Odiapua.com

ନୀଳାଚଳ ଅର୍ବାନ ହାଟରେ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦ୍‌ଘାଟିତ

ପୁରୀ ୧୨-୬ (ଓଡ଼ିଆ ପୁଅ) ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲି (ବୟନିକା), ଓଡ଼ିଶା ହସ୍ତତନ୍ତ ଭଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ ବର୍ଷ ଧରି ଓଡ଼ିଶା କଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି। ଓଡ଼ିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ୱରାନିତ କରିବା ପାଇଁ ବୟନିକ ରାଜ୍ୟ ଭିତରେ ସ୍ଵତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ କରିଥାଏ।

ବୟନିକା ନୀଳାଚଳ ଅର୍ବାନ ହାଟ, ପୁରୀ ଠାରେ ତା.୧୨.୦୬.୨୦୨୨ ରିଖ ଠାରୁ ତା-୦୯.୦୭.୨୦୨୨ ରିଖ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ କରିଅଛି। ଏହି ମେଳାଟି କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଯୋଜନାର ଆର୍ଥିକ ସହାୟତାରେ ଆୟୋଜିତ ହୋଇଅଛି। ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଆଜି ସନ୍ଧ୍ୟାରେ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଶ୍ରୀମତୀ ଶୁଭା ଶର୍ମା, କମିଶନର ତଥା ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ପ୍ରଶାସକ, ବୟନିକା, ସୁଶାନ୍ତ କୁମାର ଦାଶ, ବୟନଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା, ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ପରିଚାଳନା ନିର୍ଦ୍ଦେଶକ, ବୟନିକା ଓ ଅନ୍ୟାନ୍ୟ ପଦାକାରୀ ଆଦି ଉପସ୍ଥିତ ଥିଲେ। ଏହି ମେଳା ପ୍ରତ୍ୟେହ ଦିବା ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ।

ବୟନିକାର ପୁନଃବିନ୍ୟାସ ପରେ ଏହି ସଂସ୍ଥା ଓଡିଶା ହସ୍ତତନ୍ତ ବସ୍ତ୍ରର ବିକ୍ରୟ କ୍ଷେତ୍ରରେ ଏକ ବୈପ୍ଳବିକ ଅଭିବୃଦ୍ଧି ହାସଲ କରିଅଛି। ଏତଦ୍‌ବ୍ୟତୀତ ବୟନିକା ଓଡ଼ିଶାର ବୁଣାକାରମାନଙ୍କର ସମାଜିକ ତଥା ଅର୍ଥନୈତିକ ମାନଦଣ୍ଡ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଅଛି। ବର୍ତ୍ତମାନର ଯାନ୍ତ୍ରିକ ଯୁଗରେ ମଧ୍ୟ ଓଡ଼ିଶାର ହସ୍ତତନ୍ତ ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢ଼ୀ, ନୂଆପାଟଣା ଖଣ୍ଡୁଆ ଶାଢୀ, ସୋନପୁରୀ ବଙ୍କେଇ ଶାଢ଼ୀ, କୋଟ ଶାଢୀ, ଯାଜପୁର ଅନ୍ତର୍ଗତ ଗୋପାଳପୁରର ଟସର ବସ୍ତ୍ର ଇତ୍ୟାଦି ଦେଶ ବିଦେଶରେ ବିଶେଷଭାବେ ଆଦୃତ ଲାଭକରିଅଛି।