Odiapua.com

ନିଜ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ନୃଶଂସ ଚଉକିଆ, ଥାନାରେ ଅଟକ, ପୋଲିସ ତଦନ୍ତ ଜାରି

ହରିଚନ୍ଦନପୁର, ତା ୧୬ ମଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସତ୍ୟପାଳ ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଗତ ଶନିବାର ବିଳମ୍ବିତ ରାତିରେ ଗ୍ରାମରକ୍ଷୀ(ଚଉକିଆ) ବିମ୍ବାଧର ପାତ୍ର କୌଣସି କାରଣରୁ ନିଜ ପତ୍ନୀ ଦୁଃଖି ପାତ୍ରଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଉକ୍ତ ରାତିରେ ସ୍ବାମୀ ସ୍ତ୍ରୀ ଖାଇସାରି ସୋଇବା ସମୟରେ ଉଭୟ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ସୃଷ୍ଟି ହୋଇଥିଲା । ଝଗଡ଼ାକୁ ନେଇ ବିମ୍ବାଧର ରାଗିଯାଇ ନୃଶଂସ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା । ସକାଳ ସମୟରେ ପଡୋଶୀ ଲୋକେ ଘଟଣା ସମ୍ପର୍କରେ ଜାଣି ଦୁଃଖି ପାତ୍ରଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଘଟଣାର ଖବର ପାଇ ପୋଲିସ୍ ଅଭିଯୁକ୍ତ ବିମ୍ବାଧରକୁ ଅଟକ ରଖିଥିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏଥିସହ ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।