Odiapua.com

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର, ୭୧୦ ଜଣଙ୍କୁ ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ ଓ ଭଦ୍ରକ ପୌରାଞ୍ଚଳ ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍‌, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ଯୋଗ ଦେଇ ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ବାବଦ ପ୍ରତୀକାତ୍ମକ ଚେକ୍ ବଣ୍ଟନ କରିଥିଲେ । ସୂଚନା ଯୋଗ୍ୟ କି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାରେ ୭୧୦ ଜଣ ହିତାଧିକାରୀଙ୍କୁ ସମୁଦାୟ ୨ କୋଟି ୫ଲକ୍ଷ ୩୯ ହଜାର ୬୦୦ ଟଙ୍କାର ଆର୍ଥିକ ସହାୟତା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି । ସେଥି ମଧ୍ୟରେ ଶିକ୍ଷା ସହାୟତା ବାବଦ ୩୮୪ ଜଣଙ୍କୁ ୨୫ ଲକ୍ଷ ୬୪ ହଜାର ୬୦୦, ବିବାହ ଖର୍ଚ୍ଚ ବାବଦ ୨୮୭ ଜଣଙ୍କୁ ୧ କୋଟି ୩୮ ଲକ୍ଷ, ମାତୃତ୍ୱ ଯୋଜନାରେ ୧୬ ଜଣଙ୍କୁ ୧ ଲକ୍ଷ ୬୦ ହଜାର, ମୃତ୍ୟୁ ବାବଦ ୨୦ ଜଣଙ୍କୁ ୪୦ ଲକ୍ଷ ଏବଂ ସୁଦ୍ଧିକ୍ରିୟା ବାବଦ ୩ ଜଣଙ୍କୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଏହିସବୁ ଯୋଜନା ସମ୍ବନ୍ଧରେ ସମସ୍ତ ନିର୍ମାଣ ଶ୍ରମିକ ପରିବାର ସଚେତନ ହେବା ସହିତ ସେମାନଙ୍କ ପାଇଁ ପ୍ରଯୁଜ୍ୟ ଆର୍ଥିକ ସହାୟତାର ଲାଭ ନେବାପାଇଁ ସଂପୃକ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଅତିଥିମାନେ ଉପସ୍ଥିତ ହିତାଧିକାରୀ ଶ୍ରମିକ ମାନଙ୍କୁ ବକ୍ତବ୍ୟ ଜରିଆରେ ପରାମର୍ଶ ପ୍ରଦାନ କରିଥିଲେ ।

ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ୍ ପ୍ରେମ ମଞ୍ଜରୀ ନାୟକ ଆନୁସଙ୍ଗିକ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟକି ବିବାହ ପାଇଁ ପ୍ରଦତ୍ତ ଆର୍ଥିକ ସହାୟତା ଯୋଜନାରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ପଞ୍ଜିକରଣର ବର୍ଷେ ପରେ ୨ଟି ଝିଅ ପର୍ଯ୍ୟନ୍ତ ବାହାଘର ପାଇଁ ୩୧.୦୫.୨୦୧୯ ପରଠାରୁ ୫୦ ହଜାର ଏବଂ ଏହା ପୂର୍ବରୁ ୨୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥାଏ । ପ୍ରସୂତୀ କାଳନୀ ସହାୟତାରେ ୨ ଗୋଟି ଶିଶୁ ପର୍ଯ୍ୟନ୍ତ ଗୋଟିକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ମୃତ୍ୟୁକାଳୀନ ସହାୟତାରେ ସ୍ୱାଭାବିକ ମୃତ୍ୟୁ ପାଇଁ ୨ଲକ୍ଷ, ଦୁର୍ଘଟଣା ମୃତ୍ୟୁ ପାଇଁ ୪ ଲକ୍ଷ, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥାଏ । ଶିକ୍ଷାବୃତ୍ତି ସହାୟତାରେ ୨ଗୋଟି ପିଲାପାଇଁ ୬ଷ୍ଠ ଓ ୭ମରେ ପଢ଼ୁଥିବା ଝିଅପାଇଁ ୨ ହଜାର, ୮ମ ଶ୍ରେଣୀ ପିଲାଙ୍କ ପାଇଁ ୨ ହଜାର ୯ମ ଶ୍ରେଣୀ ପିଲାଙ୍କ ପାଇଁ ୩ ହଜାର, ୧୦ମ ଶ୍ରେଣୀ ପାଇଁ ୪ ହଜାର, ଏକାଦଶ/ଦ୍ୱାଦଶ ପାଇଁ ୫ ହଜାର, ବି.ଏ. ବିକମ୍‌, ବି.ଏସି., ପି.ଜି. ପାଇଁ ୭,୦୦୦ ସି.ଟି ବିଇଡ଼ି, ନସିଂ ପାଇଁ ୧୦ ହଜାର, ବି.ଟେକ୍ / ଏମ୍‌.ସି.ଏ/ ଏମ୍‌.ବି.ଏ./.ଏମ୍‌.ଟେକ୍‌/ଏମ୍‌.ସି.ସି./ ବି.ଫାର୍ମ/ ଏମ୍‌.ଫାର୍ମ/ ହୋଟେଲ ମ୍ୟାନେଜ୍‌ମେଣ୍ଟ / କ୍ୟାଟରିଂ/ ମେଡ଼ିକାଲ ପାଇଁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥାଏ । ସୂଚନା ଯୋଗ୍ୟକି କେବଳ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହିସବୁ ସହାୟତା ପ୍ରଯୁଜ୍ୟ ଅଷ୍ଟମ ଶ୍ରେଣୀର ଉର୍ଦ୍ଧ୍ୱ ଶ୍ରେଣୀ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ୨୦% ଅଧିକ ସହାୟତା ପ୍ରଦାନ କରାଯାଇଥାଏ ।