Odiapua.com

ନିଜ ସୁରକ୍ଷା ନିଜ ହାତରେ; ଲୋକ ଦେଖାଣିଆ ସଡକ ସୁରକ୍ଷା

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତମାସ ୧୮ ତାରିଖ ଠାରୁ ଜିଲ୍ଲାବ୍ୟାପି ପାଳିତ ହେଉଛି ସଡକ ସୁରକ୍ଷା ସପ୍ତାହ । ପୋଲିସ, ପ୍ରଶାସନ ଏବଂ ପରିବହନ ବିଭାଗ ମିଳିତ ସହଯୋଗରେ ପାଳିତ ହେଉଛି ଏହି ସପ୍ତାହ । ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ବୁଲୁଛି ସଚେତନତା ରଥ । ସଡକ ସୁରକ୍ଷା ଏବଂ ଏଥିସହ ଜଡିତ ମୋଟରଯାନ ଆଇନ ସଂର୍ପକରେ ଲୋକ ମାନଙ୍କୁ ସଚେତନ କରାଯାଉଛି । ଏଥିନେଇ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଏବଂ ଆଲୋଚନା ଚକ୍ର ମଧ୍ୟ କରାଯାଉଛି । ହେଲେ ରୋକି ହେଉନି ସଡକ ଦୁର୍ଘ୍ୟଟଣା । ପ୍ରତିବର୍ଷ ବଢି ଚାଲିଛି ସଡକ ଦୁର୍ଘ୍ୟଟଣା । ଦୁର୍ଘଟଣା ରୋକିବା ଆଳରେ କତୃପକ୍ଷ କେବଳ ଲୋକଙ୍କ ଠାରୁ ମୁଠା ମୁଠା ଟଙ୍କା ଜରିମାନା ଆଦାୟ କରୁଛନ୍ତି । ଫଳରେ ଲୋକ ଦେଖାଣିଆ ପ୍ରମାଣିତ ହେଉଛି ସଡକ ସୁରକ୍ଷା ସଚେତନତା । ଦୁର୍ଘଟଣା ରୋକିବାକୁ ଉପଯୁକ୍ତ ସଡକ ନିର୍ମାଣ ହେଉନାହିଁ କିମ୍ଭା ଦୁର୍ଘ୍ୟଟଣା ପ୍ରବଣ ସ୍ଥାନ ମାନଙ୍କରେ ଦୁର୍ଘଟଣା ରୋକିବା ସକାସେ ସ୍ଥାୟୀ ପ୍ରତିକାର ହେଉନାହିଁ । ପରନ୍ତୁ ହେଲମେଟ,ଡିଏଲ ଗାଡି କାଗଜପତ୍ର ଏବଂ ଓଭର ଲୋଡିଙ୍ଗ ଚେକିଙ୍ଗ ଆଳରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା କେବଳ ଜରିମାନା ଆଦାୟ ଚାଲିଛି । ସରକାରୀ ହିସାବ ଅନୁଯାଇ ଗତ ୨୦୧୯ ମସିହାରେ ଜିଲ୍ଲାରେ ୩୨୫ ଗୋଟି ସଡକ ଦୁର୍ଘ୍ୟଟଣା ଘଟି ୧୬୨ ଜଣ ମୃତ ଏବଂ ୨୪୬ ଜଣ ଆହତ ହୋଇଥିବା ବେଳେ ଗତ ୨୦୨୦ ମସିହାରେ ୨୪୧ ଗୋଟି ଦୁର୍ଘ୍ୟଟଣା ଘଟି ୧୧୦ ଜଣ ମୃତ ଏବଂ ୨୫୧ ଜଣ ଆହତ ହୋଇଛନ୍ତି । ତେବେ ଗତ ୨୦୨୦ ମସିହାରେ କରୋନା ଯୋଗୁ ପାୟ ୬ ମାସ କାଳ ଗାଡି ମୋଟର ଚଳା ଚଳ ବନ୍ଦ ରହିବା ସତ୍ୱେ ମଧ୍ୟ ସଡକ ଦୁର୍ଘଟଣା ହ୍ରାସ ପାଇନାହିଁ । ତେଣୁ ପୂର୍ବ ବର୍ଷ ତୁଳନାରେ ଗତ ବର୍ଷ ଆନୁପାତିକ ଭାବେ ଜିଲ୍ଲାରେ ସଡକ ଦୁର୍ଘ୍ୟଟଣା ହ୍ରାସ ପାଇଚି ତାହା କୁହାଯାଇ ପାରିବ ନାହିଁ । ତେବେ ସବୁଠାରୁ ଦୁଃଖଦ ଘଟଣା ହେଲା ଗତ ୨୦୧୮ ମସିହା ଜୁଲାଇ ମାସ ୧୯ ତାରିଖ ଦିନ ଏନଏଚ ୧୬ ପାଶ୍ୱର୍ ରାଣୀତାଲ ନିକଟରେ ଅବସ୍ଥିତ ରାଣୀତଲାଓ ହାଇସ୍କୁଲ ର ସ୍କୁଲ ଫେରନ୍ତା ଛାତ୍ର ଛାତ୍ରୀଙ୍କ ଉପରେ ଏକ ଟ୍ରକ ମାଡିଯିବା ଘଟଣା ।

