Odiapua.com

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ, ଚାକିରିରୁ ନିଲମ୍ବିତ ହେଲେ ବନ୍ତ ତହସିଲର ଏ.ଆର.ଆଇ. ରାମନାରାୟଣ ସାମଲ

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ କାର୍ଯ୍ୟରେ ଅବହେଳା ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଚାକିରୀରୁ ନିଲମ୍ବନ କରାଯାଇଛି । ଭଦ୍ରକ ଜିଲ୍ଲାର ବନ୍ତ ତହସିଲରେ କାର୍ଯ୍ୟରତ ସହକାରୀ ରାଜସ୍ୱ ନିରୀକ୍ଷକ ରାମ ନାରାୟଣ ସାମଲ ନିର୍ବାଚନ କାର୍ଯ୍ୟରେ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଓଡ଼ିଶା ସିଭିଲ ସର୍ଭିସ୍ ନିୟମାନୁଯାୟୀ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତାଙ୍କୁ ସରକାରୀ ଚାକିରୀରୁ ତୁରନ୍ତ ନିଲମ୍ବନ ଆଦେଶ ପ୍ରଦାନ କରିଛନ୍ତି । ନିଲମ୍ବନ ସମୟରେ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ତାଙ୍କ ପାଇଁ ସଦର ମହକୁମା ସ୍ଥିର କରାଯାଇଛି ଏବଂ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ନ ଛାଡ଼ିବାକୁ ଆଦେଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟରେ କୌଣସି କର୍ମଚାରୀଙ୍କ କ୍ଷେତ୍ରରେ ଆଗକୁ ଏଭଳି ଅବହେଳା ପରିଲକ୍ଷିତ ହେଲେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।