Odiapua.com

ନିମ୍ନମାନର କାର୍ଯ୍ୟ ଯୋଗୁଁ ଧସିଲା ମା’ ଭଦ୍ରକାଳୀ ପୀଠର ପାଚେରୀ

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଲକ୍ଷାଧିକ ଟଙ୍କାରେ ନିର୍ମିତ ମା’ ଭଦ୍ରକାଳୀ ମନ୍ଦିର ପରିସର ଭିତରେ ଥିବା ପୋଖରୀର ନିର୍ମିତ ପାଚେରୀ ଧସିପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ଗତ ୧ ତାରିଖରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଭଦ୍ରକ ଗସ୍ତରେ ଆସିଥିବାବେଳେ ମା’ ଭଦ୍ରକାଳୀଙ୍କ ଦର୍ଶନ କରିବା ସହିତ ମନ୍ଦିରର ଆଧୁନିକୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ଭଦ୍ରକ ବିଧାୟକଙ୍କ ପାଣ୍ଠିରୁ ୯ ଲକ୍ଷ ଓ ଏନ୍‌ଆରଇଜିଏସ୍ ପାଣ୍ଠିରୁ ୧୨ ଲକ୍ଷ ମୂଲ୍ୟରେ ନିର୍ମିତ ମନ୍ଦିର ପରିସରସ୍ଥ ପୋଖରୀ ପାଚେରୀ ସାମାନ୍ୟ ଲଘୁଚାପ ବର୍ଷାରେ ଧସିପଡିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାର୍ଯ୍ୟ ହୋଇଥିବା କାରଣରୁ ଏଭଳି ଘଟଣା ଘଟିଥିବାର ସଂଗୀନ ଅଭିଯୋଗ ଆଣିଛନ୍ତି ମା’ଙ୍କ ସେବାୟତମାନେ । ଅନୁରୂପ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସ୍ଥାନୀୟ ଲୋକେ ଦାବି କରିବା ପରେ ଏହି ଘଟଣାର ତଦନ୍ତ ପାଇଁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।