Odiapua.com

ନିର୍ମାଣ ଶ୍ରମିକ ପ୍ରମାଣପତ୍ର ପ୍ରାପ୍ତି ଦାବିରେ ଶ୍ରମ କାର୍ଯ୍ୟାଳୟ ଘେରାଓ

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ମାଣ ଶ୍ରମିକ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହୋଇଥିବା ଶ୍ରମିକମାନେ ପ୍ରମାଣପତ୍ର ପାଇବା ଦାବିରେ ଜିଲା ଶ୍ରମ କାର୍ଯ୍ୟାଳୟ ଘେରାଓ କରିବା ସହ ଗଣଧାରଣାରେ ବସିଥିଲେ । ଭଦ୍ରକ ଜିଲାର ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ କରୁଥିବା ବହୁ ପୁରୁଷ ଓ ମହିଳା ନିର୍ମାଣ ଶ୍ରମିକ ପ୍ରମାଣ ପତ୍ର ପାଇବାରୁ ବଂଚିତ ରହିଛନ୍ତି । ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର ଯେଉଁ ସହାୟତା ଯୋଇ ଦେଇଛନ୍ତି ତାହା ସେମାନେ ପାଇ ପାରୁ ନାହାନ୍ତି । ଗ୍ରାମର ପାନ ଦୋକାନୀ, ଚା’ ଦୋକାନୀ,ଗ୍ରୋସରୀ ଦୋକାନୀ, ପରିବା ଦୋକାନୀ, ସାଇକେଲ ଦୋକାନୀ, ଟିଉସନ ମାଷ୍ଟର ଭଳି ବିଭିନ୍ନ ବ୍ୟବସାୟ କରି ଭଲ ଅର୍ଥ ଉପାର୍ଜନ କରୁଥିବା ଲୋକେ ଜାଲିଆତି କରି ନିଜକୁ ଶ୍ରମିକ ଦର୍ଶାଇ ପ୍ରମାଣପତ୍ର ହାତେଇ ସରକାରୀ ସହାୟତା ଲୁଟ କରୁଛନ୍ତି । ଅଥଚ ଯେଉଁମାନେ ଦିନ ରାତି ଖଟିଖଟି ପରିବାର ପ୍ରତିପୋଷଣ କରୁଛନ୍ତି, ସେମାନେ ନିଜର ହକ୍ ପାଇବାରୁ ବଂଚିତ ହେଉଛନ୍ତି ବୋଲି ଧାରଣାକାରୀ ଶ୍ରମିକମାନେ ଆରୋପ କରିଥିଲେ । କିଛି ଦଲାଲ ଗାଁ ଗାଁ ବୁଲି ବିଭିନ୍ନ ୟୁନିୟନର ଏଜେଣ୍ଟ କହି ଟଙ୍କା ନେଇ ପ୍ରମାଣପତ୍ର ବିକୁଛନ୍ତି । ଗରିବ ଶ୍ରମିକଟିଏ ଟଙ୍କା ଦେଇ ନ ପାରି ନିଜର ପ୍ରମାଣପତ୍ର ପାଇ ପାରୁ ନାହିଁ । ଯେଉଁମାନେ ସିଧା ସଳଖ ପ୍ରମାଣ ପତ୍ର ପାଇଁ ଶ୍ରମ କାର୍ଯ୍ୟାଳୟକୁ ଆବେଦନ କରୁଛନ୍ତି, କିଛି ଦିନ ପରେ ସେମାନଙ୍କ କାଗଜପତ୍ର ଅଫିସରୁ ଗାୟବ ହୋଇ ଯାଉଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଏଜେଣ୍ଟ ଆଉ ଶ୍ରମ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କ ସଲା ସୁତରାରେ ନିର୍ମାଣ ଶ୍ରମିକ ପ୍ରମାଣପତ୍ର ପ୍ରଦାନ କରାଯାଉଛି । ଯେଉଁମାନେ ପ୍ରମାଣପତ୍ର ପାଇବା ପାଇଁ ହକ୍ ସେମାନଙ୍କୁ ପ୍ରମାଣପତ୍ର ଯୋଗାଇ ଦେବାକୁ ଦାବି କରାଯାଇଥିଲା । ପରେ ଶ୍ରମ କମିଶନର ଧାରଣା ସ୍ଥଳକୁ ଆସି ପ୍ରକୃତ ଶ୍ରମିକଙ୍କୁ ନିଶ୍ଚୟ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା । ଶ୍ରମିକ ନେତା ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ପ୍ରଫୁଲ୍ଲ ମହାଳିକ, ଗଣେଶ ମହାଳିକ, ସଞ୍ଜୟ ମହାଳିକ, ନୟନ ମହାଳିକ, ଜାନକୀ ମହାଳିକ, ଗୌରୀ ମହାଳିକ, ତପନ କୁମାର ଯେନା, ସତ୍ୟଭାମା ଯେନା, ଚିତ୍ତରଂଜନ ଜେନା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ ।