Odiapua.com

ନିଶାମୁକ୍ତ ସମାଜ ପାଇଁ ଅଧିକ ସଚେତନତା ଆବଶ୍ୟକ, ନିଶା ଅନାସକ୍ତି ଓ ଅବୈଧ ନିଶାଦ୍ରବ୍ୟ ଚାଲାଣ ନିରୋଧୀ ଆନ୍ତର୍ଜାତୀୟ ଦିବସ ପାଳନ

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ଅନୁଭାଗ ଆନୁକୂଲ୍ୟରେ ଆଜି ନିଶା ଅନାସକ୍ତ ଓ ଅବୈଧ ନିଶାଦ୍ରବ୍ୟ ଚାଲାଣ ନିରୋଧୀ ଆନ୍ତଜାର୍ତ୍ତୀୟ ଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥି ଉପଲକ୍ଷେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜନ ସଚେତନତା ଉଦ୍ଦେଶ୍ୟରେ ସଚେତନତା ରଥ ସହ ଏକ ଶୋଭାଯାତ୍ରା ବାହାରି ସହର ରାସ୍ତା ଦେଇ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ପରେ ପରେ ଭଦ୍ରକ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ଗମାଙ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟତମ ଅତିଥି ଭାବେ ଅବକାରୀ ନିରୀକ୍ଷକ ଅନୀତା ପ୍ରଧାନ, ମହିଳା ଓ ଶିଶୁ ବିକାଶ ସୁପରଭାଇଜର ଅର୍ଣ୍ଣପୂର୍ଣ୍ଣା ସାହୁ, ଭଦ୍ରକ ନିଶା ନିବାରଣ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ନାୟକ ଯୋଗ ଦେଇଥିଲେ। ନିଶା ସେବନ ରୁ ନିବୃତ୍ତ ରହି ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଜୀବନକୁ ସୁରକ୍ଷିତ କରିବା ଏବଂ ଏଥିପାଇଁ ସାମାଜିକ ସଚେତନା ସୃଷ୍ଟି କରିବା ନେଇ ସମସ୍ତେ ଶପଥ ପାଠ କରିଥିଲେ। ନିଶା ନିବାରଣ ଆଇନ୍ ସମ୍ବନ୍ଧରେ ବକ୍ତାମାନେ ବ୍ୟାଖ୍ୟା କରିବା ସହ ନିଶା ଜୀବନ ପ୍ରତି ସମାଜ ପାଇଁ କେତେ କ୍ଷତିକାରକ, ଦିନ କୁ ଦିନ ଏହା କିପରି ଏକ ସାମାଜିକ ବ୍ୟାଧିରେ ପରିଣତ ହେଉଛି ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଛୋଟ ପିଲା, ତରୁଣ ଏବଂ ଯୁବପୀଢ଼ି କିଭଳି ଏହି ନିଶା ରାକ୍ଷସ କବଳରୁ ଦୂରେଇ ରହିବେ ସେଥିନେଇ ଅଧିକ ରୁ ଅଧିକ ଜନସାଧାରଣ ସଚେତନ ହେଲେ ଯାଇ ନିଶାମୁକ୍ତ ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ, ଅଭିଭାବକ, ପିତାମାତା, ଅଙ୍ଗନବାଡ଼ି କର୍ମୀ ଆଦି ଏହି ଶୋଭାଯାତ୍ରା ଓ ସଭା କାର୍ଯ୍ୟକ୍ରମରେ ସାମିଲ ଥିଲେ।