Odiapua.com

ନିଶାମୁକ୍ତ ଭଦ୍ରକ ଗଠନ ପାଇଁ ଜିଲ୍ଲାବ୍ୟାପୀ ସଚେତନତା ,୨୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ରାଲି, ନିଶା ବିରୋଧୀ ଶପଥ

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ଭଦ୍ରକ ଜିଲ୍ଲାରେ ଗୁରୁବାର ଏକ ବ୍ୟାପକ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି ।ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନର ବାର୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ସହ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା। ସକାଳ ୮.୩୦ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରୁ ୨୫୦ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ସଚେତନତା ରାଲି ବାହାରିଥିଲା। ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରିଥିବା ଏହି ରାଲିରେ ଅଂଶଗ୍ରହଣକାରୀମାନେ ନିଶା ବିରୋଧୀ ସ୍ଲୋଗାନ ଦେବା ସହ ସଚେତନତା ବାର୍ତା ପ୍ରଚାର କରିଥିଲେ। ପ୍ରଚାର ରଥ ମାଧ୍ୟମରେ ମଧ୍ୟ ଜନସାଧାରଣଙ୍କୁ ନିଶାଦ୍ରବ୍ୟ ସେବନର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଅବଗତ କରାଯାଇଥିଲା। ପରେ ଟାଉନହଲ୍ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସଚେତନତା ସଭାକୁ ଅତିରିକ୍ତ ଜିଲ୍ଲାପାଳ ଦତ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ସଭାରେ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନିଶା କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟକୁ ନୁହେଁ, ପରିବାର ଓ ସମାଜର ଶାନ୍ତି, ସୁରକ୍ଷା ଓ ଆର୍ôଥକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ। ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା ପାଇଁ ପରିବାର, ଶିକ୍ଷାନୁଷ୍ଠାନ, ପ୍ରଶାସନ ଓ ସମାଜର ସମସ୍ତ ବର୍ଗଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ହିଁ ସବୁଠାରୁ ବଡ଼ ଅସ୍ତ୍ର ବୋଲି ସେ ମତପ୍ରକାଶ କରିଥିଲେ। ସଭାରେ ଜିଲ୍ଲା ଅବକାରୀ ଅଧିକାରୀ ନରୋତମ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ଏନଜିଓ ‘ଫେଲୋଶିପ୍‌’ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସିଆରଏସଆରର ସାଧାରଣ ସମ୍ପାଦକ ଭଗବାନ ପରିଡ଼ା ଏବଂ ଉତ୍କଳ ସର୍ବୋଦୟ ମଙ୍ଗଳର ସଭାପତି ଅମର ପାଣିଗ୍ରାହୀ ଯୋଗଦେଇ ନିଶାଦ୍ରବ୍ୟ ସେବନର ସାମାଜିକ, ଆର୍ôଥକ ଓ ସ୍ୱାସ୍ଥ୍ୟଗତ କୁପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବକ୍ତାମାନେ ମତପ୍ରକାଶ କରିଥିଲେ ଯେ, ନିଶାଦ୍ରବ୍ୟର ଅପବ୍ୟବହାର ଆଜି ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ପାଲଟିଛି ଏବଂ ଏହାର ମୁକାବିଲା ପାଇଁ ସମାଜର ସମସ୍ତ ସ୍ତରର ଲୋକଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଜାତିସଂଘ ଦ୍ୱାରା ପ୍ରତିବର୍ଷ ୨୬ ଜୁନକୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ଭାବେ ପାଳନ କରାଯାଇଥାଏ, ଯାହାର ଉଦ୍ଦେଶ୍ୟ ନିଶା ବିରୋଧରେ ଜନସଚେତନତା ବୃଦ୍ଧି କରିବା। ଏହି ଅବସରରେ ଉପସ୍ଥିତ ସମସ୍ତେ ନିଶା ସେବନରୁ ନିବୃତ ରହିବା, ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା, ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଂଶ ଭାବେ ନିଶା ନିବାରଣ ବିଷୟକ ରଚନା, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହା ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ବାର୍ତା ପ୍ରସାରରେ ସହାୟକ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ, ପୌରପାଳିକା ଓ ଜିଲ୍ଲା କାର୍ଯ୍ୟାଳୟର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, କନିଷ୍ଠ ସହାୟକ, କାର୍ଯ୍ୟକାରୀ ସହାୟକ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ସାମାଜିକ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ମିତା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ।