Odiapua.com

ନିର୍ମଳ ମାର୍କେଟର ପ୍ରକୃତ ନାମ ନିର୍ମଳ ମୁଣ୍ଡା ମାର୍କେଟ!

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ୧୯୮୨ ମସିହାରେ ପୈାରପାଳିକା ତରଫରୁ ସହରର ବ୍ୟବସାୟୀକ ପେଣ୍ଠସ୍ଥଳୀଭାବେ ପରିଚିତ ପାୱାରହାଉସ ରୋଡର ଏକ ପାଶ୍ୱରେ ନିର୍ମଳ ମୁଣ୍ଡା ମାର୍କେଟ ସ୍ଥାପିତ ହୋଇଥିଲା। ସେତେବେଳେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଜୟନ୍ତ ଦେବ ଅଧ୍ୟକ୍ଷ ଏବଂ ସହରର ଜଣାଶୁଣା ଶିକ୍ଷାବିତ, ଆଇନଜୀବୀ ଓ ସାମ୍ବାଦିକ ନାରାୟଣ ପ୍ରସାଦ ଦାଶ ଉପାଧ୍ୟକ୍ଷ ଥିଲେ। ପୈାରପାଳିକାର ଏକ ବିଶେଷ ବୈଠକରେ ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ନାମରେ ଉକ୍ତ ମାର୍କେଟ ନାମିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇ ସର୍ବସମ୍ମତିକ୍ରମେ ତାହା ଗୃହିତ ହୋଇଥିଲା। ସଂପ୍ରତି ଉକ୍ତ ମାର୍କେଟ ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡା ମାର୍କେଟ ପରିବର୍ତେ ନିର୍ମଳ ମାର୍କେଟ ନାମରେ ପରିଚିତ ହେଉଛି। ଏହାଦ୍ୱାରା ଜଣେ ସ୍ୱାଧୀନତା ସଂଗ୍ରାମୀ ପ୍ରତି ଏହା ଅପମାନ ଅଟେ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ସୁନ୍ଦରଗଡ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ତ୍ୟାଗପୁତ ଜୀବନୀକୁ ସ୍ମରଣୀୟ କରିବା ପାଇଁ ଆମ୍ କୋ-ସିମ୍ କୋ ଶହୀଦ ସ୍ମାରକୀ କମିଟି ପକ୍ଷରୁ ବେଦବ୍ୟାସ ଛକରେ ତାଙ୍କର ପ୍ରତିମୂର୍ତ୍ତୀ ସ୍ଥାପିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏଥି ସହିତ ଆମ୍ କୋ-ସିମ୍ କୋ ଠାରେ ଖୁଂଟକାଟି ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ ବ୍ରିଟିସ ଗୁଳିରେ ପ୍ରାଣ ହରାଇଥିବା ୪୯ ଜଣ ଜଣ ନିରିହ ଆଦିବାସୀଙ୍କ ଲୋମହର୍ଷଣ କାରି ଘଟଣାକୁ ହୃଦବୋଧ କରି ରାଜ୍ୟ ସରକାର ଉକ୍ତ ସ୍ଥଳରେ ଜାଲିୟାନାୱାଲାବାଗ ଢାଂଚାରେ ଏକ ଭବ୍ୟ ସ୍ମୃତି ସ୍ତମ୍ଭ ନିର୍ମାଣ କରିଛନ୍ତି ଏବଂ ଉକ୍ତ ସ୍ଥଳକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ଘୋଷଣା କରିଛନ୍ତି। କିନ୍ତୁ ନିର୍ମଳ ମୁଣ୍ଡାଙ୍କ ନାମରେ ନାମିତ ମାର୍କେଟକୁ ନିର୍ମଳ ମାର୍କେଟ ଭାବେ ବିବେଚିତ କରିବା କେତେଦୂର ସମିଚୀନ ବୋଲି ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେଣୁ ସ୍ୱାଧୀନତା ସଂଗ୍ରାମୀ ନିର୍ମଳ ମୁଣ୍ଡାଙ୍କ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ ପାଇଁ ରାଉରକେଲା ମହାନଗର ନିଗମ ନିର୍ମଳ ମାର୍କେଟକୁ ନିର୍ମଳ ମୁଣ୍ଡା ମାର୍କେଟ ଭାବେ ଚିତ୍ରିତ କରିବା ପାଇଁ ପଦକ୍ଷେପ ନେଲେ ଜଣେ ସ୍ୱାଧୀନତା ସଂଗାମୀକୁ ଉପଯୁକ୍ତ ସମ୍ମାନ ମିଳିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।