ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -“ନିଶାମୁକ୍ତ ଯୁବକ – ବିକଶିତ ଭାରତ’ ଅଭିଯାନର ଅଂଶବିଶେଷ ଭାବରେ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ବିରାଟ ଜିଲ୍ଲା ସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। “ମାଇଁ ଭାରତ’ ଭଦ୍ରକ ଏବଂ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମକୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍.ଏସ୍.ଏସ୍ ର ଜିଲ୍ଲା ନୋଡାଲ୍ ଅଫିସର ଡକ୍ଟର ସୁଦର୍ଶନ ଦାସ ଏବଂ ଜିଲ୍ଲା ଯୁବ ଅଧିକାରୀ ଫୁଆଦ୍ ମହମ୍ମଦ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଯୋଗାଇଥିଲେ। ଏହି ଅବସରରେ ମୋଟ ୮ଟି ବିଭିନ୍ନ ସାଂସ୍କୃତିକ ବିଭାଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଫଳ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଯୁବସମାଜକୁ ନିଶା କବଳରୁ ରକ୍ଷା କରି ଏକ ସୁସ୍ଥ, ସବଳ ତଥା ବିକଶିତ ଭାରତ ଗଠନ ଦିଗରେ ଏହି କାର୍ଯ୍ୟକ୍ରମ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ବେଶ୍ ସଫଳ ହୋଇଥିଲା ଏବଂ ସାଧାରଣରେ ଉଚ୍ଚ ପ୍ରଶଂସା ଲାଭ କରିଥିଲା।