Odiapua.com

‘ନିଶାମୁକ୍ତ ସମାଜ ହେଉଛି ସୁନ୍ଦର ପୃଥିବୀର ପରିକଳ୍ପନା’, ଭଦ୍ରକ ତ୍ୟାଗଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟା

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ଚତୁଃପାଶ୍ୱର୍ସ୍ଥ ସମାଜ, ପ୍ରକୃତି ଓ ଜୀବଜଗତ ଅନନ୍ତ ସୌନ୍ଦର୍ଯ୍ୟର ଆଧାର । ଜୀବନର ସ୍ୱାଦ ଓ ସୁନ୍ଦରତାକୁ ଅନୁଭବ କରିବାକୁ ହେଲେ ସୁସ୍ଥ ସମାଜ ଗଠନର ଆବଶ୍ୟକତା ରହିଛି । ସଂପ୍ରତି ନିଶାର ଜହର ଆମ ଗ୍ରାମ୍ୟ ସଭ୍ୟତାଠାରୁ ଆରମ୍ଭକରି ସହରୀ ଜୀବନ ଯାଏ ସବୁଠି ରାଜୁତି ଆରମ୍ଭ କରିଦେଇଛି । ଉଭୟ ଖଟିଖିଆ ଓ ବିଳାସବ୍ୟସନ ପ୍ରିୟ ମଣିଷ ସମସ୍ତଙ୍କ ଶ୍ରମକଷ୍ଟ ଲାଘବ ଲାଗି ସତେ ଯେମିତି ଏକମାତ୍ର ଉପାୟ ହେଉଛି ନିଶାସେବନ । ଏଣୁ ସୁସ୍ଥ ସମାଜ ଗଠନର ପରିପନ୍ଥୀ ଭାବେ ଆମ ଗାଁ ଓ ସହରୀ ଜୀବନ ଆଗରେ ନିଶାର ଜହର ମାୟାଜାଲ ବିଛାଇ ଚାଲିଛି ଓ ଏଥିଯୋଗୁଁ ସମାଜର ପ୍ରଭୁତ କ୍ଷତିସାଧନ ହେଉଛି ବୋଲି ‘ତ୍ୟାଗଭୂମି ମହୋତ୍ସବ’ର ଉଦ୍‌ଯାପନୀ ସନ୍ଧ୍ୟାର ‘ନିଶା ଜହରରେ ଆମ ଗାଁ ଓ ସହର’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସଂଗଠନ ଉପଦେଷ୍ଟା ବିଶିଷ୍ଟ ଅଧୀବକ୍ତା ପର୍ଶୁରାମ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ଜାତୀୟକବି ବାଞ୍ଛାନିଧି ମଞ୍ଚ’ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ବିଚାର ବିଭାଗ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ ଯୋଗଦେଇ ନିଶାସେବନ ଦ୍ୱାରା କେବଳ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେଉନାହିଁ, ବରଂ ଆମ ମୂଲ୍ୟବାନ ଧନଜୀବନ ହାନିଘଟି ସାମାଜିକ ଓ ରାଷ୍ଟ୍ରୀୟ ଅବକ୍ଷୟର କାରଣ ହେଉଛି ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ପୁଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ କୁମାର ପଣ୍ଡା ଯୋଗଦେଇ ଶିକ୍ଷିତ ଅଶିକ୍ଷିତ, ଯୁବବର୍ଗ ଓ ବୟସ୍କ ନିର୍ବିଶେଷରେ ନିଶା କବଳିତ ହେବା ହିଁ ଆମ ଦାରୁଣ ଦୁଃଖଦାୟକ ଘଟଣା ଓ ସୁନ୍ଦର ପୃଥିବୀ ପରିକଳ୍ପନାରେ ଆମ ସମସ୍ତର ଦାୟିତ୍ୱ ରହିଛି ବୋଲି କହିଥିଲେ । ବରିଷ୍ଠ ସଦସ୍ୟ ବୈଲୋଚନ ବେହୁରିଆ ଅତିଥିମାନଙ୍କ ମଞ୍ଚ ଆହ୍ୱାନ କରିଥିବା ବେଳେ ଅଧୀବକ୍ତା ଗଦାଧର ବଳ ଅତିଥି ପରିଚୟ ଓ ଅଧୀବକ୍ତା ଦିବ୍ୟସିଂହ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଓ ଡ. ଅଭୟ ଦାସଙ୍କ ସମ୍ପାଦନାରେ ପ୍ରକାଶିତ ‘ତ୍ୟାଗଭୂମିର କବି ଓ କାବ୍ୟଦିଗନ୍ତ’ ଲୋକାର୍ପିତ ହୋଇଥିଲା ଓ ଅଧ୍ୟାପକ ଶ୍ରୀ ଦାସ ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । କବୟତ୍ରୀ ଗୀତାରାଣୀ ଆଇଚଙ୍କ ‘ଈଶ୍ୱର ଓ ନାରୀ ଏବଂ ଅନ୍ୟାନ୍ୟ’ ଓ କବୟତ୍ରୀ ଡକ୍ଟର ପ୍ରଭାତନଳିନୀ ମହାପାତ୍ରଙ୍କ ‘ସବୁକିଛି ଆପଣାର’ କବିତାଗ୍ରନ୍ଥ ଉନ୍ମୋଚିତ ହୋଇଥିଲା ଓ ଉଭୟ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ‘ତ୍ୟାଗଭୂମି’ ସଭାପତି ଅଜୟ ନାୟକ ଉଦ୍‌ଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ । କୁସୁମ ଟି.ଭି. କଳାକାରମାନେ କୁସୁମ ମଞ୍ଜରୀ ଦାସଙ୍କ ପରିଚାଳନାରେ ସଂଗୀତ ନିର୍ଦ୍ଦେଶକ ନିଜାମଙ୍କ ତତ୍ତ୍ୱାବଧାନରେ‘ବନ୍ଦେ ଉତ୍କଳ ଜନନୀ’ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ସଦସ୍ୟ ରୂପକ ବିହାରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଶ୍ରହର୍ଷ ସ୍ୱାଇଁ, ଗୌରାଙ୍ଗ ବାରିକ, ପରମାନନ୍ଦ ଦାସ, ଡ. ରାଧାରାଣୀ ମହାପାତ୍ର, ଡ. ରାଧାବିନୋଦ ନାୟକ, ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ସୁଚିତ୍ରା ପାଣିଗ୍ରାହୀ, ନିହାର ରଂଜନ କର, ଅରୁଣ ମହାନ୍ତି (ନିଲୁ), ବାର୍ ଆସୋସିଏସନ ସଭାପତି ଦିଲିପ ମହାପାତ୍ର , ସମ୍ପାଦକ ଜୀତେନ୍ଦ୍ର କୁମାର ପଣ୍ଡା, ଗଦାଧର ବଳ, ଅଜିତ ନାୟକ, କରୁଣାକର ଉପାଧ୍ୟୟ, ରମେଶ ପ୍ରମୁଖ ଯୋଗ ଦେଇ ଉତ୍ସାହିତ କରିଥିଲେ । ଉତ୍ସବର ପ୍ରାରମ୍ଭରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ପୌରୋହିତ୍ୟ କରିଥିବା ବେଳେ ଶାନ୍ତନୁ ରାଉତ, ଅଧ୍ୟାପିକା ମମତା ସାହୁ ପରିଚାଳନା କରିଥିଲେ । ବହୁ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ସମସ୍ତ କବିତା ପାଠକ ପାଠିକାଙ୍କୁ ତ୍ୟାଗଭୂମି ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।