Odiapua.com

ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେବେ ଶତାଧିକ ବିଜେଡି ନେତା

ଭୁବନେଶ୍ୱର(ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଛାଡିବା ପାଇଁ ଏକ ପ୍ରକାର ମନସ୍ଥ କରି ସାରିଲେଣି ଅନେକ ବିଜେଡି ନେତା। ଏହି ନେତାମାନେ ଏବେ ବିଜେଡିରେ ଅଲୋଡା। ଆସନ୍ତା ନିର୍ବାଚନରେ ଟିକେଟ ପାଇବେନି ବୋଲି ଦୃଢ ନିଶ୍ଚିତ ହୋଇ ସାରିଲେଣି। ତେଣୁ ଡୁବି ଯାଉଥିବା ରାଜନୈତିକ କ୍ୟାରିୟରକୁ ବଂଚାଇବାକୁ ଯାଇ ଏମାନେ ଦଳ ତ୍ୟାଗ କରିବେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣା ପଡିଛି।

ବିଜେଡିର ବରିଷ୍ଠ ନେତା ଡଃ ଦାମୋଦର ରାଉତ ଏବେ ବିଜେଡିରେ କଣଠୋସା। ପିତା ପୁତ୍ର ଫର୍ମୁଲାରେ ଏବେ ସିଏ ଅଣ ନିଶ୍ୱାସୀ। ତାଙ୍କ ପୁତ୍ର ସମ୍ବିତଙ୍କୁ ଏବେ ବିଜେଡି ଗୁରୁତ୍ୱ ଦେଉଛି। ଏହାର ଏକମାତ୍ର କାରଣ ଦାମୋଦର ରାଉତଙ୍କ ପତ୍ତା ସାଫ୍ କରିବା। ଏହାକୁ ସହ୍ୟ କରିବା ଅବସ୍ଥାରେ ନାହାଁନ୍ତି ଏହି ପୂର୍ବତନ ମନ୍ତ୍ରୀ। ପୂର୍ବରୁ ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କୁ ମଧ୍ୟ ଏକା ଅବସ୍ଥା ଭୋଗିବାକୁ ପଡିଛି। ସେ ଏବେ ବିଜେଡି ରାଜନିତୀ ଠାରୁ ସଂପୂର୍ଣ୍ଣ ଦୂରରେ। ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ନାଆଁକୁ କେବଳ ମନ୍ତ୍ରୀ। କେହି କିଛି ଶୁଣୁ ନାହାଁନ୍ତି। ତା ସାଙ୍ଗକୁ ପୁଅ ବିପ୍ଲବ ପାତ୍ର ଏବେ ସିବିଆଇ ପଞ୍ଜାରେ। ଯଦି ଆଗକୁ ସିବିଆଇ କିଛି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ତାଙ୍କ ରାଜନୈତିକ କାର୍ଯ୍ୟକଳାପରେ ଡୋରୀ ବାନ୍ଧିଯିବ ବୋଲି ସେ ଅନୁମାନ କରି ସାରିଲେଣି। ଏହା ହେଉଛି କିଛି ଉଦାହରଣ ମାତ୍ର। ବିଜେଡିରେ ଏମିତି ଶହ ଶହ ନେତା ଅଛନ୍ତି ଯେଉଁମାନଙ୍କର ଖାତା ଖତିଆନ ଆଉ ଦଳ ଭିତରେ କିଛି ନାହିଁ। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ଏମାନଙ୍କ ପାଇଁ ସ୍ୱପ୍ନ ହୋଇ ଗଲାଣି। ଯଦିବା ଭେଟ ହେଉଛି ଗୁହାରି ଜଣାଇଲେ କିଛି ଫଳ ମିଳୁ ନାହିଁ। ବର୍ଷାଧିକାଳ ଚାଲିଛି ଏହି ପାଲା। ତୃତୀୟ ମହଲାକୁ ଗଲେ ସେଠାରେ କାର୍ଯ୍ୟରତ ଅଫିସରମାନେ ଭଲରେ ଦି ପଦ କଥା ମଧ୍ୟ ହେଉ ନାହାଁନ୍ତି। ବସିବାକୁ ଚଉକି ଖଣ୍ଡେ ମିଳୁ ନାହିଁ। ତୃତୀୟ ମହଲା ଛାଡି ନବୀନ ନିବାସ ଆସିଲେ ବି ସେଠାକାର ଅବସ୍ଥା ସେଇଆ। ଆଇଏସ, ଆଇପିଏସ ଅଫିସରଙ୍କ ଗହଳି ସଦାବେଳେ ନବୀନ ନିବାସରେ। ଏମାନଙ୍କ ଅବାଧ ପ୍ରବେଶ ଭିତରକୁ। ନେତା, ମନ୍ତ୍ରୀ ବାହାରେ ବସି ବସି ସୁପ୍ରିମୋଙ୍କ ବିନା ସାକ୍ଷାତରେ ଫେରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଅନେକ ନେତା ଆଉ ତାଙ୍କ ଗାଡି ନେଇ ନବୀନ ନିବାସ ଭିତରକୁ ଯାଉ ନାହାଁନ୍ତି। କାରଣ ଭିତରକୁ ଗଲେ ତାଙ୍କ ଡ୍ରାଇଭର ଦେଖିବ ବାବୁଙ୍କ ଦୁର୍ଦ୍ଦିନ ଅବସ୍ଥା। ନେତା ବାହାରେ ଅଫିସର ଭିତରେ।

