Odiapua.com

ନିଜ ଘରୁ ଆରମ୍ଭ ହେଉ ତମାଖୁ ମୁକ୍ତ ଅଭିଯାନ – ଜିଲ୍ଲାପାଳ, ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତମାଖୁ ମୁକ୍ତ ଭଦ୍ରକର ସ୍ୱପ୍ନ ଦେଖିବା ଏବଂ ପୂରଣ କରିବା କୁ ହେଲେ ପ୍ରଥମେ ନିଜ ଘରୁ ଅର୍ଥାତ୍ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପାଦିତ କରୁଥିବା ସ୍ୱାସ୍ଥ୍ୟ ବିଭାଗ, ପ୍ରଶାସନିକ କାର୍ଯ୍ୟାଳୟକୁ ପ୍ରଥମେ ତମାଖୁ ମୁକ୍ତ ଅନୁଷ୍ଠାନ ବା ଅଂଚଳ ରୂପେ ଘୋଷଣା ପାଇଁ ପଦକ୍ଷେପ ଆରମ୍ଭ କରିବାକୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଛନ୍ତି। ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ ର ଶୁଭାରମ୍ଭ କରିବାକୁ ଯାଇ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜାତୀୟ ତମାକୁ ନିୟ୍ରନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକରେ ଯୋଗଦେବା ଅବସରରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ତମାଖୁ ନିୟନ୍ତ୍ରଣ ରେ ଫଳପ୍ରଦ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ନବ ନିର୍ମିତ କୋଠାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ପରେ ଉକ୍ତ ପରିବେଶକୁ ସମ୍ପୂର୍ଣ୍ଣ ତମାଖୁ ମୁକ୍ତ ଅଂଚଳ ପାଇଁ ଏବେ ଠାରୁ ସଚେତନତା ଓ କାର୍ଯ୍ୟକାରୀତା ନେଇ ପଦକ୍ଷେପ ଆରମ୍ଭ କରିବାକୁ ସେ କହିଥିଲେ। କୌଣସି ରୋଗୀ, ରୋଗୀଙ୍କ ସହାୟକ, କର୍ମଚାରୀ କେହି ବି ସାଙ୍ଗରେ ତମାଖୁ ଜାତୀୟ ଦ୍ରବ୍ୟ ସାଙ୍ଗରେ ନେଇ ଡାକ୍ତରଖାନାକୁ ପ୍ରବେଶ ନକରିବା ନେଇ ନିଶ୍ଚିୁତ କରାଯିବ। ମୁଖ୍ୟ ଡାକ୍ତରଖାନା ପରିସର ବା ନିକଟବର୍ତୀ ଅଂଚଳରେ ତମାକୁ ବିକ୍ରୟ ନିଷେଦ୍ଧ କରାଯିବ। ସେହିପରି ଜିଲ୍ଲା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ତମାଖୁ ମୁକ୍ତ ଅଂଚଳ ଘୋଷିତ ପାଇଁ ଯୋଜନା କରାଯିବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଜନ ସାଧାରଣଙ୍କ ଦ୍ୱାରା ବିରୋଧାଭାଷ ସଷ୍ଟି ହେବା ସମ୍ଭାବନା ଥିଲେ ବି ସଚେତନତା ବଳରେ ସେ ଅଭିଯାନ ଦିନେ ସଫଳ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ସେଥିପାଇଁ ଯଥେଷ୍ଟ ସଂଖ୍ୟାରେ ସଚେତନତା ସୂଚନା ଫଳକ ଲଗାଇବା ପାଇଁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା।

ପ୍ରଦତ ସୂଚନା ଅନୁଯାୟୀ ଅଣ ସଂକ୍ରାମକ ରୋଗ ଜନିତ ମୃତ୍ୟୁ ପୃଥିବୀର ବାର୍ଷିକ ସମସ୍ତ ମୃତ୍ୟୁର ପ୍ରାୟ ୬୩% ବୋଲି ଆକଳନ କରାଯାଇଛି। କର୍କଟ, ହୃଦରୋଗ ଶ୍ୱାସ ଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ, ଭଳି ଅଧିକାଂଶ ଅଣସଂକ୍ରାମକ ରୋଗର ପ୍ରମୁଖ କାରଣ ହେଉଛି ତମାଖୁ ସେବନ। ଯେଉଁ ସବୁ ରୋଗର ଭାରତରେ ପ୍ରତିବର୍ଷ ୨୮ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆମେ ସମସ୍ତେ ଜାଣି ରଖିବା ଉଚିତ ତମାଖୁରେ ୭୦୦୦ ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି । ଯେଉଁଥିରୁ ୬୯ ଟି କର୍କଟ ରୋଗର କାରଣ ଅଟେ। ଧୂମହୀନ ତମାଖୁରେ ୩୦୦୦ରୁ ଅଧିକ ଥିବା ରାସାୟନିକ ପଦାର୍ଥ ମଧ୍ୟରୁ ୨୮ ଟି କର୍କଟ ରୋଗର କାରଣ। ଖଇନି, ଗୁଟ୍‌ଖା, ପାନ, ଜର୍ଦ୍ଦା ଆଦି ଧୂମହୀନ ଏବଂ ବିଡ଼ି, ସିଗାରେଟ୍ ହୁକା ଆଦି ଧୂମଯୁକ୍ତ ତମାଖୁ ଅଟେ । ତଥ୍ୟାନୁଯାୟୀ ଭାରତରେ ୨୯% ଯୁବ ଗୋଷ୍ଠି ତମାଖୁ ବ୍ୟବହାର କରନ୍ତି । ପ୍ରତିଦିନ ୫୫୦୦ ଯୁବ ତମାଖୁ ବ୍ୟବହାର ଆରମ୍ଭ କରନ୍ତି । ବିଶ୍ୱ ଯୁବ ତମାଖୁ ସର୍ଭେ ଅନୁଯାୟୀ ୪୮% ପୁରୁଷ ଏବଂ ୨୨.୩% ମହିଳା ଭାରତରେ ବ୍ୟବହାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ତମାଖୁ ଦ୍ୱାରା ପ୍ରତିବର୍ଷ ବିଶ୍ୱରେ ୫୦ ଲକ୍ଷ, ଭାରତରେ ୧୩ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ବିଶ୍ୱରେ ହେଉଥିବା ମୁଖ କ୍ୟନସର ମଧ୍ୟରୁ ଭାରତରେ ୮୬% ହୋଇଥାଏ। ସେଥିମଧ୍ୟରୁ ୯୦% ମୁଖ କ୍ୟାନସରର କେବଳ ତମାଖୁ ଦ୍ୱାରା ହୋଇଥାଏ। ତମାଖୁ ସେବନ ଅଭ୍ୟାସ ଛାଡ଼ିବା ସମ୍ଭବ ହେଉଥିବାରୁ ଏଥିପାଇଁ ସଚେତନତା, ସୁପରାମର୍ଶ, ତମାଖୁ ବିକ୍ରୟ ନିଷେଦ୍ଧ ଆଇନ୍‌କୁ କଡ଼ାକଡ଼ି ଲାଗୁ କରିବା ଓ ଧରପଗଡ଼ ଜାରି ରଖିବା, ତମାଖୁ ଛାଡ଼ିବା ପାଇଁ ଦେୟମୁକ୍ତ ନମ୍ବର ୧୮୦୦-୧୧-୨୩୫୬ ର ଉପଯୋଗ କରିବା ଆଦି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଶିକ୍ଷାନୁଷ୍ଠାନର ୧୦୦ ଗଜ ଭିତରେ ତମାଖୁ ପଦାର୍ଥ ବିକ୍ରି ନକରିବା ନିୟମ ଲାଗୁ ର ନିଶ୍ଚିତତା ପାଇଁ ତମାଖୁ ମୁକ୍ତ ବିଦ୍ୟାଳୟ ଚିହ୍ନଟ ନେଇ ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ନିର୍ଦ୍ଧାରିତ ପରିସୀମା ମଧ୍ୟରେ ତମାଖୁ ବିକ୍ରୀ ଚାଲୁଥିବା ବିଦ୍ୟାଳୟ ଗୁଡ଼ିକୁ ତମାଖୁ ମୁକ୍ତ ଘୋଷଣା ପାଇଁ ଯଥାଶୀଘ୍ର ଧରପଗଡ଼ ପାଇଁ ମଧ୍ୟ ସେ କହିଥିଲେ। ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଅଣସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ କୁମାର ରାଉତ ତଥ୍ୟ ଉପସ୍ଥାପନ କରିଥିଲେ। ଏ.ସି.ଡି.ଓ. କୁଶଳ ଚନ୍ଦ୍ର ନାୟକ, ଡି.ପି.ଏମ୍‌. ସରିତା ମହାପାତ୍ର, ଡା. ଭାରତୀ ରାଉତ, ଡା. ଜୟନ୍ତ ପଣ୍ଡା ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଡାକ୍ତରମାନେ ଡି.ଏସ୍‌.ପି.ଡି.ଆଇ.ବି. ପ୍ରଭାତ ବିଶ୍ୱାଳ, ଅବକାରୀ ଅଧିକ୍ଷକ ନରୋତମ ମିଶ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏ ଦିଗରେ ସକ୍ରୀୟ ଭାବେ କାର୍ଯ୍ୟ କରୁଥିବା ‘ସଲାମ୍ ଜୀବନ’ ଅନୁଷ୍ଠାନ ଡ. ଇମ୍ରାନ୍ ଅଲ୍ଲୀ, ରେଡ଼ିଓ ବୁଲବୁଲ ର ସେକ୍ ନିୟାଜ, ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଆଲୋଚନାରେ ମତାମତ ପ୍ରକାଶ କରିଥିଲେ।