Odiapua.com

ନିର୍ବାଚନୀ ଉଷ୍ମତା ବୃଦ୍ଧି, ପୁଲିସର ଫ୍ଲାଗମାର୍ଚ୍ଚ

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି। ବିଶେଷ କରି ସନ୍ଧ୍ୟା ସମୟରେ ବିଭିନ୍ନ଼ ଛକ ଓ ଜନଗହଳିପୂର୍ଣ୍ଣ ଜାଗାମାନଙ୍କରେ ନିର୍ବାଚନୀ ଚର୍ଚ୍ଚା ଓ ଛକାପଞ୍ଛାକୁ ନେଇ ବିବାଦ ଗଣ୍ଡଗୋଳର ରୂପ ନେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଗତ ଦୁଇ ଦିନ ଧରି ସନ୍ଧ୍ୟା ସମୟରେ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି। ଜିଲ୍ଲା ଅତିରିକ୍ତ ପୁଲିସ ଅଧିକ୍ଷକ ବିଜୟ ରଞ୍ଜନ କେରକେଟା ଓ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ସରସଦା, ଷୋଳମପୁର, ମାଳଦା, ବାଲିପୋଖରୀ, ଛତାବର ଆଦି ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରିଥିଲା। ଏହି ଫ୍ଲାଗମାର୍ଚ୍ଚ ଓ ପାଟ୍ରୋଲିଂ କ୍ରମାଗତ ଭାବେ କରାଯିବ ବୋଲି ଜଣାଯାଇଛି।