ଯେଉଁଥିରେ ଘଟଣାସ୍ତଳରେ ୫ ଜଣ କୋମଳମତି ବାଳକ/ବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଛାତ୍ର ଛାତ୍ରୀ ଆହତ ହୋଇଥିଲେ । ଏହି ଘଟଣା ସେତେବେଳେ ରାଜ୍ୟବ୍ୟାପି ଚର୍ଚାର ବିଷୟ ହୋଇଥିଲା । ବିଶେଷ କରି ଜାତୀୟ ଏବଂ ରାଜ୍ୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ବିଦ୍ୟାଳୟ ଗୁଡିକରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷା ଏବଂ ନିରାପତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଭଦ୍ରକ ଜିଲ୍ଲାରେ ରାଜ୍ୟ ଏବଂ ଜାତୀୟରାଜପଥ ପାଶ୍ୱର୍ରେ ଏହି ଧରଣର ପ୍ରାୟ ୪୦ ରୁ ଉର୍ଦ୍ଧ ସ୍କୁଲ ରହିଥିଲେ ମଧ୍ୟ ବିଶେଷକରି ଜାତୀୟରାଜପଥ(ଏନଏଚ-୧୬) ପାଶ୍ୱର୍ରେ ରହିଥିବା ସ୍କୁଲ ଗୁଡିକର ସୁରକ୍ଷା ନେଇ ଉଭୟ ଅବିଭାବକ ଏବଂ ଜିଲ୍ଲା ପ୍ରଶାସନ ଚିନ୍ତା ବ୍ୟକ୍ତ କରିଥିଲେ । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରୁ ରାଣୀତାଲ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ରହିଥିବା ୧୪ ଗୋଟି ହାଇସ୍କୁଲ ରେ ପାଠ ପଢୁଥିବା ପିଲା ମାନଙ୍କୁ ସମ୍ଭାବ୍ୟ ବିପଦରୁ ରକ୍ଷା କରିବା ପଶାସନ ପାଇଁ ମୁଖ୍ୟ ଚିନ୍ତାର ବିଷୟ ହୋଇଥିଲା । ଏଥିନେଇ ଜିଲ୍ଲା ଶିକ୍ଷା ପ୍ରଶାସନ ପକ୍ଷରୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହିତ ପୋଲିସ ଏବଂ ପରିବହନ ବିଭାଗ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ ଏହି ଘଟଣାକୁ ଇତିମଧ୍ୟରେ ଅଢେଇବର୍ଷ ବିତିଲାଣି ହେଲେ ଚିହ୍ନିତ ସ୍ଥାନ ଗୁଡିକର ସୁରକ୍ଷା ନେଇ ଏବେବି ପ୍ରସଙ୍ଗ ଅସମାହିତ ହୋଇ ରହି ଯାଇଛି । ରାଜପଥର ଅଧିକାଂଶ ସ୍ଥାନ ଏବେବି ମୁକୁଳା ପଡିଥିବା ବେଳେ କେତେକ ଯାଗାରେ ଅବିଭାବକ ଏବଂ ବିଦ୍ୟାଳୟ କତୃପକ୍ଷ ପିଲାଙ୍କ ହାତ ଧରି ରାସ୍ତା ପାରି କରାଉଛନ୍ତି । ଘଟିଥିବା ଦୁର୍ଘ୍ୟଟଣା ପରେ କେତେକ ସ୍ଥାନରେ ପୋଲିସ ମୃତୟନ କରାଯିବା ସହିତ ରାଜପଥ ଉପରେ ଅସ୍ଥାୟୀ ଆଉଟପୋଷ୍ଟ ଏବଂ ସାଇନ ବୋର୍ଡ ଲଗାଯାଇଥିଲା । ହେଲେ ଧିରେ ଧିରେ ଏହି ବ୍ୟବସ୍ଥାରୁ ପୋଲିସ ପ୍ରଶାସନ ଓହରୀ ଯାଇଥିବା ବେଳେ ପିଲାମାନଙ୍କ ସୁରକ୍ଷା ସ୍କୁଲ ଏବଂ ସେମାନଙ୍କ ପରିବାର ଉପରେ ଛାଡି ଦିଆଯାଇଛି । ଏପରିସ୍ତଳେ ଜିଲ୍ଲା ପ୍ରଶାସନର ଏହି ସପ୍ତାହବ୍ୟାପି ସଡକ ସୁରକ୍ଷା ସପ୍ତାହ ପାଳନର ଯଥାର୍ଥତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।