Odiapua.com

ନିଶା ନିବାରଣ ନିମନ୍ତେ ଉତ୍କଳ ସର୍ବୋଦୟ ମଣ୍ଡଳ, ଭଦ୍ରକ ଜିଲ୍ଲା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଜନସାଧାରଣ ମଦ, ଚରସ, ବ୍ରାଉନ୍ ସୁଗାର ଓ ଡ୍ରଗସ୍ ପଞ୍ଝାରେ ଆକ୍ରାନ୍ତ । ୧୮ରୁ ୨୫ ବର୍ଷ ବୟସ୍କ ୪୦ ଭାଗ ଯୁବସମାଜ ଆଜି ନିଶାସକ୍ତ ଓ ଡ୍ରଗ୍‌ସ୍ ପଞ୍ଝାରେ ଆଉଟୁପାଉଟୁ ହେଉଛନ୍ତି । ମାତ୍ର ରାଜ୍ୟ ସରକାର ମଦରୁ ରାଜସ୍ୱ ଆଳରେ ସାଧାରଣ ଜନତାଙ୍କୁ ମଦ ବିକିବାରେ ଲାଗିଛନ୍ତି । ଯଦ୍ଦ୍ୱାରା ଶତକଡ଼ା ୩୦ଭାଗରୁ ଅଧିକ ଜନସାଧାରଣ ମଦ୍ୟପ ହୋଇଛନ୍ତି । ଓଡ଼ିଶା ରାଜ୍ୟ ଦେଶରେ ମଦ୍ୟପରେ ଏକ ନମ୍ବର ସ୍ଥାନ ଗ୍ରହଣ କରିଛି । ଯାହା ପାଇଁ ବଳାତ୍କାର, ନାରୀ ନିର୍ଯାତନା ଓ ବିିଭନ୍ନ ପ୍ରକାର ମାରାତ୍ମକ ରୋଗରେ କବଳିତ ହେଉଛନ୍ତି । ଏହି ମଦରୂପୀ ରାକ୍ଷସକୁ ସମୂଳେ ବିନାଶ କରିବାକୁ ଜନସାଧାରଣଙ୍କର ପ୍ରିୟ ସରକାରଙ୍କ ନିକଟରେ ଉତ୍କଳ ସର୍ବୋଦୟ ମଣ୍ଡଳର ଜିଲ୍ଲା ସଭାପତି ଅମର ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ମହିଳା, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଅଧିବକ୍ତା, ସମାଜସେବୀ ଭଦ୍ରକ ଜିଲ୍ଲାପାଳଙ୍କ ପ୍ରାଙ୍ଗଣ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିବେଦନ କରିଥିଲେ । ଓଡ଼ିଶାରେ ମଦ ଦୋକାନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ, ଚୋରା ମଦ କାରବାର ବନ୍ଦ କରିବାକୁ, ନିଶା କାରବାରୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିବାକୁ ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଉପସଭାପତି ଅଧିବକ୍ତା ଆଦିତ୍ୟ ନାୟକ, ଅଧିବକ୍ତା ପ୍ରକାଶ ଦାସ, ପ୍ରାଧ୍ୟାପକ ସଂଗ୍ରାମ ମହାନ୍ତି, ଶିକ୍ଷାବିତ୍ ପ୍ରଭଞ୍ଜନ ରାଉଳ, ରମେଶ ଦାସ, ବିଶ୍ୱନାଥ ଅଗ୍ରୱାଲ, ସୁରେନ୍ଦ୍ର ନାଥ ପଣ୍ଡା, ମହିଳା ସଂଘ ସଭାନେତ୍ରୀ କନକଲତା ଖୁଂଟିଆ, ରୀନା ନାୟକ, ପୁଷ୍ପଲତା ତ୍ରିପାଠୀ, ତପସ୍ୱିନୀ ପରିଡ଼ା, ପ୍ରାଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ର, ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ର, ରାଧାକାନ୍ତ ଦୀକ୍ଷିତ, ସାମ୍ବାଦିକ ଜଗନ୍ନାଥ ନାୟକ, ଶ୍ରୀକାନ୍ତ ପଣ୍ଡା, ଗୋଲକ ମଲ୍ଲିକ, ସଂଯୁକ୍ତା ବଳ, ଦମୟନ୍ତୀ ଦାସ, ବାବୁଲାଲ ଦାସ ପ୍ରମୁଖ ଜିଲ୍ଲାପାଳ ଦିଲିପ କୁମାର ରାଉତରାୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଶା ଓ ମଦ ବିକ୍ରୟ ବନ୍ଦ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ମହୋଦୟ ଭଦ୍ରକ ଜିଲ୍ଲାରେ ଚୋରା ମଦ କାରବାର ଓ ଡ୍ରଗ୍‌ସ୍ କାରବାର ବନ୍ଦ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।