Odiapua.com

ନିର୍ବାଚନ ହାରିବା ଭୟରେ ବିଜେଡି ହିଂସା ପନ୍ଥା ଆପଣାଇ ଭୋଟରଙ୍କୁ ଭୟଭୀତ କରୁଛି:ବିଜେପି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର, ୧୭/୦୪ (ଓଡ଼ିଆ ପୁଅ) : ରାଜ୍ୟରେ ଆଇନଶୃଙ୍କଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରତିଦିନ ବିଜେପି କର୍ମୀମାନଙ୍କ ଉପରେ ଆକ୍ରମଣ ହେବା ସହ ହତ୍ୟା କରାଯାଉଛି। ଶାସକ ବିଜେଡି ଦଳର ଗୁଣ୍ଡାମାନେ ଅମାନୁଷିକ କାଣ୍ଡ ଘଟାଇ ବିରୋଧୀ ଏବଂ ସାଧାରଣ ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି। ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି। ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ ବିଜେଡିର ଗୁଣ୍ଡାମାନେ ହ୍ରିଂସ ହୋଇପଡିଛନ୍ତି। ରାଜ୍ୟରେ ଦୁର୍ଷ୍କମ, ହତ୍ୟା ଆଦି ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଇଛି। ବିଜେଡି ଦଳର ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀ ମାନେ ଖୁଲୁମଖୁଲା ଅପରାଧ ଘଟାଇ ଚାଲିଛନ୍ତି। ତୁରନ୍ତ ଏମାନଙ୍କର ଗୁଣ୍ଡାରାଜକୁ ଦମନ କରିବା ସହ ରାଜ୍ୟରେ ଶାନ୍ତିର ବାତାବରଣ ସୃଷ୍ଟି କରିବା ସହ ମୁକ୍ତ ଏବଂ ଅବାଧ ଓ ଭୟମୁକ୍ତ ନିର୍ବାଚନ କରିବା ଦାବିରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅପରାଧ ଘଟାଉଥିବା ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଛନ୍ତି।

ଗତ କିଛିଦିନ ତଳେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଶାସକ ବିଜେଡି ଦଳର ଗୁଣ୍ଡାମାନେ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ବଦ୍ରି ପାତ୍ର ଏବଂ ତାଙ୍କ ପୁଅଙ୍କ ସଂପୃକ୍ତି ଥିବାର ପ୍ରମାଣ ରହିଛି। ମାର୍ଚ୍ଚ ୧୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଗୁଳି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ପାଖରେ ଯାଇଛି। ଏହି ଘଟଣାକୁ ୩ ଦିନ ବିତିଥିଲେ ବି ଏଯାବତ ଜଣକୁ ମଧ୍ୟ ପୋଲିସ ଗିରଫ କରିପାରି ନାହିଁ। ସେହିପରି ୨ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ସହ ହତ୍ୟା କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ଅନେକ ସ୍ଥାନରେ ବୁଥ କ୍ୟପଚରିଂ, ରିଗିଂ ଏବଂ ଭୋଟରଙ୍କୁ ଲାଂଚ ସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକ ଦିଆଯାଇଛି। ଗତ ୧୫ ତାରିଖ ଦିନ ବିଜେପି କାର୍ଯ୍ୟକର୍ତାଙ୍କୁ ଶାକ ବିଜେଡି ଦଳର କିଛି ଗୁଣ୍ଡମାନେ ଠେଙ୍ଗାରେ ବାଡେଇ ହତ୍ୟା କରିଛନ୍ତି। ବିଜେଡିର କର୍ମୀମାନେ ବିଜେପିର ପୋଷ୍ଟର ଚିରିବା ସହ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମତଦାତାଙ୍କୁ ଟଙ୍କା ଏବଂ ଧମକ ଦେଉଛନ୍ତି। ଏହା ବିରୁଦ୍ଧରେ ବିଭିନ୍ନ ଥାନାରେ ଏତଲା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପ୍ରତିନିଧୀ ଦଳ ଦାବିପତ୍ରରେ ଦାବି ଜଣାଇଛନ୍ତି।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ମୁଖ୍ୟ ସଂଯୋଜକ ରବିଶଙ୍କର ପଟ୍ଟନାୟକ, ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।