ତେଣୁ ଏଭଳି ପରିସ୍ଥିତିରେ ଆଉ ଦଳ ସହିତ ରହିବେ ନାହିଁ ବୋଲି ଏହି ନେତାମାନେ ପ୍ରତିଜ୍ଞା କରି ସାରିଲେଣି। ମାତ୍ର ରାଜନୀତିରେ ତ ରହିବାକୁ ପଡିବ। ସମ୍ମୁଖରେ ଦୃଶ୍ୟମାନ ଦୁଇଟି ଦଳ। ଗୋଟିଏ ବିଜେପି ଓ ଅନ୍ୟଟି କଂଗ୍ରେସ। ବିଜେପୁର ଉପନିର୍ବାଚନ ପରେ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅବସ୍ଥା ବାର ବାଜି ଯାଇଥିଲା। ସେ ଆଉ ଓଡିଶାର ମଙ୍ଗ ଧରିବେ ନାହିଁ ବୋଲି ସ୍ପଷ୍ଟ ସଂକେତ ମିଳୁଥିଲା। ଯଦି ଧର୍ମେନ୍ଦ୍ରଙ୍କ ସ୍ଥାନରେ ଆଉ କିଏ ମଙ୍ଗ ଧରିଥାନ୍ତା ତେବେ ଏହି ଅସନ୍ତୁଷ୍ଠ ବିଜେଡି ନେତା ବିଜେପିକୁ ଲମ୍ଫ ପ୍ରଦାନ କରିଥାନ୍ତେ। ମାତ୍ର କିଛି ଦିନ ପରେ ପରିସ୍ଥିତରେି ପୁଣି ପରିବର୍ତ୍ତନ ହୋଇ ଯାଇଥିଲା। ଧର୍ମେନ୍ଦ୍ର ପୁଣି ଓଡିଶା ବିଜେପି ରାଜନୀତିର ସର୍ବେସର୍ବା ବୋଲି ଜଣା ପଡିଲା। ତେଣୁ ଏହି ବିଜେଡି ନେତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି କନିଷ୍ଠ ନେତାଙ୍କ ନେତୃତ୍ୱକୁ ଗ୍ରହଣ କରିବାକୁ ପସନ୍ଦ କଲେ ନାହିଁ। ରାଜନୈତିକ ଘଟଣାଚକ୍ରରେ କଂଗ୍ରେସର ଭାଗ୍ୟ ପରିବର୍ତ୍ତନ ହେଲା ଓ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ମଙ୍ଗ ଧରିଲେ। ନିରଞ୍ଜନ ଓଡିଶା ରାଜନୀତିରେ ଜଣେ ପୁରୁଖା ନେତା। ବହୁବାର ମନ୍ତ୍ରୀ ହୋଇଛନ୍ତି। ଦୀର୍ଘ ୪୦ ବର୍ଷ ଧରି ଓଡିଶା ରାଜନୀତିରେ ସଂପୃକ୍ତ। ସେ ପିସିସି ସଭାପତି ହେବା ପରେ କଂଗ୍ରେସ ଏବେ ପୁରା ସକ୍ରୀୟ। ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏବେ ପଦୋନ୍ନତି ପାଇ ଦ୍ୱିତୀୟ ସ୍ଥାନରେ ପହଁଚିଛି। ଆସନ୍ତା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ସରକାର ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ। ତେଣୁ ଏପରି ସୁଯୋଗକୁ ହାତ ଛଡା କରିବାକୁ ଚାହୁଁ ନାହାଁନ୍ତି ଅସନ୍ତୁଷ୍ଟ ବିଜେଡି ନେତା। ନିରଞ୍ଜନଙ୍କ ନେତୃତ୍ୱକୁ ଏମାନେ ଗ୍ରହଣ କରିବାକୁ ପ୍ରସ୍ତୁତ। ଅଧିକାଂଶ ନେତା ନିରଞ୍ଜନଙ୍କ ସମସାମୟିକ। ଆଉ ଅନେକ ତାଙ୍କ ଠାରୁ ରାଜନୀତିରେ କନିଷ୍ଠ। କଥାବାର୍ତ୍ତା ଚୁଡାନ୍ତ ପର୍ଯ୍ୟାୟରେ। ଅସନ୍ତୋଷର ଦାନା ଖୁବ ଶୀଘ୍ର ବିସ୍ଫୋରକ ପରିସ୍ଥିତି ଆଡକୁ ମୁହାଁଉଛି। ଖାଲି ପାଣିପାଗକୁ ଅପେକ୍ଷା।