Odiapua.com

ନିଷ୍କାସନ ହୋଇପାରୁନି ବର୍ଷାଜଳ, ମୁଖ୍ୟ ରାସ୍ତା ଅବରୋଧ କଲେ ସ୍ଥାନୀୟ ଜନସାଧାରଣ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଦୀର୍ଘ ୪୦ ବର୍ଷ ତଳ ବ୍ରିଟ୍ରିଶ ସମୟର ସ୍ୱରେଜ ବ୍ୟବସ୍ଥା (ଜଳ ନିଷ୍କାସନ ପଥ) ର ଜବରଦଖଲ ଜନିତ ଅବରୋଧ କାରଣରୁ ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଛି ପୌରାଞ୍ଚଳ । ଯାହାର ନଜିର ଆଜି ଦେଖିବାକୁ ମିଳିଛି ପୁରୁଣାବଜାର ଥାନା ସମ୍ମୁଖ ରାସ୍ତାରେ । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ସହରରେ ଥିବା ଦୀର୍ଘବର୍ଷର ସ୍ୱରେଜ ବ୍ୟବସ୍ଥା ଉପରେ ଏବେ ବହୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ସେମାନଙ୍କର ବଡ ବଡ କୋଠାବାଡି ଓ ଦୋକାନ ଘର ନିର୍ମାଣ କରିଥିବାବେଳେ ପୌରପାଳିକା ମଧ୍ୟ ମାର୍କେଟ୍ କମ୍ପେ୍ଲକ୍ସ କରି ଜଳ ନିଷ୍କାସନର ମୁଖ୍ୟ ପଥକୁ ନିଶ୍ଚିହ୍ନ କରିସାରିଛି । ଯେଉଁଥିପାଇଁ ଅସରାଏ ବର୍ଷାରେ ଭଦ୍ରକ ସହରର ତଳିଆ ଅଂଚଳ ଭାବେ ପରିଚିତ ଚନ୍ଦନବଜାର, ପୁରୁଣାବଜାର, କଦମବେଡା ଓ ସନ୍ଥିଆ ଭଳି ଅଂଚଳ ସମେତ ବହୁ ୱାର୍ଡ ମନୁଷ୍ୟାକୃତ ବନ୍ୟାରେ ବୁଡିଯାଏ । ପ୍ରତିବର୍ଷ ଏହିଭଳି ଅପରିଷ୍କାର ଡ୍ରେନ୍ ଜଳ ବର୍ଷା ଯୋଗୁଁ ତଳିଆ ଅଂଚଳର ଗରିବ ଓ ବହୁ ଧନୀ ଲୋକଙ୍କ ଘରେ ପ୍ରବେଶ କରୁଛି । ମାତ୍ର ଏ ଦିଗରେ କୌଣସି ସ୍ଥାୟୀ ସୁଧାର ହୋଇପାରୁନାହିଁ । ବିଗତ ୫ ବର୍ଷ ମଧ୍ୟରେ ଏହି ଜଳ ନିଷ୍କାସନ ପଥର ସୁଧାର ପାଇଁ ଡ୍ରେନେଜ୍ ଓ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା କୋଟି କୋଟି ଟଙ୍କାର ଡ୍ରେନ୍ କାର୍ଯ୍ୟ ହୋଇଥିଲେ ମଧ୍ୟ ସେଗୁଡିକ କେବଳ ନାମକୁ ମାତ୍ର ନିମ୍ନମାନର ମଡେଲ ସାଜିଛି । ନୂତନ ଭାବେ ନିର୍ମାଣ ହୋଇଥିବା ଏହି ଅଧାପନ୍ତରିଆ ଡ୍ରେନ୍ ଗୁଡିକ ମଧ୍ୟରେ ଏବେ ମାଟି ଓ ବର୍ଜ୍ୟବସ୍ତୁ ପୋତି ହୋଇ ସାରିଲାଣି ।

ଯାହା କେବଳ ‘ରାଧେ ରାଧେ ଅଧେ ଅଧେ’ ନୀତିରେ ଠିକାଦାର, ସଂପୃକ୍ତ ବିଭାଗ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପକେଟ୍ ଗରମ ହୋଇଛି । ଅନ୍ୟଥା ଜନ ସାଧାରଣଙ୍କର କୌଣସି ସ୍ୱାର୍ଥ ସିଦ୍ଧି ହୋଇପାରିନାହିଁ । କେବଳ ଯାହା ବର୍ଷାଋତୁ ଆସିଲେ ଜଳବନ୍ଦୀରେ ଥିବା ଲୋକଙ୍କ ସମସ୍ୟା ସହ ମିଛ କୁମ୍ଭୀର କାନ୍ଦଣା କାନ୍ଦନ୍ତି ଜିଲା ପ୍ରଶାସନ ଓ ଜନ ପ୍ରତିନିଧି ମାନେ । ତେବେ ଭଦ୍ରକ ସହରକୁ ଏକ ସ୍ମାର୍ଟ ସିଟିରେ ପରିଣତ କରିବାର ବଜ୍ର ଶପଥ ନେଇଥିବା ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ସ୍ୱପ୍ନ କେବେ ସାକାର ହେବ, ସେଥିନେଇ ବୁଦ୍ଧିଜୀବୀ ମାନେ ଚାହିଁ ବସିଥିବାବେଳେ ଆଜି ପୁରୁଣାବଜାର ଥାନା ସମ୍ମୁଖ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣିକୁ ଦେଖି ସ୍ଥାନୀୟ ଲୋକେ ପାଇପ୍ ପକାଇ ଦୀର୍ଘସମୟ ଅବରୋଧ କରିଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ପୁଲିସ୍ ପ୍ରଶାସନର ହସ୍ତକ୍ଷେପରେ ଏହି ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଲୋକଙ୍କ ଅଭିଯୋଗ ମୂଳେ ନା ଆଜିଯାଏ ବିଗତ ଦିନର ଜନ ପ୍ରତିନିଧିଙ୍କ ଦ୍ୱାରା ଡ୍ରେନ୍ ଟିଏ ହୋଇପାରିଲା ନା ଭଲ ରାସ୍ତାଟିଏ ମିଳିପାରିଲା । ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କର ମୌଳିକ ସୁବିଧାରେ ସୁଧାର ଆଣିବାକୁ ଚେଷ୍ଟିତ ଥିବାବେଳେ ବିଗତ ଦିନର ଲୋକ ପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଓ ବିଭାଗ କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ତାହା ସଫଳ ହୋଇପାରୁନଥିବା ନେଇ କହିଛନ୍ତି ବିଶିଷ୍ଟ ସମାଜସେବୀ ଏସ୍‌ଏମ୍ ଫାରୁକ ।