ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ରାଜନଗର ପଂଚାୟତ ଅଧୀନ ଚାରିତରଫ ସମବାୟ ସମିତିର ନିର୍ମାଣ ଚାଲିଥିବା ନିମ୍ବମାନର ଗୋଦାମ ଗୃହ କାର୍ଯ୍ୟ ବନ୍ଦ କରିବାକୁ ଅଂଚଳ ବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସେମାନେ ବିଭିନ୍ନ ସମୟରେ ପୂର୍ତ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନିମ୍ନମାନର ନିର୍ମାଣ ହେଉଥିବା ଗୋଦାମ ଗୃହ କାର୍ଯ୍ୟକୁ ସେମାନେ ବାଧ୍ୟହୋଇ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି କ୍ଷ ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି, ଗୋଦାମ ଘର ନିର୍ମାଣ ପାଇଁ ୨୦୨୪-୨୦୨୫ରେ ୭୩ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କାର୍ଯ୍ୟ ଆରମ୍ଭ ହେବାର ବର୍ଷେ ପୁରି ଥିଲେ ମଧ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଲୁଣା ବାଲି ବ୍ୟବହାର ହେଉଥୁବା ସହ ସିମେଂଟ ଭାଗ କମ ଦିଆଯାଇ କାମ କରାଯାଉଥୁବା ଦର୍ଶାଯାଇଛି । ଏଥିଯୋଗୁ କିଛି ସ୍ଥାନରୁ ବାଲି ସିମେଂଟ ଝରିବା ଆରମ୍ଭ କଲାଣି । ଏହାଛଡ଼ା ଲୋକଙ୍କ ଅବଗତି ନିମନ୍ତେ ଫଳକ ଲଗାଯାଇ ନଥିବାରୁ ଅନୁଦାନ ଏବଂ କାର୍ଯ୍ୟ ସମ୍ପର୍କରେ ଜାଣିବା ସମ୍ଭବ ହୋଇନାହିଁ । ମିଳିଥିବା ଅନୁଦାନରେ ଗୋଦାମ ସହ ଚାଷୀଙ୍କ ପାଇଁ ବିଶ୍ରାମ କକ୍ଷ, ଧାନ ଶୁଖାଇବା ପାଇଁ ଖଳା କାର୍ଯ୍ୟ ନିର୍ମାଣ କରାଯାଉଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟସ୍ଥଳକୁ ଯାଉ ନାହାନ୍ତି । ଯାହାଫଳରେ ଠିକାଦାର ଇଚ୍ଛା ମୁତାବକ ନିମ୍ନମାନର କାମ କରିଚାଲିଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ଏହା ପୂର୍ବରୁ ସେହି ସ୍ଥାନରେ ପଂଚାୟତ ପକ୍ଷରୁ ସାତ ଲକ୍ଷ ଟଙ୍କା ବ୍ୟୟରେ ସୁନାଖଳା ନିର୍ମାଣ ହୋଇଥିଲା । ଏବେ ସେ ଖଳା ଉପରେ ଅଳ୍ପ କିଛି ଢ଼ଳେଇ କରି ଠିକାଦାର ବିଲ ଉଠାଉଥିବା ସନ୍ଦେହ ପ୍ରକାଶ ପାଇଛି । ଏ ସମ୍ପର୍କରେ ପୂର୍ତ ବିଭଗ କନିଷ୍ଠ ଯନ୍ତ୍ରୀ ପ୍ରକାଶ ପାଣିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗୋଦାମ ଘର ନିର୍ମାଣ କାର୍ଯ୍ୟର ତଦାରଖ କରାଯାଉଛି । ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉ ନାହିଁ।ଆସନ୍ତା ମାସରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି ।