Odiapua.com

ନିଜ ଚୌକିର ମର୍ଯ୍ୟାଦା ରଖିବାକୁ ବିଦାୟୀ ଜିଲ୍ଲାପାଳଙ୍କ ପରାମର୍ଶ, ଜିଲ୍ଲା ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୧୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କର ବଦଳି ହୋଇଥିବା ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯିବା ପୂର୍ବରୁ ତାଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଲାର ସମସ୍ତ ବି.ଡ଼ି.ଓ. ଓ ତହସିଲଦାରମାନଙ୍କ ଦ୍ୱାରା ସାମୂହିକ ଭାବେ ଚାକିରୀରେ ବଦଳି ଜନିତ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ନୂଆ ସର୍କିଟ୍ ହାଉସ୍‌ରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦାୟୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବୋନ୍ଦର ତାଙ୍କର କାର୍ଯ୍ୟକାଳ ଅବଧି ମଧ୍ୟରେ ଜିଲ୍ଲାକୁ ଯେଉଁ ସଫଳତା ମିଳିଛି, ଯାହା ବି ଉନ୍ନତି ହୋଇଛି, ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଠାରୁ ଜିଲ୍ଲା ପ୍ରଶାସନକୁ ଯେଉଁ ସବୁ ପୁରସ୍କାର ମିଳିଛି, ଧାମନଗର ଉପନିର୍ବାଚନ କି ଲୋକସଭା ଓ ଓଡ଼ିଶା ବିଧାନ ସଭା ଏକକାଳୀନ ନିର୍ବାଚନ ଯେଭଳି ଶାନ୍ତିଶୃଙ୍ଖଳାର ସହିତ ସୂଚାରୁ ରୂପେ ସମ୍ପାଦିତ ହୋଇଛି ଦୁଇ ଦୁଇଥର ଭଦ୍ରାୟଣୀ ମହୋତ୍ସବ ସଫଳତା ଆଦିରେ ସମସ୍ତ କାମ ଏକା ଜିଲ୍ଲାପାଳ କରି ନାହାନ୍ତି ବରଂ ପ୍ରଶାସନ କଳର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ସେଥିରେ ନିହିତ ଅଛି ବୋଲି ବିଦାୟ କାଳୀନ ବକ୍ତବ୍ୟରେ ପ୍ରକାଶ କରି ନିଜ ନିରହଂକାର ଏବଂ ଉଦାରତାର ପରିଚୟ ପ୍ରଦାନ କରିଥିଲେ । ସେ ନିଜ ଚୌକିର ମର୍ଯ୍ୟାଦା ରଖିବାକୁ ଚେଷ୍ଟା କରିଆସିଛନ୍ତି ଏବଂ ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଚୌକିର ମର୍ଯ୍ୟାଦା ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିବାକୁ ସେ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଭଦ୍ରକ ଏସ୍‌.ପି. ବରୁଣ ଗୁଂଟୁପାଲି ଜିଲ୍ଲାପାଳଙ୍କ ନୂତନ ନିଯୁକ୍ତି ନେଇ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଭାଇଚାରାର ଜିଲ୍ଲା ଭଦ୍ରକରେ ବିଭିନ୍ନ ପର୍ବ ପର୍ବାଣୀ ଓ ବିଭିନ୍ନ ପରିସ୍ଥିତିରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ପୋଲିସ୍ ପ୍ରଶାସନ ପ୍ରତି ଶ୍ରୀଯୁକ୍ତ ବୋନ୍ଦରଙ୍କ ଅକୁଣ୍ଠ ସହଯୋଗ ର ଭୂୟସୀ ପ୍ରଶଂସା କରିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର ବିଦାୟୀ ଜିଲ୍ଲାପାଲଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ୱରୁ ଅନେକ କିଛି ଶିଖିଛନ୍ତି ଏବଂ କେତେକ ଜଟିଳ ପରିସ୍ଥିତି ଜନିତ ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳ କେମିତି ସହଜରେ ବାଟ ଫିଟଠାଇ ଦିଅନ୍ତି, ତାହା ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ନିଜ ବକ୍ତବ୍ୟରେ ଜିଲ୍ଲାପାଳଙ୍କୁ ଜଣେ ଦକ୍ଷ ପ୍ରଶାସକ ବୋଲି ଅଭିହିତ କରି ତାଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀର ସ୍ୱତନ୍ତ୍ର ତରିକା ଉପରେ ଆଲୋକପାତ କରିଥିଲେ । ବାହାନଗା ଦୁର୍ଘଟଣା ବେଳର କଥା ହେଉ କି ନିର୍ବାଚନ ସମୟର କଥା କିମ୍ବା ପ୍ରଶାସନ ପ୍ରତି ଯେତେବେଳେ ଯାହାବି ଆହ୍ୱାନ ଭଳି ପରିସ୍ଥିତି ଉପୁଜିଛି ଜିଲ୍ଲାପାଳ ତାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ବିନା ଚାପରେ ଧୈର୍ଯ୍ୟରସହ ପରିଚାଳନା କରି ଅତି ସହଜରେ ସମାଧାନ କରି ଦିଅନ୍ତି । ବିଭିନ୍ନ କାର୍ଯ୍ୟ ସଫଳତା ନେଇ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ହ୍ୱାଟସ୍‌ଅପ୍ ପ୍ରତିକ୍ରିୟା ଜରିଆରେ ପ୍ରଶଂସା କରନ୍ତି ଉତ୍ସାହିତ ବି କରନ୍ତି । ଜନଶୁଣାଣି କ୍ଷେତ୍ରରେ ଜଣେ ଅତି ସାଧାରଣ ଲୋକର ଅଭିଯୋଗ କି ଆବେଦନ କୁ ହେୟ ନ ମଣି ଧୈର୍ଯ୍ୟର ସହ ଶୁଣିବା, ଯଥା ସମ୍ଭବ ସହାୟତା ପ୍ରଦାନ କରିବା ଆଦି ଘଟଣା ତାଙ୍କ ଉଚ୍ଚକୋଟିର ମାନବିକତାର ପରିଚୟ ଦିଏ ବୋଲି ସେ ପ୍ରକାଶ କରିଥିଲେ । ଡେପୁଟୀ କଲେକ୍ଟର ପ୍ରମିଳା ମଲ୍ଲିକ ମଧ୍ୟ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ, ନିର୍ବାଚନ କାର୍ଯ୍ୟ ଆଦି ସମ୍ପାଦନରେ ଜିଲ୍ଲାପାଳଙ୍କ ମାର୍ଗର୍ଶନ କିପରି ଉପଯୋଗୀ ଥିଲା ବର୍ଣ୍ଣନା କରିଥିଲେ । ଉପଢ଼ୈାକନ ପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ ପୂର୍ବକ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡେପୁଟୀ କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ଦ୍ୱାରା ଏ କାର୍ଯ୍ୟକ୍ରମର ସମସ୍ତ ଆୟୋଜନ କରାଯାଇଥିଲା ।