ ୩ଦିନ ହେଲା ଆତଙ୍କ ସୃଷ୍ଟି କରିଛି। ଗାଇ ଜଗୁଆଳୀଙ୍କ ସାମ୍‌ନାରେ ଏକ ବାଛୁରୀକୁ ଭିଡି ଖାଇବା ପରଠାରୁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି। ଗାଁ ଚାରିପଟେ ବାଘଟି ଘୁରି ବୁଲୁଛି। ଗ୍ରାମବାସୀ ନିଜ ଗାଇ, ଛେଳିକୁ ବିକ୍ରୟ କରିବାରେ ଲାଗିଲେଣି। ଚିତାବାଘ ଆତଙ୍କ ସମ୍ପର୍କେ ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥିଙ୍କୁ ଯୋଗା ଯୋଗ କରିବାରେ ବାଘ ବୁଲୁଥିବା ଘଟଣାକୁ ସ୍ୱୀକାର କରନ୍ତି। କିନ୍ତୁ ଏହା ଚିତା ବାଘ ନୁହଁ ଏକ କଲରାପତରିଆ ବାଘ ବୋଲି କୁହନ୍ତି। ନୁଆ ବେତୁଲି ଗ୍ରାମଟି ରିଜର୍ଭ ଜଙ୍ଗଲରେ ଥିବାରୁ ସେଠାରୁ ବାଘକୁ ହଟାଯାଇ ପାରିବ ନାହିଁ ବୋଲି କୁହନ୍ତି।