Odiapua.com

ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା କଲ୍ୟାଣ ବୋର୍ଡର ପ୍ରତ୍ୟାହାର ନିଷ୍ପତ୍ତି ବିରୁଦ୍ଧରେ ଶ୍ରମ କମିଶନର କାର୍ଯ୍ୟାଳୟ ଘେରାଓ

ଭୁବନେଶ୍ୱର, ତା ୧୯ା୭ (ଓଡ଼ିଆ ପୁଅ) : କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ତଥା ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସନ୍ତାନ ସନ୍ତତିଙ୍କ ଅଧ୍ୟୟନ ପାଇଁ ପ୍ରଚଳିତ ଶିକ୍ଷା ସହାୟତା ରାଶି କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ ଦିଆଯିବ ବୋଲି ଏକ ନୂତନ ନିର୍ଦ୍ଦେଶ ବିରୁଦ୍ଧରେ ଆଜି ହଜାର ହଜାର ନିର୍ମାଣ ଶ୍ରମିକ “ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି ଓଡ଼ିଶା” ଆହ୍ୱାନରେ ଓଡ଼ିଶା ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଘେରାଓ କରାଯାଇଥିଲା। ରାଜ୍ୟରେ ନିର୍ମାଣ କ୍ଷେତ୍ରର ସମସ୍ତ ୟୁନିୟନ୍ ମାନଙ୍କୁ ନେଇ ଗଠିତ ନିର୍ମାଣ ଶ୍ରମିକ ୟୁନିୟନ୍ କମିଟି ଓଡ଼ିଶାର ଆବାହକ ତଥା ଏଆଇଟିୟୁସି ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସମାବେଶର ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣବୋର୍ଡ ଭଙ୍ଗ ହେବା ପରେ ପୁନର୍ଗଠିତ ନ ହୋଇ ମଧ୍ୟ ଶିକ୍ଷା ସହାୟତା ପ୍ରତ୍ୟାହାର ଅତ୍ୟନ୍ତ ନିନ୍ଦନୀୟ। ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କ ସନ୍ତାନ ସନ୍ତତିଙ୍କ ପାଇଁ ସରକାରୀ ଶିକ୍ଷାନୁଷ୍ଠାନରେ ଆଡମିଶନ ସୁନିଶ୍ଚିତ କରାଇଦେଲେ କୌଣସି ଶ୍ରମିକ ପ୍ରତିକ୍ରିୟା କରିବେ ନାହିଁ, କିନ୍ତୁ ବାସ୍ତବତା ହେଉଛି ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ସରକାରୀ ଅନୁଷ୍ଠାନର ଆସନ ସଂଖ୍ୟା ଏକ ଦଶମାଂଶରୁ କମ୍ ଅଛି। ଦ୍ୱିତୀୟତଃ ରାଜ୍ୟର ୩୨ଟି ଶ୍ରମ ଜିଲ୍ଲାରେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସହାୟତା ପ୍ରଦାନରେ ଶ୍ରମ ଅଧିକାରୀମାନଙ୍କ ହାତ ଚିକ୍କଣ ବିନା ଅସମ୍ଭବ ହେଲାଣି। ନିର୍ମାଣ ଶ୍ରମିକ ବାସଗୃହ ଯୋଗାଣ ବ୍ୟବସ୍ଥା ପଞ୍ଚାୟତିରାଜ ଜରିଆରେ କାର୍ଯ୍ୟକାରୀ କରାଇବା ନାମରେ ରାଜ୍ୟର ଜଣେ ହେଲେ ନିର୍ମାଣ ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଗୃହ ଦିଆଯାଇନାହିଁ। ୨୦୦୯-୧୦ରୁ ପଞ୍ଜିକୃତ ଶ୍ରମିକଙ୍କ ଫାଇଲ୍ ମିଳୁ ନଥିବା ଆଳରେ ସେମାନଙ୍କ ପଞ୍ଜିକରଣ ନମ୍ବର ଅପବ୍ୟବହାର କରାଯାଇ ଶ୍ରମ ଅଧିକାରୀ ଓ ଠକ ରାକେଟ୍ ଖାଇଯାଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ବିଭିନ୍ନ ଶ୍ରମିକ ସଂଗଠନ ଯଥା ଏଆଇଟିୟୁସି, ଏଚ୍ ଏମ୍ ଏସ୍, ଆଇଏନ୍ ଟିୟୁସି, ବିଏମ୍ ଏସ୍, ଏଆଇସିସିଟିୟୁ ସମେତ ୫୦ ରୁ ଅଧିକ ଶ୍ରମିକ ସଂଗଠନ ଓ ୟୁନିୟନମାନେ ଏହି ବିକ୍ଷୋଭରେ ଅଂଶଗ୍ରହଢ଼ଣ କରିଥିଲେ। ଏହି ସବୁ ସଂଗଠନ ପରକ୍ଷରୁ ବିଜୟ ଜେନା, ସୁର ଜେନା, ଜୟନ୍ତ ଦାସ, ପ୍ରଣତୀ ମିଶ୍ର, କିଶୋର ଜେନା, ବିପ୍ଳବ କେଶରୀ ମହାପାତ୍ର, ଶଙ୍କର୍ଷଣ ବେହେରା, ମନୋରଂଜନ ମହାରଣା, ମହାବୀର ମିଶ୍ର, ମହେନ୍ଦ୍ର ପରିଡ଼ା, ବସନ୍ତ ସାହୁ, ବିଦ୍ୟାଧର ମହାନ୍ତି, ସୋମନାଥ ଗିରି, କରୁଣା ଦାସ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଏହି ବିକ୍ଷୋଭରେ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଶ୍ରମ କମିଶନର ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ସାହୁଙ୍କୁ ସାକ୍ଷାତ କରି ୯ ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ କରିଥିଲେ। ଦାବିଗୁଡ଼ିକର ଯଥାର୍ଥତାକୁ ଶ୍ରମ କମିଶନର ସ୍ୱୀକାର କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷା ବୃତ୍ତିରୁ କୌଣସି ନିର୍ମାଣ ଶ୍ରମିକ ହିତାଧିକାରୀ ଯେଭଳି ବଞ୍ଚିତ ନ ହେବେ ସେଥିପାଇଁ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେଇଥବଲେ। ପୂର୍ବାହ୍ନ ୧୧ଟାରେ ଏକ ବର୍ଣ୍ଣାଢ୍ୟ ମିଳିତ ନିର୍ମାଣ ଶ୍ରମିକ ଶୋଭାଯାତ୍ରା ସହର ପରିକ୍ରମା କରି ଶ୍ରମ କମିଶନର କାର୍ଯ୍ୟାଳୟଠାରେ ପହଞ୍ôଚଥିଲେ।