Odiapua.com

ନିଶା କଫସିରପ କାରବାର ବୃଦ୍ଧି : ୩୫୦ ରୁ ୫୦୦ ଶହ ଟଙ୍କାରେ ବିକ୍ରୀ, ମିଶୁଛି ବ୍ରାଉନ ସୁଗାର!

ବଲାଙ୍ଗୀର ୧୭-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କ୍ରମାଗତ ଭାବେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଚଢ଼ାଉ କରି ଲକ୍ଷ ଲକ୍ଷ ଟଙ୍କାର ବେଆଇନ ନିଶା କଫସିରପ ଜବତ କରିବା ସହ ଗତ କିଛି ଦିନରେ ଆଠ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ହେଲେ ଏହି ସିରଫକୁ ନିଶା ଭାବେ ବିଭିନ୍ନ ବର୍ଗର ଲୋକମାନେ ଓ ବିଶେଷ କରି ଯୁବ ଗୋଷ୍ଠି ମଦ ପରି ଏହା ପିଉଥିବା ବେଳେ ଏହାର ବିକ୍ରି ସେମିତି ଚାଲିଛି। ସରକାରୀ ଭାବେ ଔଷଧ ଦୋକାନରେ ଏହାର ବିକ୍ରି ବନ୍ଦ କରାଯାଇଥିବା ସତ୍ୱେ ଅନେକ ଅସାଧୁ ବ୍ୟବସାୟୀ ଓ ଅସାମାଜିକ ଲୋକେ ଏହାକୁ ବ୍ୟବସାୟ ରୂପେ ପରିଣତ କରି ଲାଭବାନ ହେବାରେ ଲାଗିଛନ୍ତି। ଏହାର ଧରପଗଡ଼ ହେବାରୁ ବିକ୍ରି ଅଧିକ ଦରରେ ହେବାରେ ଲାଗିଛି। ପୂର୍ବେ ୧୦୦ ଟଙ୍କାରେ ଗୋଟିଏ ବିକ୍ରି ହେଉଥିବା ବେଳେ ଏବେ ୩୫୦ ଟଙ୍କା ରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ଚାଲିଛି। ଏହି କଫସିରପ କେଉଁଠି ପ୍ରସ୍ତୁତ ହେଉଛି ଓ ବଲାଙ୍ଗୀର ତଥା ରାଜ୍ୟର ବିଭିନ୍ନ ଅଂଚଳକୁ କିପରି ଚାଲାଣ ହେଉଛି ତାର ସୂଚନା ମିଳିପାରିନାହିଁ। ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଓ ଓଡ଼ିଶାର କଟକ ରୁ ଆସୁଥିବା ଚର୍ଚ୍ଚା ହେଉଥିବା ସତ୍ୱେ ପୋଲିସ ପ୍ରଶାସନ ନିକଟରେ ସେ ତଥ୍ୟ ନାହିଁ। ହେଲେ ଏହି ସିରଫ କାରବାରକୁ ବଲାଙ୍ଗୀରରୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ତଥା ମୁଖ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ବିଭାଗୀୟ ସୂଚନା ଦେଇଛନ୍ତି। ଏହି ସିରଫରେ ବ୍ରାଉନସୁଗର ପରି ମାରାତ୍ମକ ଡ୍ରଗସ ମିଶାଯାଉଥିବା ସୂଚନା ମିଳିଛି। ଏଥିରେ ଅଭ୍ୟସ୍ତ ହେଲେ ଛାଡିବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଥିବା ବେଳେ ଯେଉଁ ଉପାୟରେ ହେଉ ଟଙ୍କା ଦେଇ ଏହି ସିରଫ ପିଇବାକୁ ବାଧ୍ୟ ହୋଇ ସର୍ବସ୍ଵ।ନ୍ତ ହେବା ସାର ହେଉଛି। ଜିଲ୍ଲାର ବଲାଙ୍ଗୀର, ପଟଣାଗଡ଼, କଣ୍ଟାବାଞ୍ଜି, ବେଲପଡା, ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ସିଂଧେକେଲା, ସଇଂତଲା, ଆଦି ଅଞ୍ଚଳରେ ଏହି ସିରଫ କାରବାର ବେଶ ଜୋର ସୋରରେ ଚାଲିବା ସହ ଏହି ନିଶାରେ ଅଭ୍ୟସ୍ତଙ୍କ ସଂଖ୍ୟାଧିକ ଭାବେ ବୃଦ୍ଧି ପାଇବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଅନେକ ସହରରେ ଏ କାରବାରକୁ କିଛି ପୋଲିସ ଓ ଅବକାରୀ ବିଭାଗ କର୍ମକର୍ତ୍ତାଙ୍କ ଗୋଚରରେ ଚାଲିବା ସତ୍ୱେ ଏକ ପ୍ରକାର ପ୍ରୋତ୍ସାହନ ଦେବା ପରି ଗୁରୁତର ଅଭିଯୋଗ ହେଉଛି। ଏ ଦିଗରେ ତୁରନ୍ତ ଦୃଢ଼ ପଦକ୍ଷେପ ସହ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପାଇଁ ବୁଦ୍ଧି ଜୀବୀ ମହଲରେ ଦାବି ପ୍ରକାଶ ପାଉଛି।