Odiapua.com

ନିଟ ପରୀକ୍ଷାଫଳ ପ୍ରକାଶିତ: ଓଡିଶାରୁ ୧୯୨୪୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ: ମହିଳା ଟପ-୨୦ରେ ରାଜ୍ୟରୁ ସଙ୍ଗୀତା ଅଗ୍ରୱାଲ- ରାଜ୍ୟର ପାସ ହାର ୫୯.୪୪ ପ୍ରତିଶତ

– ୫ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ

ଭୁବନେଶ୍ୱର ୬ ଜୁନ୍ (ଓଡ଼ିଆ ପୁଅ) ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ)ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-୨୦୧୯ର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡିଶାରୁ ୫୯.୪୪ ପ୍ରତିଶତ ହାରରେ ୧୯୨୪୪ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି। ଓଡିଶାର ସଙ୍ଗୀତା ଅଗ୍ରୱାଲ ଶ୍ରେଷ୍ଠ-୨୦ ମହିଳା ବର୍ଗରେ ସ୍ଥାନ ପାଇ ୧୭ତମ ସ୍ଥାନରେ ରହିଛନ୍ତି। ଅଣ ସଂରକ୍ଷିତ ବର୍ଗର ଏହି ପରୀକ୍ଷାର୍ଥୀ ମୋଟ ୬୮୦ ନମ୍ବର ରଖିଥିବା ବେଳେ ତାଙ୍କ ନମ୍ବର ପ୍ରତିଶତ ରହିଛି ୯୯.୯୯୧୮୪୮୩.। ତାଙ୍କର ସର୍ବଭାରତୀୟ ର୍ୟାଙ୍କ ରହିଛି ୯୧। ରାଜସ୍ଥାନର ନଲିନ ଖଣ୍ଡେଲୱାଲ ମୋଟ ୭୦୧ ନମ୍ବର ସହ ଉଭୟ ବର୍ଗରେ ଟପର ହୋଇଛନ୍ତି।

ରାଜ୍ୟରୁ ମୋଟ ୩୫୦୯୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲା ବେଳେ ୩୨୩୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୨୭୧୫ ଜଣ ଅନୁପସ୍ଥିତ ଥିଲେ। ୨୦୧୮ରେ ଓଡିଶା ପାଇଁ ପରୀକ୍ଷାଫଳ ୬୦.୬୮ ପ୍ରତିଶତ ଥିଲାବେଳେ ଚଳିତ ବର୍ଷ ପାସ ହାରରେ ହ୍ରାସ ଘଟିଛି। ଓଡିଆ ଭାଷାରେ ମୋଟ ୭୦୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେହିପରି ଦେଶରେ ମୋଟ ୧୫୧୯୩୭୫ ପରୀକ୍ଷାର୍ଥୀ ପଂଜୀକୃତ କରିଥିଲାବେଳେ ୧୪୧୦୭୫୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ ୫୬.୫୦ପ୍ରତିଶତ ହାରରେ ୭୯୭୦୪୨ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ (୫୬.୨୭ ପ୍ରତିଶତ) ତୁଳନାରେ ଚଳିତ ବର୍ଷର ପାସ ହାର ଉନ୍ନତ ରହିଛି। ଦିଲ୍ଲୀର ପାସ ହାର ସର୍ବାଧିକ ୭୪.୯୨ ପ୍ରତିଶତ ରହିଛି। ଦିଲ୍ଲୀରୁ ମୋଟ ୩୦୨୧୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ୨୨୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ନାଗାଲାଣ୍ଡରେ ସର୍ବନିମ୍ନ ପାସହାର ୩୪.୫୨ ରହିଛି।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଚଳିତ ଥର ୫ ଜଣ ତୃତୀୟ ଲିଙ୍ଗ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏନଟିଏ ତରଫରୁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ସ୍ନାତକ)-୨୦୧୯ ଦେଶବ୍ୟାପୀ ମେ ୫ ତାରିଖ ଦିନ ଆୟୋଜିତ କରାଯାଇଥିଲା। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଭାରତୀୟ ମେଡିକାଲ କାଉନସିଲ/ ଭାରତୀୟ

ଡେଂଟାଲ କାଉନସିଲ ଅନୁମୋଦିତ ମେଡିକାଲ, ଡେଂଟାଲ କଲେଜରେ ଏମବିବିଏସ/ବିଡିଏସ କଲେଜରେ ଆଡମିଶନ ପାଇଁ ଏହି ପରୀକ୍ଷାର ଆୟୋଜନ କରାଯାଇଥାଏ।

ଏହି ପରୀକ୍ଷା ମାଧ୍ୟମରେ ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀ ସର୍ବଭାରତୀୟ କୋଟା ଆସନ, ରାଜ୍ୟ ସରକାର କୋଟା ଆସନ, ରାଜ୍ୟ ମ୍ୟାନେଜମେଂଟ, ଘରୋଇ ମେଡିକାଲରେ ଏନଆରଆଇ କୋଟା ଆସନ, ଡେଂଟାଲ କଲେଜ, କୌଣସି ଘରୋଇ ଡିମ୍ଡ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ପୁଲ କୋଟା ଆସନରେ ନାମ ଲେଖାଇ ପାରିବେ। ଭାରତୀୟ ନାଗରିକ, ପ୍ରବାସୀ ଭାରତୀୟ, ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିବା ଭାରତୀୟ, ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଏବଂ ବିଦେଶୀ ନାଗରିକ ନିଟ ପରୀକ୍ଷା ଦେଇ ପାରିବେ।