Odiapua.com

ନିର୍ମାଣାଧୀନ ପ୍ରକଳ୍ପ ଡିସେମ୍ବର ସୁଦ୍ଧା ଶେଷ କରିବାପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି କମିଟି ବୈଠକ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ପି.ଡ଼ି. ଡୁଡ଼ା ମାନାସ ରଞ୍ଜନ ରାୟ, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ ଓ ପ୍ରହଲ୍ଲାଦ ରଣା ପ୍ରମୁଖ ଯୋଗ ଦେଇଥିଲେ । ଡି.ପି.ଏମ୍‌. ସରିତା ମହାପାତ୍ରଙ୍କ ଦ୍ୱାରା ବୈଠକରେ ବିଭିନ୍ନ ଯୋଜନା ର କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ ଆଧାରରେ ଆଲୋଚନା ଆରମ୍ଭ କରାଯାଇଥିଲା । ଜିଲ୍ଲାପାଳ ପ୍ରଥମେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପର ସ୍ଥିତାବସ୍ଥା ପ୍ରଗତି ଓ ସମସ୍ୟା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ । ଏନ୍‌.ଏଚ୍‌.ଏମ୍‌.ର ସହକାରୀ ଯନ୍ତ୍ରୀ ଜନ୍ମେଜୟ ଜେନାଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ମତେ ଜିଲ୍ଲାରେ ୮୮ ଟି ନୂଆ ସବ୍‌ସେଣ୍ଟର ନିର୍ମାଣ ପାଇଁ ସରକାରୀ ଅନୁମୋଦନ ମିଳିଥିଲାବେଳେ କୋର୍ଟ କେଶ୍ ଓ ଖାଲୁଆ ଜମି ପାଇଁ ୧୨ଟିର ନିର୍ମାଣ ଏବେ ସୁଦ୍ଧା ଆରମ୍ଭ ହୋଇ ପାରିନାହିଁ । ଚାନ୍ଦବାଲି ର ୨ଟି, ଭଦ୍ରକ ଓ ବନ୍ତର ଗୋଟିଏ ଲେଖାଏଁ ନବନିର୍ମିତ ସବ୍‌ସେଣ୍ଟର କୋଠାର ହସ୍ତାନ୍ତର ହୋଇଛି । ଅନ୍ୟ ସମସ୍ତ ନିର୍ମାଣାଧୀନ ପ୍ରକଳ୍ପକୁ ଡିସେମ୍ବର ଶେଷ ସୁଦ୍ଧା ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବର୍ତ୍ତମାନ ଆରମ୍ଭ ହୋଇଥିବା କାର୍ଯ୍ୟ ଅତିବେଶୀରେ ଜାନୁୟାରୀ ସୁଦ୍ଧା ଏବଂ ଆଦୌ ଆରମ୍ଭ ହୋଇନଥିବା କାର୍ଯ୍ୟ ଆଗାମୀ ୧୦ ରୁ ୧୫ ଦିନ ମଧ୍ୟରେ ଆରମ୍ଭ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଆଗରପଡ଼ାର ନୂଆ ସି.ଏଚ୍‌.ସି ନିର୍ମାଣ ପାଇଁ ୧୦ କୋଟି ୬୮ ଲକ୍ଷ, ଚାନ୍ଦବାଲି ଓ ଭଣ୍ଡାରିପୋଖରୀ ସି.ଏଚ୍‌.ସି କୋଠା ର ସଂପ୍ରସାରଣ ପାଇଁ ୪ କୋଟି ୯୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିବା ପ୍ରକାଶ କରାଯାଇଥିଲା । ସେହିପରି ନୂତନ ୧୦ଟି ପି.ଏଚ୍‌.ସିର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ଜଣାପଡ଼ିଛି । ନବନିର୍ମିତ ନୂତନ ଜିଲ୍ଲା ମୂଖ୍ୟ ଡାକ୍ତରଖାନା ପାଇଁ ବାକିଥିବା ରାସ୍ତା, ଟ୍ରାନସ୍‌ଫରମର, ଆଲୋକ ବ୍ୟବସ୍ଥା, ଇଣ୍ଟେରିଅର ସହ ସମସ୍ତ କାର୍ଯ୍ୟକୁ ମଧ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ କରିବା ପାଇଁ କୁହାଯାଇଥିଲା । ଜିଲ୍ଲାକୁ ସରକାରଙ୍କ ଠାରୁ ୧୧ଟି ୧୦୮ ନୂଆ ଆମ୍ବୁଲାନସ୍ ମିଳିଥିବା ନେଇ ସୂଚନା ଦିଆଯାଇଥିଲା । କଚେରୀ ରାସ୍ତା ଜନଗହଳି ରହୁଥିବାରୁ ନୂଆ ବସ୍‌ଷ୍ଟାଣ୍ଡ, ଶନିମନ୍ଦିର ଦେଇ ଆମ୍ବୁଲାନ୍‌ସ ସବୁ ପୁରୁଣା ଡ଼ି.ଏଚ୍‌.ଏଚ୍‌.କୁ ଯିବା ପାଇଁ ଜିଲ୍ଲାପାଳ ଆମ୍ବୁଲାନ୍‌ସ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଯୋଗ୍ୟକି ଦୁର୍ଘଟଣା କ୍ଷେତ୍ରରେ ୧୦୮ ଆମ୍ବୁଲାନସ୍ ପୀଡ଼ିତଙ୍କୁ ଘରୋଇ ହସ୍‌ପିଟାଲକୁ ନେଇ ପାରିବେ । ଅଣସଂକ୍ରାମକ ରୋଗ କ୍ଷେତ୍ରରେ କ୍ୟାନସର, ଉଚ୍ଚ ରକ୍ତଚାପ ଓ ଡାଇବେଟିସ ରୋଗ ନେଇ ୬୪% ଚିହ୍ନଟ କରାଯାଇ ପାରିଥିବା ସୂଚନା ଦିଆଯାଇଥିଲା । ସେହିପରି ପ୍ରସବ କ୍ଷେତ୍ରରେ ୫୩% ସରକାରୀ ଓ ୪୭% ଘରୋଇ ହସପିଟାଲରେ ଏବଂ ୯୦% ସିଜରିଆନ ଘରୋଇ ହସ୍‌ପିଟାଲ୍‌ରେ ଓ ୧୦% ସରକାରୀ ହସପିଟାଲରେ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । ଆମ ହସ୍‌ପିଟାଲ ଯୋଜନା ଭୁକ୍ତ ଡି.ଏଚ୍‌.ଏଚ୍‌. ସହିତ ୪ଟି ସି.ଏଚ୍‌.ସି. ଧାମନଗର, ଚାନ୍ଦବାଲି, ବାସୁଦେବପୁର, ଭଣ୍ଡାରିପୋଖରୀ ସହ ଅନ୍ୟ ହସ୍‌ପିଟାଲ ସବୁ ମଧ୍ୟ କାୟାକଳ୍ପ ପୁରସ୍କାର ପାଇଁ ପ୍ରତିଯୋଗିତାରେ ସାମିଲ୍ ହେବାକୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ । ପ୍ରସବ କରାଉଥିବା ଘରୋଇ ହସ୍‌ପିଟାଲ ସବୁ ଜନନୀ ସୁରକ୍ଷା ଯୋଜନାରେ ଆକ୍ରିଡ଼ିଏସନ୍ ନେଉ ନଥିବାରୁ ଆଶାକର୍ମୀ କିମ୍ବା ପ୍ରସୂତୀମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ପ୍ରୋତ୍ସାହନ ରାଶି ପାଇବାରୁ ବଞ୍ôଚତ ହେଉଥିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।