Odiapua.com

ନିଷେଧାଦେଶ ସତ୍ୱେ ବେଆଇନ ବାଲି ପରିବହନ ଜାରି, ପ୍ରଶାସନ ଅସହାୟ ନା ଗୁପ୍ତ ସମ୍ପର୍କରେ

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ଉତୋଳନ ଓ ପରିବହନକୁ ନେଇ ସରକାର ବ୍ୟାପକ ରାଜସ୍ୱ ହରାଇବା ସହ ପରିବେଶ ନଷ୍ଟ ହେଉଛି।ଭୂତଳ ଜଳ ଓ ନଦୀବନ୍ଧ କ୍ଷୟକୁ ନେଇ ଉଦବେଗ ପ୍ରକାଶ ପାଇ ବିଭିନ୍ନ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଗତ ଏପ୍ରିଲ ୨୨ତାରିଖରେ ପ୍ରଶାସନ ପକ୍ଷରୁ ୮ଟି ସ୍ଥାନରେ ନିଷେଧାଦେଶ ଜାରି କରାଯାଇଥିଲା।ଜେସିବି, ହାଇବା, ଟ୍ରାକ୍ଟର ଚଳାଚଳ ଉପରେ ଅଙ୍କୁଶ ଲଗାଯାଇଛି ।ସ୍ଥାନୀୟ ତହସିଲଦାରଙ୍କ ରିପୋର୍ଟକୁ ଆଧାର କରି ଭଦ୍ରକ ଉପଜିଲ୍ଲାପାଳ ଆଠଟି ସ୍ଥାନରେ ୧୬୩ ଧାରା ଜାରି କରିବା ସହ ଜଗନ୍ନାଥପ୍ରସାଦ,ଟିକରା, ବଡ଼ ବନସ୍ତା,ଝୁଟଣା, ବଳିପୁରରୁ ବେଆଇନ ବାଲି ଉତୋଳନ ଓ ପରିବହନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ।ଏପରିକି ତିନୋଟି ସ୍ଥାନରେ ଯୋଗାଯୋଗ ରାସ୍ତାକୁ ଖୋଳାଯାଇ ବିଚ୍ଛିନ୍ନ କରାଯାଇଥିଲା।ବିଭିନ୍ନ ସମୟରେ ଚଢ଼ାଉ କରାଯାଇ କିଛି କିଛି ଗାଡ଼ିକୁ ଧରପଗଡ଼ କରି ଲଘୁ ଖଣିଜ ବିଭାଗ, ପୁଲିସ ଜବତ କରିବା ଓ ଜୋରିମାନା ଆଦାୟ କରିଥିଲେ ମଧ୍ୟ ଏହାର ପ୍ରଭାବ ବେଆଇନ କାରବାର ଚଳାଇଥିବା ବାଲି ମାଫିଆଙ୍କ ଉପରେ ପଡୁନାହିଁ ।ସୁବିଧା ସୁଯୋଗ ଦେଖି ସନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ ଲଗାମ ହୀନ ଭାବେ ବଳିପୁରରୁ ବାଲି ଉତୋଳନ କରାଯାଇ ପରିବହନ ହେଉଛି ବୋଲି ଅଭିଯୋଗ ହୋଇଛି ।ଏଥିନେଇ ଖବର ଜାଣିବା ପରେ ସ୍ଥାନୀୟ ବିଧାୟକ ଅସନ୍ତୋଷ ପ୍ରକାଶ କରି ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ନେବା ପାଇଁ ଜଣାଇଥିବା ସୂଚନା ମିଳିଛି।ସୁସଙ୍ଗଠିତ ରାକେଟ ଜରିଆରେ ଏହି କାରବାର ଚାଲିଥିବା ବେଳେ କ୍ଷମତାସିନ ଦଳର କିଛି ବ୍ୟକ୍ତି କେତେକ ପ୍ରଶାସନିକ ଅଧିକାରୀଙ୍କ ସହ ଅସାଧୁ ସମ୍ପର୍କ ସ୍ଥାପନ କରି ବାଲି ଲୁଟ କାରବାର ଚଳାଇଥିବା ଚର୍ଚ୍ଚା ହେଉଛି ।ପ୍ରଶାସନିକ କଟକଣା ସତ୍ୱେ ଏହି କାରବାର ଚାଲୁଥିବାରୁ ଏହି ଚର୍ଚ୍ଚାକୁ ସାଧାରଣ ଲୋକ ଗ୍ରହଣ କରିଛନ୍ତି । ସ୍ଥାନୀୟ ଲୋକମାନେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଭାବିତ ହୋଇ ଚଢ଼ା ଦରରେ ବାଲି କିଣୁଥିବା ବେଳେ ଦୂର ସ୍ଥାନକୁ ଏପରିକି ରାଜ୍ୟ ବାହାରକୁ ବାଲି ଚାଲାଣ କରି କିଛି ଲୋକ ମାଲାମାଲ ହେଉଛନ୍ତି।ଲଘୁ ଖଣିଜ ବିଭାଗ ଓ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।