Odiapua.com

ନିର୍ବିବାଦ ଗ୍ରାମରେ ଆନ୍ଧ୍ରର ଅନୁପ୍ରବେଶ ଗାଲିଗାବଦାର ଗାଁର  କିଛି ଲୋକେ ଆନ୍ଧ୍ରରେ ଭୋଟ ଦେଲେ

କୋରାପୁଟ ; ତା୧୬-୦୨(ଓଡିଆ ପୁଅ /ରଂଜନ ଦାସ)ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଂଚାୟତର କୋଟିଆ ଗ୍ରାମପୁଞର  ସମୁଦାୟ ୨୮ ଟି ଗ୍ରାମ ମଧ୍ୟରୁ ୨୧ ଟି ଗ୍ରାମ ବିବାଦୀୟ ରହିଥିବାବେଳେ ଆନ୍ଧ୍ର ଅନୁପ୍ରବେଶ କରି ପଂଚାୟତ ନିର୍ବାଚନ କରିଥିଲା ।ଖାଲି ବିବାଦୀୟ ଗ୍ରାମରେ ନୁହେଁ ନିର୍ବିବାଦ ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରି ଭୋଟରମାନଙ୍କୁ ଲୋଭ ଦେଖାଇ ପଂଚାୟତ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ ସୁଦ୍ଧା ଆମ୍ଭର ବ୍ଲକ ପ୍ରଶାସନ କିପରି ଜାଣି ପାରିଲେ ନାହିଁ ତାହା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ବିବାଦୀୟ ଗ୍ରାମପୁଞ ଗଞେଇପଦର ,କୋଟିଆ ,ମାଡକାର ,ବର୍ଣ୍ଣାପାଡୁ ,ଡୋଲିଆମ୍ଭ ,କୋନାଦୋରା ,ସଲପଗୁଡା , ଫଗୁଣସେନେରୀ ,ଫାଟୁସେନେରୀ ,ହରମାଣ୍ଡିଙ୍ଗୀ ,ମୋହିପାଣି ,ଉପରସେମ୍ବି ,ତଳସେମ୍ବି ,ଧୂଲିପଦର ,ଆର୍ଜୁବାଲସା ,ତାଡିବାଲସା ,ନେରେଡିବାଲସା ,ସିଡିବାଲସା ,ରଣସିଂ ,ପନିକି ,ସିମାଗଡା ଗ୍ରାମକୁ ନେଇ ଆନ୍ଧ୍ର ୩ ଟି ପଂଚାୟତ ଯଥା ତଳଗେଞଇପଦର ,ଫଗୁଣସେନେରୀ ଓ ଫାଟୁସେନେରୀ  ଗଠନ କରି ନିର୍ବାଚନ ପ୍ରକ୍ରୀୟା ଶେଷ କରିଥିଲା ।ତଳଗଞେଇପଦର ଓ ଫଗୁଣସେନେରୀରେ ସରପଂଚ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାରୁ କେବଳ ଫାଟୁସେନେରୀରେ  ଗତ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଫାଟୁସେନେରୀ ବୁଥରେ ଓଡିଶାର ସାମ୍ବାଦିକ , ପ୍ରଶାସକ ଓ ରାଜନେତାମାନେ ଉପସ୍ଥିତ ରହିଥିଲେ ।କିନ୍ତୁ ନୂଆଗାଁ ପଂଚାୟତ ଅନ୍ତର୍ଗତ ଗାଲିଗାବଦାର କେଉଁ ପଂଚାୟତରେ ସାମିଲ ହେବା ଓ ଲୋକେ ଭୋଟ ଦେବା କଥା କେହି ଜାଣି ପରି ନ ଥିଲେ ।ଆନ୍ଧ୍ରର ଚାଲାକକୁ  ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ କିପରି ଜାଣି ପାରିଲା ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇ ରହିଯାଇଛି ।ଆନ୍ଧ୍ରର ସାଲୁର ମଣ୍ଡଳର ସାରିକା ପଂଚାୟତରେ ଗାଲିଗାବଦାର ନାମ ନିର୍ବାଚନ ପ୍ରକ୍ରୀୟାରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡିଛି ।ଗାଲିଗାବଦାର ନାମକୁ ଗାଲିଗାବାଦାରୀ ରଖାଯାଇଥିବା ଜଣାପଡିଛି ।ଗାଲିଗାବଦାରର କିଛି ଲୋକେ ଭୋଟଦେବାକୁ  ଯାଇଥିବା ଜିଲ୍ଲା ପ୍ରଶାସନ ଖବର ପାଇବା ପରେ କିଛି କର୍ମି ଗ୍ରାମକୁ ଯାଇ ଲୋକମାନଙ୍କୁ ତଥ୍ୟ ସଂଗ୍ରହ କରିଥିଲେ ବୋଲି ଜଣାପଡିଛି ।ନିର୍ବାଚନ ଗୋଟିଏ ଦିନ ପୂର୍ବରୁ କିଛି ଗ୍ରାମବାସୀ ବୁଥକୁ  ଯାଇ ଭୋଟଦେଇଥିଲେ ବୋଲି ଜଣାପଡିଛି ।ନାଗେଶ ଗୁନ୍ଥା , ପାଙ୍ଗୀ ଦାଶୁ , ପାଙ୍ଗୀ ଲେଙ୍ଗୁ , ଜାଲେରୀ ଭଗବାନ , ଜାଲେରୀ  ବିଶୁଙ୍କ ସହ ପ୍ରାୟ ୪୦ ଜଣ ଲୋକ ଭୋଟ ଦେଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡିଛି ।ସାରିକା ପଂଚାୟତରେ ଗାଲିଗାବଦାରକୁ ଅନ୍ତର୍ଭୁକ୍ତ କରାଯାଇ ଲୋକମାନେ ଭୋଟଦେଲେ କିନ୍ତୁ ବ୍ଲକ ପ୍ରଶାସନ ଜାଣିପାରିଲେ ନାହିଁ ।ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।ବେଆଇନ ଭାବେ ଆନ୍ଧ୍ର ନିର୍ବିବାଦ ଗ୍ରାମରେ ଅନୁପ୍ରବେଶ କରି ଲୋକମାନଙ୍କୁ ପ୍ରଭାବିତ କରି ଭୋଟଦେବାରେ ସଫଳ ହେଲା କିନ୍ତୁ ଜିଲ୍ଲା ପ୍ରଶାସନର ଗୁଇନ୍ଦା ବିଭାଗର ସଂପୂର୍ଣ୍ଣ  ବିଫଳତା ଏଠାରେ ଦର୍ଶାଉଥିବା ବେଳେ ଆନ୍ଧ୍ରର କର୍ମଚାରୀମାନେ ଉକ୍ତ ଗ୍ରାମକୁ ଆସି ଲୋକମାନଙ୍କୁ ରଣାସିଂ ବାଟଦେଇ ବୁଥକୁ ଆସିବାକୁ ପ୍ରର୍ବତାଇଥିଲେ ବୋଲି ଜଣାପଡିଛି ।